Image Courtesy of TheTimes of India
ଭୁବନେଶ୍ବର: ଅଣ-ବିଦ୍ୟୁତ କ୍ଷେତ୍ରରେ ଲାଗି ରହିଥିବା କୋଇଲା ସଙ୍କଟର ତୁରନ୍ତ ସମାଧାନ କରିବା ଲାଗି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ଲିମିଟେଡ୍ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଚାମ୍ବର ପକ୍ଷରୁ ଏନେଇ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ଅଣ ବିଦ୍ୟୁତ କ୍ଷେତ୍ର ଲାଗି ଦୈନିକ ଅତିକମ୍ରେ ୨୫ରୁ ୩୦ କୋଇଲା ରେକ୍ର ବ୍ୟବସ୍ଥା କରିବା ଲାଗି ଚାମ୍ବର ପକ୍ଷରୁ ନିବେଦନ କରାଯାଇଛି। ରେଳ ଓ ସଡ଼କ ପଥରେ ଯୋଗାଇ ଦିଆଯାଉଥିବା କୋଇଲା ଯୋଗାଣ ହ୍ରାସ କରିବା ଲାଗି କୋଲ୍ ଇଣ୍ଡିଆ ନୋଟିସ୍ ପଠାଇବା ପରେ ରାଜ୍ୟରେ ଥିବା କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ (ସିପିପି)ଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କୌଣସି ଅଗ୍ରମୀ ସୂଚନା ବିନା କଂପାନି ଏଭଳି ନୋଟିସ୍ ପଠାଇଥିବାରୁ ସ୍ଥିତିର ମୁକାବିଲା ଲାଗି ସମୟ ମିଳିନାହିଁ ବୋଲି ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବରରୁ ଫେବ୍ରୁଆରି ସମୟ ଖଣ୍ଡ ମଧ୍ୟରେ ଅଣ ବିଦ୍ୟୁତ କ୍ଷେତ୍ରକୁ କୋଇଲା ଯୋଗାଣ ୧୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ବିଦ୍ୟୁତ କ୍ଷେତ୍ରକୁ ଯୋଗାଣ ୧୧ ପ୍ରତିାତ ବଢ଼ିଛି। ଏବେ ଅଣ ବିଦ୍ୟୁତ କ୍ଷେତ୍ର ଲାଗି ଦୈନିକ ଯୋଗାଣକୁ ୩.୬ ଲକ୍ଷ ଟନ୍ରୁ ୨.୭୫ ଲକ୍ଷ ଟନ୍କୁ ହ୍ରାସ କରାଯାଇଛି। ଫଳରେ କୋଇଲା ଯୋଗାଣ ଓ ଚାହିଦାରେ ବଡ଼ ଧରଣର ଅନ୍ତର ସୃଷ୍ଟି ହୋଇଛି। ସିପିପିଗୁଡ଼ିକ ନିରବଚ୍ଛିନ୍ନ କୋଇଲା ଯୋଗାଣ ଉପରେ ଅତ୍ୟନ୍ତ ନିର୍ଭରଶୀଳ ରହିଛନ୍ତି। ସେଥିରେ କୌଣସି ହ୍ରାସ ହେଲେ ତାହାର ସିଧାସଳଖ ପ୍ରଭାବ ଉତ୍ପାଦନ, ଆନୁଷଙ୍ଗିକ ଶିଳ୍ପ ଉପରେ ପଡ଼ୁଛି। ଏହାର ପ୍ରଭାବରେ ଗ୍ରାହକମାନଙ୍କ ଲାଗି ବିଭିନ୍ନ ସାମଗ୍ରୀର ଦର ବଢ଼ୁଛିି ବୋଲି ଶ୍ରୀ ମିଶ୍ର କହିଛନ୍ତି।
Follow Us