ଚିପ୍ କାରଖାନାକୁ ନେଇ ମହାରାଷ୍ଟ୍ରରେ ରାଜନୀତି: ବାଜି ମାରିନେଲା ଗୁଜରାଟ, ପ୍ରଥମେ ମହାରାଷ୍ଟ୍ର ସହ ଏମ୍‌ଓୟୁ ହୋଇଥିଲା

ସରକାର-ବିରୋଧୀ ଦୋଷ ଲଦାଲଦି

ଚିପ୍ କାରଖାନାକୁ ନେଇ ମହାରାଷ୍ଟ୍ରରେ ରାଜନୀତି: ବାଜି ମାରିନେଲା ଗୁଜରାଟ, ପ୍ରଥମେ ମହାରାଷ୍ଟ୍ର ସହ ଏମ୍‌ଓୟୁ ହୋଇଥିଲା

ମୁମ୍ବାଇ: ବେଦାନ୍ତ ଓ ଫକ୍ସକନ୍‌ ଗୁଜରାଟର ଅହମ୍ମଦାବାଦରେ ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଏକ ସେମିକଣ୍ଡକ୍ଟର କାରଖାନା ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ନିବେଶ ହରାଇବା ପରେ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ ଦୋଷ ଲଦାଲଦି ରାଜନୀତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଏକ୍‌ନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ୍ ସରକାରକୁ ବିରୋଧୀ ଦଳ ଦାୟୀ କରିଛନ୍ତି। କିନ୍ତୁ ସିନ୍ଦେ ସରକାର ପୂର୍ବର ସରକାରଙ୍କୁ ଦାୟୀ କରିଛନ୍ତି।

ଶିବ ସେନାର ଆଦିତ୍ୟ ଠାକ୍‌ରେ କହିଛନ୍ତି ଯେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଏକ ପ୍ରକଳ୍ପକୁ ହରାଇବା ବେଶ ଦୁଃଖଦାୟକ। ମହାରାଷ୍ଟ୍ରରେ ବିଜେପି-ଶିବ ସେନା ମେଣ୍ଟ ସରକାର ଥିବା ବେଳେ ଏକ ସେମିକଣ୍ଡକ୍ଟର ୟନିଟ୍ ସ୍ଥାପନ କରିବା ଲାଗି ୨୦୧୫ ଅଗଷ୍ଟରେ ତାଇୱାନର କଂପାନି ଫକ୍ସକନ୍ ସ‌ହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ୫୦୦ କୋଟି ଡଲାର ନିବେଶରେ ପୁନେଠାରେ ଏହି କାରଖାନା ସ୍ଥାପନ ହେବାର ଥିଲା। ୨୦୧୯ରେ ଫଡ୍‌ନାଭିସ୍ ସରକାର କ୍ଷମତା ହରାଇବା ପରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା। ଫକ୍ସକନ୍‌ର ଦାବିକୁ ପୂରଣ କରିବା ନୂଆ ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟରେ ଅଧିକ ଜମି ଓ ଚୀନ୍ ସହ ସମାନ ନିର୍ମାଣ ଖର୍ଚ୍ଚ ସୁବିଧା ଦେବା ଲାଗି ଫକ୍ସକନ୍ ଦାବି କରିଥିଲା। ଏହି ଦୁଇ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ‌ଆବଶ୍ୟକ ଥିଲା। ଉଭୟ ମହାରାଷ୍ଟ୍ର ଓ କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ବେ ସମସ୍ୟାର ସମାଧାନ ହୋଇପାରିନଥିଲା। ଏହି ମାମଲାରେ ସାହାଯ୍ୟ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ସେ ମଧ୍ୟ ଫକ୍ସକନ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୨୦୧୯ ନିର୍ବାଚନ ବେଳେ ବିଜେପିର ନିର୍ବାଚନ ଇସ୍ତହାରରେ ମଧ୍ୟ ଫକ୍ସକନ୍ କାରଖାନା ସ୍ଥାନ ପାଇନଥିଲା। ମହାରାଷ୍ଟ୍ରରୁ ନିରାଶ ହୋଇଥିବା ଫକ୍ସକନ୍‌କୁ ମନାଇବା ଲାଗି ଗୁଜରାଟ ସରକାର ଉଦ୍ୟମ ଆରମ୍ଭ କରିଥିଲେ ଓ ଶେଷରେ ସଫଳ ମଧ୍ୟ ହୋଇଛନ୍ତି। କଂପାନିକୁ ସବୁ ପ୍ରକାର ସହାୟତା ଦେବା ଲାଗି ଗୁଜରାଟର ଭୂପେନ୍ଦ୍ରଭାଇ ପଟେଲ ସରକାର ପ୍ରତିଶ୍ରୁତି ଦେଇଥି‌ଲେ। ଆଇଏଏସ୍ ଅଧିକାରୀମାନଙ୍କ ଏକ ଉତ୍ସର୍ଗୀକୃତ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ଏହିଭଳି ଭାବେ ଏକ ବୃହତ ପୁଞ୍ଜିନିବେଶକୁ ମହାରାଷ୍ଟ୍ରଠାରୁ ରାଜସ୍ଥାନ ଛଡ଼ାଇ ଆଣିଥିଲା।

