Image Courtesy of ETEnergy World
ନୂଆଦିଲ୍ଲୀ: ଆଲୁମିନିୟମ୍ ଶିଳ୍ପରେ ଦେଖାଦେଇଥିବା କୋଇଲା ସଙ୍କଟ ଏହି କ୍ଷେତ୍ର ଉପରେ ନିର୍ଭୀଶୀଳ ଥିବା ୫୦୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏସ୍ଏମ୍ଇ) ପ୍ରତି ବିପଦ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ ୧୦୦୦ରୁ ଅଧିକ ସଂସ୍ଥା ବୃହତ ଆଲୁମିନିୟମ୍ ଉତ୍ପାଦନକାରୀଙ୍କ ଯୋଗାଣ ଶୃଙ୍ଖଳ ଓ ଆନୁଷଙ୍ଗିକ ବ୍ୟବସ୍ଥା ସହ ଯୋଡ଼ି ହୋଇ ରହିଥିବା ବେଳେ ପ୍ରାୟ ୪୦୦୦ ସଂସ୍ଥା ଆନୁଷଙ୍ଗିକ ଆଲୁମିନିୟମ୍ ଉତ୍ପାଦ ଓ ବଣ୍ଟନ ସହ ଜଡ଼ିତ ରହିଛନ୍ତି। ଏହି ସବୁ ସଂସ୍ଥା ଓ ସେଥିରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଲୋକଙ୍କ ଜୀବିକା ବଞ୍ଚାଇବା ଲାଗି ଆଲୁମିନିୟମ୍ ଶିଳ୍ପର କୋଇଲା ସମସ୍ୟାକୁ ତୁରନ୍ତ ସମାଧାନ କରିବା ଲାଗି ଦୁଇଟି ସଂଘ ସରକାରଙ୍କୁ ନିବେଦନ କରିଛନ୍ତି। ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ୍ ଭାଲ୍ୟୁ ଚେନ୍ କାଉନ୍ସିଲ୍ (ଆଇଆଇଭିସିସି) ଓ ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ଏହି ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଏଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖାଯାଇଛି। ଉଭୟ ସଂଘ ପକ୍ଷରୁ କୁହାଯାଇଛି ଯେ ଆଲୁମିନିୟମ୍ ତିଆରି କରିବା ଲାଗି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିହାତି ଜରୁରୀ। ସେଥିପାଇଁ ପ୍ରତି ଆଲୁମିନିୟମ୍ କାରଖାନାର ନିଜସ୍ବ ପାୱାର ପ୍ଲାଣ୍ଟ୍ ରହିଛି।
ଏହି ଧାତବ ପଦାର୍ଥ ଉତ୍ପାଦନ ଏକ ନିରନ୍ତର ପ୍ରକ୍ରିୟା। ଯଦି ଦୁଇ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ବିଭ୍ରାଟ ଦେଖାଦେବ ତେବେ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ପୁଣି ଥରେ କାରଖାନା ଚାଲୁ କରିଥିବା ଲାଗି ଅତିକମ୍ରେ ଛଅ ମାସ ସମୟ ଦରକାର। ସେଭଳି ସ୍ଥିତି ଉପୁଜିଲେ ସଂସ୍ଥା ବିପୁଳ କ୍ଷତି ସହିବ।ଆଲୁମିନିୟମ୍ କଂପାନିଗୁଡ଼ିକ ପାଖରେ ଏବେ ଯେତିକି କୋଇଲା ରହିଛି ତାହା ଅତିବେଶିରେ ସେମାନଙ୍କ ଦେଢ଼ ଦିନରୁ ୩ ଦିନର ଆବଶ୍ୟକତା ପୂରଣ କରିପାରିବ। କୋଇଲା ସଙ୍କଟର ତ୍ବରିତ ସମାଧାନ ନକଲେ ଏହି ଶିଳ୍ପ ଉପରେ ନିର୍ଭରଶୀଳ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି ହେବ। ବ୍ୟାଙ୍କଗୁଡ଼ିକର ଲକ୍ଷେ କୋଟି ଟଙ୍କାରୁ ଅଧିକ ଋଣ ସଙ୍କଟରେ ଫସିଯିବ। ସେହିପରି, କୋଇଲା ଆମଦାନି କରାଗଲେ ଦେଶର ୯୦ ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା ଅପଚୟ ହେବ। ତେଣୁ ତୁରନ୍ତ ଏହି ମାମଲାର ସମାଧାନ କରିବା ଏବଂ ଆବଶ୍ୟକ ପରିମାଣର ରେକ୍ ଯୋଗାଇ ଦେବାକୁ ସରକାରଙ୍କୁ ଉଭୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
Follow Us