କୃଷି ଋଣରେ ବ୍ୟାବସାୟିକ ବ୍ୟାଙ୍କ ପଛୁଆ

କୃଷି ଋଣରେ ବ୍ୟାବସାୟିକ ବ୍ୟାଙ୍କ ପଛୁଆ

ଭୁବନେଶ୍ବର: କୃଷି ଋଣ ଦେବା କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ଏତେଟା ତତ୍ପରତା ଦେଖାଉନାହାନ୍ତି। ସେଥିପାଇଁ ଜାତୀୟ ହାର ଠାରୁ ଓଡ଼ିଶା ପଛରେ ରହିଛି। ଆଜି କୃଷି ଭବନରେ ବ୍ୟାଙ୍କ ଅଧିକାରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ଋଣ ଦେବାରେ ତତ୍ପରତା ଦେଖାଇବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ନିଜ ମୋଟ ଋଣର ୧୭% କୃଷି କ୍ଷେତ୍ରକୁ ଦେବା କଥା। ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା, ତାମିଲନାଡୁ ଓ ପଞ୍ଜାବ ଆଦି ରାଜ୍ୟ ତୁଳନାରେ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ କମ୍ ପରିମାଣର କୃଷି ଋଣ ଦେଉଛନ୍ତି। ରାଜ୍ୟରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲାଗି ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାର ଋଣକୁ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍‌ ସହ ଯୋଡ଼ିବାକୁ ଶ୍ରୀ ସାହୁ କହିଛନ୍ତି। ଏହି ଯୋଜନାରେ ଅନୁମୋଦିତ ପ୍ରକଳ୍ପ ସଂଖ୍ୟାକୁ ୬୨ରୁ ୯୨କୁ ବୃଦ୍ଧି କରାଯାଇଥିବା ବେଳେ ଯୋଜନାକୁ ସରଳୀକୃତ କରାଯାଇଛି। ଜମି ମାଲିକାନାରେ କୋହଳ ନୀତି ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀକୁ ଏହି ଯୋଜନାରେ ସାମିଲ କରାଯାଇଛି। କେଜ୍ କଲ୍‌ଚର୍‌, ମାଛଧରା ଟ୍ରଲର୍‌ ଓ ବାୟୋଫ୍ଲକ୍ ପଦ୍ଧତି ମାଛଚାଷକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନା ପାଇଁ ଚଳିତ ବର୍ଷ ଯେଉଁ ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ସେଥିମଧ୍ୟରୁ ଅତ୍ୟାବଧି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସବ୍‌ସିଡି ଦିଆଯାଇସାରିଲାଣି ବୋଲି କୃଷିମନ୍ତ୍ରୀ କହିଛନ୍ତି।

ଏହି ଯୋଜନାରେ ୫୦୦ ଉଦ୍ୟୋଗ ସ୍ଥାପନ କରିବା ଲାଗି ୨୦୦ କୋଟି ଟଙ୍କାର ଋଣ ଦେବା ପାଇଁ ବ୍ୟାଙ୍କଗୁଡ଼ିକ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜାତୀୟକରଣ ବ୍ୟାବସାୟିକ ବ୍ୟାଙ୍କ ନିମନ୍ତେ ୩୨୪, ଘରୋଇ ବ୍ୟାଙ୍କ ପାଇଁ ୬୮, ଗ୍ରାମୀଣ ବ୍ୟାଙ୍କ ପାଇଁ ୪୨ ଓ ସମବାୟ ବ୍ୟାଙ୍କ ପାଇଁ ୬୬ଟି ପ୍ରକଳ୍ପ ରହିଛି। ଏହି ଅବସରରେ ଶ୍ରୀ ସାହୁ ନିଆଳି, ବରଗଡ଼, ପାଇକମାଳ ଓ ଆଠମଲ୍ଲିକର ଉଦ୍ୟୋଗୀମାନଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା ହୋଇଥିଲେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବନ୍ଧକ ଆବଶ୍ୟକ ନଥିବା ବେ‌ଳେ ବ୍ୟାଙ୍କଗୁଡ଼ିକ ସେହି ସର୍ତ୍ତ ରଖୁଥିବା ବିଷୟ ପ୍ରତି ମନ୍ତ୍ରୀ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe