The Economic Times
ନୂଆଦିଲ୍ଲୀ : ଆଜିଠାରୁ ଜିଏସ୍ଟିର ନୂତନ ହାର ଲାଗୁ ହେବ। ତେବେ ପ୍ରି-ପ୍ୟାକେଜ୍ଡ ବା ପୂର୍ବରୁ ପ୍ୟାକେଟ୍ରେ ଭର୍ତ୍ତି କରି ବିକ୍ରି କରାଯାଉଥିବା ସାମଗ୍ରୀ ଉପରେ ଲଗାଯାଇଥିବା ୫% ଜିଏସ୍ଟିକୁ ନେଇ ବ୍ୟବସାୟୀମାନଙ୍କ ମନରେ ଯେଉଁ ଦ୍ବନ୍ଦ୍ବ ରହିଥିଲା ତାହା ଦୂର କରିବା ଲାଗି କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସ୍ପଷ୍ଟୀକରଣ ଜାରି କରିଛି। କେବଳ ୨୫ କେଜି ପର୍ଯ୍ୟନ୍ତ ପ୍ରି-ପ୍ୟାକେଜ୍ଡ ସାମଗ୍ରୀ ଉପରେ ୫% ଜିଏସ୍ଟି ଲାଗିବ। ଗୋଟିଏ ପ୍ୟାକେଟ୍ ଭିତରେ ଥିବା ୨୫ କେଜିରୁ ଅଧିକ ଓଜନର ସାମଗ୍ରୀ ଉପରେ ଜିଏସ୍ଟି ଲାଗିବ ନାହିଁ।
ଉଦାହରଣ ଜରିଆରେ ସିବିଆଇସି ସ୍ପଷ୍ଟ କରିଛି ଯେ ଯଦି ଖୁଚୁରା ବିକ୍ରୟ ଲାଗି ଉଦିଷ୍ଟ ୧୦ କେଜି ବିଶିଷ୍ଟ ବିଭିନ୍ନ ପ୍ୟାକେଟ୍କୁ ଗୋଟିଏ ବଡ଼ ପ୍ୟାକେଟ୍ ଭିତରେ ରଖାଯାଇ ବିକ୍ରି କରାଯାଉଥିବ ତେବେ ସେଭଳି ପ୍ୟାକେଟ୍ ଉପରେ ଜିଏସ୍ଟି ଲାଗିବ। ନିର୍ମାତାମାନେ ବିତରକମାନଙ୍କ ପାଖକୁ ସେଭଳି ପ୍ୟାକେଟ୍ ପଠାଇଥାନ୍ତି। କିନ୍ତୁ ଯଦି ଗୋଟିଏ ପ୍ୟାକେଟ୍ ଭିତରେ ୫୦ କେଜି ଚାଉଳ ଥିବ ତେବେ ତାହାକୁ ପ୍ରି-ପ୍ୟାକେଜ୍ଡ ସାମଗ୍ରୀ ଭାବେ ବିଚାର କରାଯିବ ନାହିଁ। ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥା ବ୍ୟବହାର ଲାଗି ଉଦ୍ଦିଷ୍ଟ ପ୍ୟାକେଟ୍ ଉପରେ ଜିଏସ୍ଟି ଲାଗିବ ନାହିଁ। ବିତରକ, ଡିଲର ଓ ରିଟେଲରଙ୍କୁ ଉପଲବ୍ଧ କରାଯାଉଥିବା ପ୍ୟାକେଟ୍ ସାମଗ୍ରୀ ଉପରେ ଜିଏସ୍ଟି ଲାଗିବ। କିନ୍ତୁ ଏହି ସବୁ ପକ୍ଷ ଇନ୍ପୁଟ୍ କ୍ରେଡିଟ୍ ପାଇଁ ଯୋଗ୍ୟ ବିବଚେିତ ହେବେ।
ଜିଏସ୍ଟିକୁ ନେଇ ସିବିଆଇ ଜାରି କରିଥିବା ବିଜ୍ଞପ୍ତି ଉପରେ ବିଭିନ୍ନ ବ୍ୟବସାୟୀ ଆପତ୍ତି ଉଠାଇବା ପରେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି। କିଛି ଦିନ ପୂର୍ବେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୪୭ତମ ବୈଠକରେ ବିଭିନ୍ନ ସାମଗ୍ରୀର ଟିକସ ହାର ବୃଦ୍ଧି କରାଯାଇଥିଲା। ଅଣ ବ୍ରାଣ୍ଡେଡ୍ ପ୍ରି-ପ୍ୟାକେଜଡ୍ ଖାଦ୍ୟ ସାମଗ୍ରୀ ଉପରେ ଲଗାଯାଇଥିବା ୫% ଜିଏସ୍ଟିକୁ ପ୍ରତ୍ୟାହାର କରିବା ଦାବି କରି ବ୍ୟବସାୟୀମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି।
Follow Us