ନୂଆଦିଲ୍ଲୀ: କିଛି ମାସରେ ମଧ୍ୟରେ ସୁନା ଦରରେ ହୋଇଥିବା ଅହେତୁକ ବୃଦ୍ଧି ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଅଳ୍ପ ସମୟ ଭିତରେ ଦାମ୍ରେ ଏଭଳି ବୃଦ୍ଧି ପୂର୍ବରୁ କ୍ବଚିତ୍ ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣ ପାଇଁ ସୁନା ମହଙ୍ଗା ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନଥିଲା। ମାତ୍ର ଏବେ ଜଣାପଡ଼ିଛି ଯେ ସୁନା ଦାମ୍ ବଢ଼ିବା ପଛରେ ଚୀନ୍ର ହାତ ରହିଛି। ଚୀନ୍ରେ ରିଅଲ ଇଷ୍ଟେଟ୍ ଓ ଷ୍ଟକ୍ ବଜାର କାରବାର ଉପରୁ ଲୋକମାନଙ୍କ ଭରସା କମିଛି। ସେଥିପାଇଁ ସେମାନେ ସୁନା ଆଡ଼କୁ ଢଳିଛନ୍ତି। ସେମାନେ ଏଭଳି ସୁନା କିଣୁଛନ୍ତି, ଯେମିତି ଆଗକୁ ଆଉ କେବେ ତାହା କିଣିହେବ ନାହିଁ। ତାହାର ପ୍ରଭାବରେ ଚାହିଦା ବଢ଼ିବା ସହ ସୁନାର ଆଉନ୍ସ ପିଛା ଦାମ୍ ୨୩୦୦ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଚୀନ୍ର ଲୋକମାନେ ଅଳ୍ପ ପରିମାଣର ହେଲେ ବି ସୁନା କିଣିବାକୁ ପଛାଉ ନାହାନ୍ତି। ସେଠାରେ ଅନ୍ଲାଇନ୍ରେ ମଧ୍ୟ ସୁନା ବିକ୍ରିରେ ବଡ଼ ଧରଣର ବୃଦ୍ଧି ଘଟିଛି।
ସଙ୍କଟ ସମୟରେ ସୁନା କିଣାଯାଏ ବୋଲି ଚୀନ୍ରେ ଲୋକମାନଙ୍କ ବିଶ୍ବାସ ରହିଛି। ଚୀନ୍ର ଯୁବକଯୁବତୀମାନେ ‘ଗୋଲ୍ଡ ବିନ୍ସ’ କିଣୁଛନ୍ତି। ତାହା ହେଉଛି ସୁନାର ଛୋଟ ଛୋଟ ମଞ୍ଜି ଆକୃତିର ଗୋଲା। କମ୍ ଦାମ୍ରେ ତାହା ଉପଲବ୍ଧ ହେଉଥିବାରୁ ଲୋକମାନଙ୍କୁ କିଣିବା ସହଜ ହେଉଛି। ଗୋଲ୍ଡ ବିନ୍ସର ଓଜନ ପାଖାପାଖି ଏକ ଗ୍ରାମ ରହୁଛି। ଭାରତୀୟ ମୁଦ୍ରାରେ ତାହାର ମୂଲ୍ୟ ୫୦୦୦-୮୦୦୦ ଟଙ୍କା ମଧ୍ୟରେ ରହିଛି। ଚୀନ୍ର ଯୁବପିଢ଼ିଙ୍କ ମଧ୍ୟରେ ପ୍ରତି ମାସରେ ଗୋଟିଏ ଗୋଲ୍ଡ ବିନ୍ସ କିଣିବା ଏକ ଧାରାରେ ପରିଣତ ହୋଇଛି। ପୂର୍ବରୁ ଚୀନ୍ର ମଧ୍ୟମ ବୟସ୍କ ଓ ବୃଦ୍ଧବୃଦ୍ଧାମାନେ ଅଧିକ ସୁନା କିଣୁଥିଲେ। ଏବେ ଯୁବପିଢ଼ିଙ୍କ ମଧ୍ୟରେ ଏହି ମୂଲ୍ୟବାନ ଧାତୁକୁ ନେଇ ଆଗ୍ରହ ଦେଖାଦେଇଛି। କେବଳ ଚୀନ୍ବାସୀ ନୁହେଁ, ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବିପୁଳ ପରିମାଣର ସୁନା କିଣୁଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ବିବିଧତା ଆଣିବା ଲାଗି ଏହା ସୁନା କିଣା ବଢ଼ାଇ ଦେଇଛି। ଚୀନ୍ର ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ଏବେବି ୪.୬ ପ୍ରତିଶତ ରହିଛି ଯାହା ଭାରତଠାରୁ କମ୍। ଚୀନ୍ ଓ ଭାରତ ହେଉଛି ଦୁଇ ଦେଶ ଯେଉଁଠାରେ ବିଶ୍ବର ଅଧାରୁ ଅଧିକ ସୁନା ବିକ୍ରି ହେଉଛି। ଏହି ଦୁଇ ଦେଶରୁ କୌଣସି ଏକ ଦେଶରେ ଚାହିଦାରେ ହଠାତ୍ ବୃଦ୍ଧି ନିଶ୍ଚିତ ରୂପେ ସୁନା ଦରକୁ ତାହା ପ୍ରଭାବିତ କରିବାର ଶକ୍ତି ରଖିଛି।
Follow Us