ମାସେ ପର୍ଯ୍ୟନ୍ତ କୋଇଲା ମହଜୁଦ: ୨୦୨୨-୨୩ରେ ୭୭୭.୨୩ ନିୟୁତ ଟନ୍ ଉତ୍ତୋଳନ

ଝାରସୁଗୁଡ଼ାରେ କୋଇଲା ବାଷ୍ପୀକରଣ କାରଖାନା: କୋଲ୍‌ ଇଣ୍ଡିଆ ଓ ଭେଲ୍‌ ସ୍ଥାପନ କରିବେ

Image Courtesy of TheTimes of India

ନୂଆଦିଲ୍ଲୀ: ଦେଶରେ କୋଇଲାର କୌଣସି ଅଭାବ ନାହିଁ। ପର୍ଯ୍ୟାପ୍ତ ପରିମାଣର କୋଇଲା ମହଜୁଦ ରହିଛି। କୋଲ୍ ଇଣ୍ଡିଆ ଲିମିଟେଡ, ସିଙ୍ଗାରେନି ‌କୋଲିଆରିଜ୍ କମ୍ପାନି ଲିମିଟେଡ, କୋଲ୍ ୱା‌ସେରିଜ୍ ଆଦି ଗୁଡ଼ିକରେ ୭୨.୫୦ ନିୟୁତ ଟନ୍ କୋଇଲା ମହଜୁଦ ଅଛି। ତାପଜ ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକ ନିକଟରେ ୨୨.୦୧ ନିୟୁତ ଟନ୍ କୋଇଲା ରହିଛି। ଏସବୁ କୋଇଲା ମାସେ ପର୍ଯ୍ୟନ୍ତ ଯିବ। ଦେଶରେ ରେକର୍ଡ କୋଇଲା ଉତ୍ତୋଳନ ହୋଇଥିବାରୁ ପ୍ରତିଦିନ ଯେତିକି କୋଇଲା ଉପଯୋଗ ହେଉଛି ତାହାକୁ ଭରଣା କରାଯାଉଛି ବୋଲି କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୦-୨୧ରେ ଦେଶରେ ୭୧୬ ନିୟୁତ ଟନ୍ କୋଇଲା ଉତ୍ତୋଳନ ହୋଇଥିଲା। ୨୦୨୧-୨୨ରେ କିନ୍ତୁ କୋଇଲା ଉତ୍ତୋଳନ ୭୭୭.୨୩ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ଅର୍ଥାତ୍ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଦେଶରେ ୮.୫୫ ପ୍ରତିଶତ ଅଧିକ କୋଇଲା ଉତ୍ତୋଳନ ହୋଇଛି। କୋଲ୍ ଇଣ୍ଡିଆ ଲିମିଟେଡର କୋଇଲା ଉତ୍ତୋଳନ ଆଲୋଚ୍ୟ ବର୍ଷରେ ୪.୪୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦-୨୧ରେ କୋଲ୍ ଇଣ୍ଡିଆ ଲିମିଟେଡ ୫୯୬.୨୪ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିଥିଲା। ୨୦୨୧-୨୨ରେ କୋଲ୍ ଇଣ୍ଡିଆ ଲିମିଟେଡର ‌କୋଇଲା ଉତ୍ତୋଳନ ୬୨୨.୬୪ ନିୟୁତ ଟନକୁ ବୃଦ୍ଧି ପାଇଛି। ସିଙ୍ଗାରେନି କୋଲିଆରିଜ୍‌ କମ୍ପାନି ଲିମିଟେଡର କୋଇଲା ଉତ୍ତୋଳନ ଏହି ସମୟ ମଧ୍ୟରେ ୨୮.୫୫ ପ୍ରତିଶତ ବୃଦ୍ଧି ଘଟି ୬୫.୦୨ ନିୟୁତ ଟନରେ ପହଞ୍ଚିଛି। ଏଥିସହିତ କ୍ୟାପ୍ଟିଭ ମାଇନ୍ସ ଗୁଡ଼ିକର କୋଇଲା ଉତ୍ତୋଳନ ୮୯.୫୭ ନିୟୁତ ଟନକୁ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ୬୯.୧୮ ନିୟୁତ ଟନ୍ ରହିଥିଲା। ୨୦୨୦-୨୧ରେ ମୋଟ କୋଇଲା ପ୍ରେରଣ ୬୯୦.୭୧ ନିୟୁତ ଟନ୍ ରହିଥିଲା। ୨୦୨୧-୨୨ରେ ଏହା ୮୧୮.୦୪ ନିୟୁତ ଟନକୁ ବୃଦ୍ଧି ପାଇଛି। ଅର୍ଥାତ୍ କୋଇଲା ପ୍ରେରଣରେ ୧୮.୪୩% ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe