Image Courtesy of India Today
ନୂଆଦିଲ୍ଲୀ, ୧/୧୧: ଆଜି ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଏଲ୍ପିଜି ମୂଲ୍ୟରେ ୨୬୬ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ଦିଲ୍ଲୀରେ ସିଲିଣ୍ଡର ପିଛା ଦାମ୍ ୨୦୦୦ ଟଙ୍କା ଅତିକ୍ରମ କରିଛି। ପୂର୍ବରୁ ଏହି ସିଲିଣ୍ଡର ଦାମ୍ ୧୭୩୪ ଟଙ୍କା ଥିଲା। ଅବଶ୍ୟ ଏଥର ସାଧାରଣ ଲୋକମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ହୋଇଥିବାରୁ ଆଗାମୀ ଦିନରେ ବାହାରେ ଖାଇବା ମହଙ୍ଗା ହେବ। କାରଣ ଏହି ସିଲିଣ୍ଡରକୁ ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ ବ୍ୟବହାର କରୁଛନ୍ତି। ଏକାଥରେ ସିଲିଣ୍ଡର ଦାମ୍ରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ସେମାନଙ୍କ ଖର୍ଚ୍ଚ ବଢ଼ାଇବ। ତାହାକୁ ଭରଣା କରିବା ଲାଗି ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ ଖାଦ୍ୟ ଦାମ୍ ବଢ଼ାଇପାରିବ ବୋଲି ଅନୁମାନ କରାଯାଉଛି।
ଘରେ ଘରେ ବ୍ୟବହାର ହେଉଥିବା ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଦାମ୍ ଯଦିଓ ବଢ଼ିନାହିଁ, କିନ୍ତୁ ତାହାର ଦାମ୍ ଏବେ କେତେକ ସ୍ଥାନରେ ୯୬୧ ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି। ଅନେକ ପରିବାର ସିଲିଣ୍ଡର କିଣିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ଅହେତୁକ ବୃଦ୍ଧି ସହିତ ବାରମ୍ବାର ଏଲ୍ପିଜି ମୂଲ୍ୟ ବଢ଼ିବା ଓ ନିକଟରେ ପନିପରିବା ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଥିବାରୁ ପରିବାରଗୁଡ଼ିକର ବଜେଟ୍ ବିଗିଡ଼ିଗଲାଣି। ଯେହେତୁ ଆନ୍ତର୍ଜାତିକ ବଜାରରେ ଟନ୍ ପିଛା ଏଲ୍ପିଜି ଦାମ୍ ୮୦୦ ଡଲାରରୁ ଉଚ୍ଚ ସ୍ତରରେ ରହିଛି ତେଣୁ ନିକଟ ଭବିଷ୍ୟତରେ ଦାମ୍ ହ୍ରାସ ପାଇବାର ସମ୍ଭାବନା ନାହିଁ ବୋଲି କୁହାଯାଇପାରିବ। କୁହାଯାଉଛି ଯେ ଦୀପାବଳି ଥିବାରୁ ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଦାମ ବୃଦ୍ଧି କରାଯାଇନାହିଁ। ଚଳିତ ମାସର ଦ୍ବିତୀୟ ପକ୍ଷରେ ଏହାର ଦାମ୍ ବଢ଼ିବାର ଆଶଙ୍କା ରହିଛି। ଏବେ ଦେଶର ତିନି ସରକାର ତୈଳ କଂପାନି ଇଣ୍ଡିଆନ ଅଏଲ୍, ଏଚ୍ପି ଓ ବିକି ବଜାର ଦାମ୍ ଠାରୁ କମ୍ ମୂଲ୍ୟରେ ଏଲ୍ପିଜି ବିକ୍ରି କରୁଥିବାରୁ କ୍ଷତି ସହୁଛନ୍ତି। ଯେହେତୁ ଏଲ୍ପିଜି ଉପରେ ସରକାର କଂପାନିଗୁଡ଼ିକୁ ସବ୍ସିଡି ଦେଉନାହାନ୍ତି ତେଣୁ କ୍ଷତି ଭରଣା ଲାଗି ସେମାନଙ୍କ ପାଖରେ ଦରବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ତେଲେଙ୍ଗାନା ଏଲ୍ପିଜି ବିତରକ ସଂଘର ସଭାପତି କେ ଜଗନ ମୋହନ ରେଡ୍ଡି କହିଛନ୍ତି।
କେନ୍ଦ୍ର ସରକାର ଏଲ୍ପିଜି ବିତରକମାନଙ୍କ କମର୍ସିଆଲ ସିଲିଣ୍ଡର ପିଛା କମିସନ ୧୭ ଟଙ୍କା ବୃଦ୍ଧି ଘୋଷଣା କରିଥିବାରୁ ତାହା ୧୩୮ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ସିଲିଣ୍ଡର ପିଛା କମିସନ ୧୨୧ ଟଙ୍କା ଥିଲା। ଏଥର କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ହୋଇଥିବା ବୃଦ୍ଧିରେ କମିସନକୁ ମଧ୍ୟ ବିଚାରକୁ ନିଆଯାଇଥିବା ଅନୁମାନ କରାଯାଉଛି। ଷ୍ଟକ କିଣିବା ଲାଗି ବିତରକମାନେ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରୁଥିବାରୁ ସେମାନଙ୍କ ଲାଗି କମିସନ୍ ବୃଦ୍ଧି କରାଯାଇଛି।
Follow Us