ନୂଆଦିଲ୍ଲୀ: ଦେଶରେ ଗତ କିଛିମାସ ହେଲା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଉଛି। ଏହାଫଳରେ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ୁଛି। ତେଲ ଦର ଓ ପରିବହନ ଖର୍ଚ୍ଚ ବୃଦ୍ଧି ସିମେଣ୍ଟ ଶିଳ୍ପକୁ ପ୍ରଭାବିତ କରିଛି। ସିମେଣ୍ଟ କମ୍ପାନି ଗୁଡ଼ିକ ତେଲ ଦର ଓ ପରିବହନ ଖର୍ଚ୍ଚ ବୃଦ୍ଧିକୁ ଆଗାମୀ ଦିନରେ ଖାଉଟିଙ୍କ ଉପରେ ଲଦିବାକୁ ଯାଉଛନ୍ତି। ଇନ୍ଧନ ଦର ଓ ପରିବହନ ଖର୍ଚ୍ଚ ଭରଣା ପାଇଁ ସିମେଣ୍ଟ ଦର ବସ୍ତା ପିଛା ୨୫ରୁ ୩୦ ଟଙ୍କା ବା ୮ରୁ୧୦% ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସିମେଣ୍ଟ ସଂଘ ପକ୍ଷରୁ ଆକଳନ କରାଯାଇଛି। କମ୍ପାନି ଗୁଡ଼ିକ ଆସନ୍ତା ୬ ମାସ ମଧ୍ୟରେ ସିମେଣ୍ଟ ଦରରେ ୧୦% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ସିମେଣ୍ଟ ଉତ୍ପାଦନକାରୀ ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂଘର ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସିମେଣ୍ଟ ଚାହିଦା ୧୪% ବୃଦ୍ଧି ପାଇଛି। ୨୦୦୯-୧୦ ଆର୍ଥିକବର୍ଷଠାରୁ ପ୍ରଥମ ଥର ପାଇଁ ସିମେଣ୍ଟ ବିକ୍ରିରେ ଏହି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ କମ୍ପାନିଙ୍କ ପାଇଁ ସିମେଣ୍ଟ ଦର ବୃଦ୍ଧିର ଏକ ସୁଯୋଗ ସୃଷ୍ଟି ହୋଇଛି। ସଂଘର ସଭାପତି ଶୈଳେନ୍ଦ୍ର ଚୌକସି କହିଛନ୍ତି, ଗତ ବର୍ଷକ ମଧ୍ୟରେ ଇନ୍ଧନ ମୂଲ୍ୟରେ ୬୦ରୁ ୭୦% ବୃଦ୍ଧି ଦେଖାଦେଇଛି। ଇନ୍ଧନ ଦର ବୃଦ୍ଧିର କିଛି ଅଂଶ ଆଦାୟ କରିବା ଲାଗି ଆମକୁ ସିମେଣ୍ଟ ଦର ବଢ଼ାଇବାକୁ ହେବ ବୋଲି ସେ କହିଛନ୍ତି। ଏତଦବ୍ୟତୀତ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଗତ ୬/୭ ବର୍ଷ ହେଲା ସିମେଣ୍ଟ ମୂଲ୍ୟ ପ୍ରାୟତଃ ସ୍ଥିର ରହିଛି। ସିମେଣ୍ଟ ଦରରେ ଯେଉଁ ବୃଦ୍ଧି କରାଯାଇଛି ତାହା ତୁଳନାରେ ଉତ୍ପାଦନ ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ଯଥେଷ୍ଟ ଅଧିକ ରହିଛି ବୋଲି କୁହାଯାଇଛି।
ସିମେଣ୍ଟ ୩୦ ଟଙ୍କା ବଢ଼ିବ!
Advertisment
Follow Us