ଭୁବନେଶ୍ୱରରେ କରିହେବ ‘ଚିପ୍’ ପରୀକ୍ଷା, ଛଅ ମାସରେ କାର୍ଯ୍ୟକ୍ଷମ ହେବ ଲ୍ୟାବ୍

ଭୁବନେଶ୍ୱରରେ କରିହେବ ‘ଚିପ୍’ ପରୀକ୍ଷା, ଛଅ ମାସରେ କାର୍ଯ୍ୟକ୍ଷମ ହେବ ଲ୍ୟାବ୍

ଭୁବନେଶ୍ୱର : ଚିପ୍ ପରୀକ୍ଷଣ ପାଇଁ ରାଜ୍ୟର ନିର୍ମାତାମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱରରେ ସେହି ଚିପ୍‌କୁ ପରୀକ୍ଷଣ କରାଯାଇପାରିବ। ସେଥିପାଇଁ ଏକ କ୍ୟାରେକ୍ଟରାଇଜେସନ୍ ଲ୍ୟାବ୍ ସ୍ଥାପନ କରାଯାଇଛି। ଆସନ୍ତା ଛଅ ମାସ ଭିତରେ ତାହା କାର୍ଯ୍ୟକ୍ଷମ ହେବ ବୋଲି ସଫ୍ଟଓୟାର ‌ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଭୁବନେଶ୍ବରର ନିର୍ଦେଶକ ମାନସ ପଣ୍ଡା କହିଛନ୍ତି। ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ (ଓସିଏଫ୍) ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ପଣ୍ଡା ଏହି ସୂଚନା ଦେଇଛନ୍ତି।

publive-image

ଏସ୍‌ଟିପିଆଇ ଏବେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ନିକଟରେ ଦୁଇଟି ନୂଆ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି। ଗୋଟିଏ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ ହୋଇଥିବା ବେଳେ ଆଇଆଇଟି ଭୁବନେଶ୍ବର ସହଯୋଗରେ ଅଗମେଣ୍ଟେଡ୍‌ ରିଅଲଟି ଆଣ୍ଡ୍‌ ଭର୍ଚୁଆଲ୍ ରିଅଲିଟି (ଏଆର୍‌ ଆଣ୍ଡ୍‌ ଭିଆର୍‌)କୁ ନେଇ ଆଉ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି। ନିକଟରେ ଅନୁଷ୍ଠିତ ହୋଇଯାଇଥିବା ନେକ୍ସଟ ଜେନେରେସନ୍ ଇନ୍‌କୁବେସନ ସ୍କିମ୍ (ଏନ୍‌ଜିଆଇଏସ୍‌)ରେ ଓଡ଼ିଶା ୩୦୦ ପାଖାପାଖି ଆବେଦନ ହାସଲ କରିଛି। ଖୁବ୍‌ଶୀଘ୍ର ଏହାର ବିଜେତା ଘୋଷଣା କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି ଯେ ୨୦୨୧ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ପ୍ରତି ଗ୍ରାମ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ପୁଞ୍ଜିନିବେଶ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ରାଜ୍ୟରେ ୭୮୦ରୁ ଅଧିକ ଷ୍ଟାର୍ଟଅପ୍‌ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପାଣ୍ଠି ସହାୟତା ଦିଆଯାଇଥିବା ସେ କହିଛନ୍ତି। ପ୍ରଯୁକ୍ତି କିଭଳି ଦେଶ ଓ କଂପାନିଗୁଡ଼ିକର ପ୍ରଗତିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ତାହା ଉପରେ ଆର୍‌ଆଇଏଲ୍‌ର ଗ୍ରୁପ୍ ସଭାପତି-ଷ୍ଟ୍ରାଟେଜିକ୍ ଏଚ୍‌ଆର୍‌ ବିଜୟ କୁମାର ସାହୁ ଆଲୋକପାତ କରିଛନ୍ତି। ଜିଓ ଇନ୍‌ଫୋକମ୍ ଓ ରିଲାଏନ୍ସ ରିଟେଲ୍‌ ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୂଲ୍ୟ ଅନେକ ଗୁଣା ବୃଦ୍ଧି ପାଇଥିବା ସେ କହିଛନ୍ତି। ଆମେରିକା, ଚୀନ୍ ଓ ଭାରତର ପ୍ରମୁଖ କଂପାନିଗୁଡ଼ିକ କିଭଳି ପ୍ରଯୁକ୍ତି ମାଧ୍ୟମ‌ରେ ବିଲିଅନ୍ ଡଲାର ସଂସ୍ଥାରେ ପରିଣତ ହୋଇଛନ୍ତି ତାହା ସେ ଜଣାଇଥିଲେ। ଓଡ଼ିଶାରେ ରିଲାଏନ୍ସ ରିଟେଲ୍‌ ୨୫,୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଓକାକ୍‌ର ସିଇଓ ମନୋଜ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe