ନୂଆଦିଲ୍ଲୀ: ପିଏନ୍ବି ଜାଲିଆତି ଭଳି ବଡ଼ ଧରଣର ଠକେଇକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ବିଭିନ୍ନ କଂପାନିର ନିବେଶକଭାବେ କାମ କରୁଥିବା ସମସ୍ତ ଲୋକଙ୍କ ପାସ୍ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାରବିମର୍ଶ ଚାଲିଛି। ସବୁ ନିର୍ଦେଶକମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦେଶକ ପରିଚୟ ନମ୍ବର (ଡିଆଇଏନ୍) ଥିବା ସବୁ ବ୍ୟକ୍ତିଙ୍କ ପାସ୍ପୋର୍ଟ ତଥ୍ୟ ହାସଲ କରାଯିବ। ଯେଉଁମାନଙ୍କ ପାଖରେ ପାସ୍ପୋର୍ଟ ନଥିବ ସେମାନଙ୍କୁ ସେ ବିଷୟରେ ଜଣାଇବା ପାଇଁ ଏକ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶକମାନଙ୍କୁ ୮ ସଂଖ୍ୟା ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଏହି ନମ୍ବର ଦେବା ପୂର୍ବରୁ ନୂଆ ନିର୍ଦେଶକମାନଙ୍କ ପାସ୍ପୋର୍ଟ ତଥ୍ୟ ପ୍ରଥମେ ହାସଲ କରାଯିବ। ଡିଆଇଏନ୍ ଆବେଦନ ଫର୍ମରେ ପାସ୍ପୋର୍ଟ ବିବରଣୀ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ।
ବ୍ୟବସ୍ଥା ସୁଦୃଢ଼ କରିବ ପିଏନ୍ବି
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ଅଂଶୀଦାରମାନଙ୍କ ଏକ ବୈଠକ ବ୍ୟାଙ୍କର ଦ୍ୱାରିକାସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବ୍ୟାଙ୍କର ପରିଚାଳନାକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଠକେଇ ଭଳି ସମସ୍ୟାକୁ ଅଟକାଇବା ପାଇଁ ବ୍ୟାଙ୍କ ଏହାର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ନିୟମିତ ବ୍ୟବଧାନରେ ନିଜ ଅଡିଟର୍ମାନଙ୍କ ଜରିଆରେ ଯାଞ୍ଚ ଜାରି ରଖିବ। ଆବଶ୍ୟକ ପଡ଼ିଲେ ବାହ୍ୟ ଅଡିଟର୍ ମଧ୍ୟ ନିଯୁକ୍ତ କରିବ।
Follow Us