image credit : ET
ନୂଆଦିଲ୍ଲୀ: ଚଢ଼ଉ ସମୟରେ କୌଣସି ଟିକସଦାତାଙ୍କୁ ଟିକସ ଦେବାକୁ ଟିକସ ଅଧିକାରୀମାନେ ବାଧ୍ୟ କରିପାରିବେନି। କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଏହି ନିର୍ଦେଶ ଜାରି କରାଯାଇଛି। ଆଇନଗତ ବ୍ୟବସ୍ଥାରେ ଥିବା ପ୍ରକ୍ରିୟା ଅନୁସାରେ ଆଡଜୁଡିକେସନ ଅର୍ଡର ଜାରି କରିବା ପରେ ଟିକସ ସଂଗ୍ରହ କରାଯିବ। ଚଢ଼ଉ ବେଳେ ଯଦି କୌଣସି ଟିକସଦାତା ସ୍ବେଚ୍ଛାଧୀନ ଭାବେ ଟିକସ ଦେଇଥିବା ଘଟଣା ଧରାପଡ଼ିବ ତେବେ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଯାଞ୍ଚ ଓ ଚଢ଼ଉ ବେଳେ ଟିକସ ଅର୍ଥ ଅସୁଲ କରିବା ଲାଗି ଅଧିକାରୀମାନେ ଟିକସଦାତାଙ୍କ ଉପରେ ଚାପ ଓ ବଳ ପ୍ରୟୋଗ କରୁଥିବା ଅଭିଯୋଗ ଆସିବା ପରେ ସିବିଆଇସି ଏଭଳି ନିର୍ଦେଶ ଜାରି କରିଛି। ଜିଏସ୍ଟି ପ୍ରଧାନ କମିସନର ଓ କମିସନରମାନଙ୍କୁ ଏହି ନିର୍ଦେଶ ପଠାଇ ଦିଆଯାଇଛି। ଚାପ କିମ୍ବା ବଳ ପ୍ରୟୋଗ ହୋଇଥିବାର କୌଣସି ଅଭିଯୋଗ ଆସିଲେ ତୁରନ୍ତ ତାହାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇନ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। କର୍ତ୍ତୃପକ୍ଷ କୌଣସି ନିର୍ଦେଶ ଜାରି ନକରିବା ପର୍ଯ୍ୟନ୍ତ ଟିକସଦାତାଙ୍କ ଠାରୁ ଟିକସ ସଂଗ୍ରହ କରାଯାଇପାରିବନି। ଯଦି କୌଣସି ଟିକସଦାତା ନିଜ ଆଡ଼ୁ ଟିକସ ପଇଠ କରିବାକୁ ଆଗ୍ରହ ପ୍ରକାଶ କରିବେ ତେବେ ତାଙ୍କୁ ଜିଏସ୍ଟି ପୋର୍ଟାଲ୍ ଡିଆର୍ସି ୦୩ରେ ତାହା ପଇଠ କରିବାକୁ ହେବ।
ଟିକସ ଅର୍ଥ ଅସୁଲ କରିବା ଲାଗି ଜିଏସ୍ଟି ଅଧିକାରୀମାନେ ଯାଞ୍ଚ, ଚଢ଼ଉ ଓ ତଦନ୍ତ ବେଳେ ଚାପ ଓ ବଳ ପ୍ରାୟୋଗ କରୁଥିବାର ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ଟିକସଦାତା ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ କରିଛନ୍ତି। ନିକଟରେ ଏଭଳି ଏକ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ସେହିପରି, ଗତ ମାର୍ଚ୍ଚରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ ଚାପ ପ୍ରୟୋଗ କରି ସଂଗ୍ରହ କରାଯାଉଥିବା ଟିକସ ସମ୍ବିଧାନର ଧାରା ୨୬୫ ଓ ୩୦୦ଏର ଉଲ୍ଲଂଘନ ଓ ସେହି ଅର୍ଥ ରିଫଣ୍ଡ୍ ହେବା ଦରକାର।
Follow Us