Image Courtesy of TheTimes of India
ଭୁବନେଶ୍ବର: ଓଡ଼ିଶାରେ ଦେଖାଦେଇଥିବା କୋଇଲା ସଙ୍କଟ ଦୂର କରିବା ଲାଗି ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍ମି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଓସ୍ମିର ମହାସଚିବ ସାତ୍ତ୍ବିକ ସ୍ବାଇଁ ଜଣାଇଛନ୍ତି ଯେ ୨୦୨୧ ଅଗଷ୍ଟ ପରଠାରୁ କୋଇଲା ସଙ୍କଟ ଲାଗି ରହିଛି। ଏହାର ପ୍ରଭାବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଅଣ-ବିଦ୍ୟୁତ କ୍ଷେତ୍ରରୁ କୋଇଲା ଯୋଗାଣ କମ୍ କରାଯାଇଥିବାରୁ ରାଜ୍ୟରେ ଏହି ସମସ୍ୟା ଦେଖାଦେଇଛି। ଏହି କ୍ଷେତ୍ରରେ ମୁଖ୍ୟତଃ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ (ସିପିପି)ଗୁଡ଼ିକ ରହିଛନ୍ତି। ସ୍ଥିତି ସ୍ବାଭାବିକ କରିବା ଲାଗି ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସଙ୍କଟ ଦ୍ବାରା ୫୦୦୦ ଏମ୍ଏସ୍ଏମ୍ଇ ବନ୍ଦ ହେବାର ଆଶଙ୍କା ରହିଛି। ସ୍ଥାନୀୟ ସିପିପିଗୁଡ଼ିକୁ ତୁରନ୍ତ ଉପଯୁକ୍ତ କୋଇଲା ଓ ରେକ୍ ଯୋଗାଣ ଆରମ୍ଭ କରିବାକୁ ସେ ନିବେଦନ କରିଛନ୍ତି। ଓଡ଼ିଶାରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଉତ୍ପାଦନ କରୁଥିବା ୧୨୯ ନିୟୁତ ଟନ୍ କୋଇଲା ମଧ୍ୟରୁ ୫୪% କୋଇଲା ରାଜ୍ୟ ବାହାରକୁ ପଠାଇ ଦିଆଯାଉଛି। ରାଜ୍ୟରେ ଥିବା ସିପିପିଗୁଡ଼ିକର ବାସ୍ତବ ଆବଶ୍ୟକତା ୬୫% ଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୪୬% କୋଇଲା ରହୁଛି। କୋଇଲାର ଏଭଳି ଉତ୍କଟ ଅଭାବ ମାନୁଫାକ୍ଚରିଂ ଶିଳ୍ପ ପ୍ରତି ବିପଦ ସୃଷ୍ଟି କରିଥିବା ଓସ୍ମି ପକ୍ଷରୁ କୁହାଯାଇଛି।
Follow Us