ନୂଆଦିଲ୍ଲୀ : ଏଆଇକୁ ନେଇ ଯେଉଁ ତମ୍ବିତୁଫାନ ଆରମ୍ଭ ହୋଇଛି ତାହାର ପଛରେ ରହିଥିବା ମୂଳ କାରଣଟି ହେଉଛି ବିଶ୍ବରେ ବର୍ତ୍ତମାନ ସର୍ବାଧିକ ଲୋକପ୍ରିୟ ଥିବା ‘ଚାଟ୍ଜିପିଟି’। ସାମ୍ ଅଲ୍ଟମ୍ୟାନ୍ଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଆମେରିକୀୟ ଷ୍ଟାର୍ଟଅପ୍ ସଂସ୍ଥା ‘ଓପୋନ୍ଏଆଇ’ ଏହାକୁ ବିକାଶ କରିଛି। ବର୍ତ୍ତମାନ ଏହା ଚାଟ୍ବଟ୍ ଭାବେ ଉପଲବ୍ଧ ହୋଇଛି। ସରଳ ଭାଷାରେ କହିଲେ ଲୋକମାନେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ଭଳି ତାହାକୁ ବ୍ୟବହାର କରୁଛନ୍ତି। ଯାହା ପ୍ରଶ୍ନ କଲେ ତାହା ମଣିଷ ଭଳି ଉତ୍ତର ଲେଖିଦେଉଛି। ଏହା ମଣିଷ ଭଳି ଏତେ ଅବିକଳ ଉତ୍ତର ଦେଉଛି ଯେ ମଣିଷର ଆବଶ୍ୟକତା ରହିବ ନା ନାହିଁ ସେଥିପ୍ରତି ସନ୍ଦେହ ସୃଷ୍ଟି ହୋଇଛି।
ଓପୋନ୍ଏଆଇ ଚାଟ୍ଜିପିଟିର ଆହୁରି ଉନ୍ନତ ମଡେଲ୍ ଆଣିବା ଉପରେ ପରୀକ୍ଷାନିରୀକ୍ଷା ଜାରି ରଖିଛି। ବର୍ତ୍ତମାନ ଏହା ସବୁଠୁ ଉନ୍ନତ ଜେନେରେଟିଭ୍ ଏଆଇ ‘ଜିପିଟି-୪’ ବିକାଶ ଉପରେ କାର୍ଯ୍ୟ କରୁଛି। ଚାଟ୍ଜିପିଟି ଏତେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଯେ ଗୁଗୁଲ୍, ମାଇକ୍ରୋସଫ୍ଟ ଓ ଚୀନ୍ର ବାଇଦୁ ଭଳି ସଂସ୍ଥା ତରବରିଆ ଭାବେ ସେହି ପ୍ରଯୁକ୍ତି ଉପରେ କାମ ଆରମ୍ଭ କରିଦେଇଛନ୍ତି। ଚାଟ୍ଜିପିଟିକୁ ଯାହା ପ୍ରଶ୍ନ କଲେ ସେ ତାହାର ଉତ୍ତର ଦେଇଦେଉଛି। ତେବେ ସବୁ ଉତ୍ତର ସମ୍ପୂର୍ଣ୍ଣ ସଠିକ୍ ହେଉନଥିବା କୁହାଯାଉଛି।
ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରି ଜଣାଇଛନ୍ତି ଯେ ଚାଟ୍ଜିପିଟିର ବ୍ୟବହାର ବଢ଼ିଲେ ମଣିଷ ନିଜର ଭାବନା ଶକ୍ତି ହରାଇବ। ଫଳରେ ସୃଜନଶୀଳତା ବାଧାପ୍ରାପ୍ତ ହେବ। କୌଣସି ଜଟିଳ କାମ କରିବା ଲାଗି ଲୋକମାନେ ଆଉ ମୁଣ୍ଡରେ କିଛି ଭାବିବେ ନାହିଁ। ପ୍ରଯୁକ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ତାହାର ଦାସ ହୋଇଯିବେ।
Follow Us