ସିମେଣ୍ଟ ୨୫ ଟଙ୍କା କମିବ!

Advertisment

୨୨ରେ ଜିଏସ୍‌ଟି ପରିଷଦ ବୈଠକରେ ନିଆଯିବ ନିଷ୍ପତ୍ତି

୨୨ରେ ଜିଏସ୍‌ଟି ପରିଷଦ ବୈଠକରେ ନିଆଯିବ ନିଷ୍ପତ୍ତି

ସିମେଣ୍ଟ ୨୫ ଟଙ୍କା କମିବ!

ନୂଆଦିଲ୍ଲୀ: ଆଗାମୀ ଦିନରେ ସିମେଣ୍ଟ ଦର ହ୍ରାସ ପାଇବାର ସମ୍ଭାବନା ରହିଛି। ସିମେଣ୍ଟ ସମେତ ଅନ୍ୟ କେତେକ ନିର୍ମାଣ ସାମଗ୍ରୀ ଉପରୁ ଜିଏସ୍‌ଟି କମିପାରେ। ଚଳିତମାସ ୨୨ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ। ଏବେ ସିମେଣ୍ଟ୍ ଉପରୁ ୨୮% ଜିଏସ୍‌ଟି ଆଦାୟ କରାଯାଉଛି। ଏହାକୁ ୧୮%କୁ କମାଯିବାର ସମ୍ଭାବନା ରହିଛି। ଯଦି ଜିଏସଟି ହାର ୧୮%କୁ ହ୍ରାସ ଘଟେ ତାହେଲେ ସିମେଣ୍ଟ୍ ଦର ବ୍ୟାଗ ପିଛା ୨୦ରୁ ୨୫ ଟଙ୍କା ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ରିଅଲ ଇଷ୍ଟେଟ ଶିଳ୍ପକୁ ପ୍ରୋତ୍ସାହନ ଦେବାଲାଗି ଜିଏସ୍‌ଟି ପରିଷଦରେ ଏଭଳି ନିଷ୍ପତ୍ତି ନେବା ଆଶା କରାଯାଉଛି। ଗତ ଅକ୍ଟୋବରରେ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ସିମେଣ୍ଟ୍ ନିର୍ମାତାମାନେ ଦରରେ ୧୦% ବୃଦ୍ଧି ପାଇପାରେ ବୋଲି କହିଥିଲେ। କିନ୍ତୁ ଏହାପରେ ଡିଜେଲ ଦର କମିବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ୨୮% ଟିକସ ସ୍ଲାବ୍‌ରେ ଥିବା ସାମଗ୍ରୀ ଉପରେ ବିଚାରବିମର୍ଶ ହେବ। ଏହି ଟିକସ ବର୍ଗରେ କେବଳ ବିଳାସପୂର୍ଣ୍ଣ ସାମଗ୍ରୀ ଓ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀକୁ ରଖିବା ଯୋଜନା ସରକାରଙ୍କର ରହିଛି। ରିଅଲ ଇଷ୍ଟେଟ୍ ଓ ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ଗତ ଜୁଲାଇରେ ଅନୁଷ୍ଠିତ ଜିଏସିଟି ପରିଷଦ ବୈଠକରେ ରଙ୍ଗ ଓ ବାର୍ନିସ୍‌ ଉପରୁ ଜିଏସ୍‌ଟି ହାର ୨୮%ରୁ ୧୮%କୁ କମାଇ ଦିଆଯାଇଥିଲା। ଏଥିସହିତ ପର୍‌ଫ୍ୟୁମ୍‌, ପ୍ରସାଧାନ ସାମଗ୍ରୀ, ହେୟାର ଡ୍ରାୟର, ମିକ୍ସର ଗ୍ରାଇଣ୍ଡର୍, ଭାକ୍ୟୁମ୍ କ୍ଲିନର ଏବଂ ଲିଥିୟମ ଆୟନ ବ୍ୟାଟେରି ଉପରୁ ମଦ୍ୟ ଜିଏସଟିକୁ ୨୮%ରୁ ୧୮%କୁ କମାଇ ଦିଆଯାଇଥିଲା। ଜିଏସଟି ଲାଗୁ ହେବା ସମୟରେ ୨୮% ସ୍ଲାବରେ ୨୨୬ଟି ସାମଗ୍ରୀ ରହିଥିଲା। କିନ୍ତୁ ଇତି ମଧ୍ୟରେ ଜିଏସ୍‌ଟି ପରିଷଦ ୧୯୧ଟି ସାମଗ୍ରୀକୁ ଏହି ସ୍ଲାବରୁ ବାଦ୍ ଦେଇଛି। ଫଳରେ ଏହି ଟିକସ ବର୍ଗରେ ଏବେ ୩୫ଟି ସାମଗ୍ରୀ ରହିଛି। ସରକାର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ୧୩.୪୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍ ମାସକୁ ହାରାହାରି ୧ ଲକ୍ଷ ୧୨ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ଆଶା ରଖିଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ ମାସ (ଏପ୍ରିଲ-ନଭେମ୍ବର) ମଧ୍ୟରେ ସରକାର ଜିଏସ୍‌ଟିରୁ ୭.୭୬ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe