Image Courtesy of Business Today
ନୂଆଦିଲ୍ଲୀ: ସରକାରୀ ତେଲ ଏବଂ ଗ୍ୟାସ୍ କମ୍ପାନିଗୁଡ଼ିକ ଆଜି ବାଣିଜ୍ୟିକ ଏଲ୍ପିଜି ଦାମ୍ ହ୍ରାସ କରିଛନ୍ତି। ଦିଲ୍ଲୀରେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୬୯ ଟଙ୍କା ୫୦ ପଇସା ହ୍ରାସ ଘଟି ୧୬୭୬ ଟଙ୍କା ହୋଇଛି। ଏହା ପୂର୍ବରୁ ମେ ମାସ ୧ ତାରିଖରେ ବାଣିଜ୍ୟିକ ଏଲ୍ପିଜି ଦାମ୍ ୧୯ ଟଙ୍କା ହ୍ରାସ କରାଯାଇଥିଲା। ଫଳରେ ଦିଲ୍ଲୀରେ ଏହାର ଦାମ୍ ୧୭୪୫ ଟଙ୍କା ୫୦ ପଇସା ଥିଲା। ଭୁବନେଶ୍ବରରେ ପୂର୍ବରୁ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ୍ ୧୮୯୬ ଟଙ୍କା ଥିବାବେଳେ ଆଜି ଏହା ୧୮୨୪ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି। ଅର୍ଥାତ୍ ଭୁବନେଶ୍ବରରେ ଏହି ଦାମ୍ ୭୧ ଟଙ୍କା ୫୦ ପଇସା କମିଛି। କୋଲକାତାରେ ବାଣିଜ୍ୟିକ ଏଲ୍ପିଜି ଦାମ ୧୭୮୭ ଟଙ୍କା ଥିବାବେଳେ ମୁମ୍ବାଇରେ ୧୬୨୯ ଟଙ୍କା ଏବଂ ଚେନ୍ନାଇରେ ୧୮୪୦ ଟଙ୍କା ୫୦ ପଇସା ରହିଛି।
ଅନ୍ତର୍ଜାତୀୟ ବଜାରରେ ଇନ୍ଧନର ହାରାହାରି ମୂଲ୍ୟ ଏବଂ ଟଙ୍କା ତୁଳନାରେ ଡଲାରର ବିନିମୟ ମୂଲ୍ୟକୁ ଭିତ୍ତିକରି ରାଷ୍ଟ୍ରାୟତ୍ତ ତେଲ ଓ ଗ୍ୟାସ୍ କମ୍ପାନି ଭାରତୀୟ ତୈଳ ନିଗମ ଲିମିଟେଡ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପ୍ରତିମାସ ଆରମ୍ଭରେ ଗ୍ୟାସ ଦାମ୍ରେ ସଂଶୋଧନ କରିଥାନ୍ତି। ତେବେ ସ୍ଥାନୀୟ ଟିକସ ଆଧାରରେ ଏହି ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ। ସେହିଭଳି ବିମାନ ଇନ୍ଧନ ମୂଲ୍ୟ ମଧ୍ୟ ତୈଳ କମ୍ପାନିଗୁଡ଼ିକ ୬.୫ ପ୍ରତିଶତ ହ୍ରାସ କରିଛନ୍ତି। ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ଦର ୬୬୭୩.୮୭ ଟଙ୍କା ହ୍ରାସ ଫଳରେ ଏହା ୯୪,୯୬୯.୦୧ ଟଙ୍କା ରହିଛି। ଏହା ପୂର୍ବରୁ ମେ ମାସ ୧ ତାରିଖରେ ବିମାନ ଇନ୍ଧନ ଦାମ୍ କିଲୋଲିଟର ପିଛା ୭୪୯ ଟଙ୍କା ୨୫ ପଇସା ହ୍ରାସ ଘଟିଥିଲା।
Follow Us