ଆଦିତ୍ୟ କହିଛନ୍ତି ଯେ ଏମ୍‌ଭିଏ ସରକାରଙ୍କ ଅମଳରେ ସ୍ବାକ୍ଷର ହୋଇଥିବା ୯୦% ଏମ୍‌ଓୟୁ କାର୍ଯ୍ୟକାରୀ ହୋଇଛି। ଏବେ ଥିବା ସରକାରଙ୍କ ଉପରେ କାହାର ବିଶ୍ବାସ ନାହିଁ। କାହିଁକି ବଡ଼ ପ୍ରକଳ୍ପ ହାତରୁ ଖସିଲା ତାହାକୁ ନେଇ ଅସଲି ମୁଖ୍ୟମନ୍ତ୍ରୀ ଜବାବ ରଖିବା ଉଚିତ ବୋଲି ସେ କହିଛନ୍ତି। ତେବେ ମସ୍କୋ ଗସ୍ତରେ ଥିବା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ କହିଛନ୍ତି ଯେ ଦୁଇ ବର୍ଷ ପର୍ଯ୍ୟନ୍ତ ଗୁଜରାଟ ସହ ଆଲୋଚନା ଚାଲିଥିଲା। ସେହି ସମୟରେ ଥରେ ହେଲେ ମହାରାଷ୍ଟ୍ର ସରକାର କଂପାନିକୁ ଆମନ୍ତ୍ରଣ କରିନଥିଲେ। ବେଦାନ୍ତ ଓ ଫକ୍ସକନ୍‌କୁ ଗୁଜରାଟ ଭଲ ପ୍ରସ୍ତାବ ଦେବାରୁ ସେମାନେ ସେଠାରେ ନିବେଶ କରିବାକୁ ରାଜି ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆମେ ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରି ଆଲୋଚନା କରିଥିଲୁ। ଆହୁରି ଭଲ ପ୍ରସ୍ତାବ ଦେଇଥିଲୁ। ବହୁ ମୁଲଚାଲ ମଧ୍ୟ ହୋଇଥିଲା। କିନ୍ତୁ ଶେଷରେ ସେମାନେ ଗୁଜରାଟରେ ନିବେଶ କରିବାକୁ ସ୍ଥିର କରିଥିଲେ ବୋଲି ଫଡ୍‌ନାଭିସ୍ କହିଛନ୍ତି। ଫକ୍ସକନ୍ କାରଖାନା ଗୁଜରାଟ ଚାଲିଯିବାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଏକ ପ୍ରକଳ୍ପ କିଭଳି ଗୁଜରାଟ ଚାଲିଗଲା ତାହା ବୁଝାପଡ଼ୁନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe