ଶସ୍ତା ହେବ ସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ

ଚଳିତ ସପ୍ତାହରେ କମିବ ଜିଏସ୍‌ଟି

ଶସ୍ତା ହେବ ସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍‌ଟି ପରିଷଦର ୨୩ତମ ବୈଠକ ଆସନ୍ତା ୯ ତାରିଖରେ ଗୌହାଟିରେ ହେବ। ଏହି ଦୁଇ ଦିନିଆ ବୈଠକରେ ପରିଷଦ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଜିଏସ୍‌ଟି ହାର କମ୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏଠାରେ ଆୟୋଜିତ ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଆସନ୍ତା ଜିଏସ୍‌ଟି ପରିଷଦ ବୈଠକରେ ଟିକସ ହାରରେ ଆହୁରି ସୁଧାର ଅଣାଯିବ ବୋଲି ସଙ୍କେତ ଦେଇଛନ୍ତି। ମୋଦି କହିଛନ୍ତି ଆସନ୍ତା ୯ ଓ ୧୦ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଯଦି କୌଣସି ରାଜ୍ୟ ସମସ୍ୟା ସୃଷ୍ଟି ନକରନ୍ତି ତାହେଲେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଓ ବାଣିଜ୍ୟ ଜଗତକୁ ନୂଆ ଶକ୍ତି ଦେବାଲାଗି ଯେଉଁ ସୁଧାର ଆବଶ୍ୟକ ତାହା କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଏ ପ୍ରକାର ମନ୍ତବ୍ୟରୁ ଜଣାପଡ଼ୁଛି, ଜିଏସ୍‌ଟି ପରିଷଦ ଆଗାମୀ ବୈଠକରେ ଆହୁରି କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଟିକସ ହାରକୁ ହ୍ରାସ କରିବ। ଏଥିରେ ହାତ ତିଆରି ଫର୍ଣ୍ଣିଚର, ପ୍ଲାଷ୍ଟିକ୍‌ ଉତ୍ପାଦ ଏବଂ ସାମ୍ପୁ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି। ଜଣେ ସରକାରୀ ଅଧିକାରୀ ମଧ୍ୟ ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି କେତେକ ସାଧାରଣ ବ୍ୟବହୃତ ସାମଗ୍ରୀ ଉପରେ ୨୮% ଜିଏସଟି ଆଦାୟ କରାଯାଉଛି। ଏଗୁଡ଼ିକର ଜିଏସ୍‌ଟି ହାର ହ୍ରାସ ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ଅନ୍ୟ କେତେକ ସାମଗ୍ରୀର ଜିଏସ୍‌ଟି ହାରକୁ ମଧ୍ୟ କମାଯିବାର ସମ୍ଭାବନା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ପୂର୍ବର ପରୋକ୍ଷକର ବ୍ୟବସ୍ଥାରେ ଯେଉଁସବୁ ସାମଗ୍ରୀକୁ ଟିକସ ପରିସରରୁ ବାଦ୍‌ ଦିଆଯାଇଥିଲା କିମ୍ବା କମ୍‌ ଟିକସ ହାର ଆଦାୟ କରାଯାଉଥିଲା ଜିଏସ୍‌ଟିରେ ସେଗୁଡ଼ିକର ଟିକସ ହାର ଅଧିକ ରହିଛି। ତେଣୁ ସେସବୁ ସାମଗ୍ରୀର ଜିଏସ୍‌ଟି ହାରକୁ କମ୍‌ କରାଯିବା ଉପରେ ଜିଏସ୍‌ଟି ପରିଷଦ ବିଚାର କରିବ।

୨୮% ଜିଏସ୍‌ଟି ଆଦାୟ ହେଉଥିବା କେତେକ ସାମଗ୍ରୀର ଟିକସ ହାର ୧୮%କୁ କମାଇବା ଆଶା ରହିଛି। ସେଥିରେ ହାତ ତିଆରି ଫର୍ଣ୍ଣିଚର, ଇଲେକ୍‌ଟ୍ରିକ୍‌ ସୁଇଚ୍‌, ପ୍ଲାଷ୍ଟିକ୍‌ ପାଇପ୍‌ ଆଦିର ଟିକସ ହାର ସଂଶୋଧନ ଉପରେ ବିଚାରବିମର୍ଶ କରାଯିବ।

ଜିଏସ୍‌ଟିରେ ସବୁ ପ୍ରକାର ଫର୍ଣ୍ଣିଚରର ଟିକସ ହାର ୨୮% ରହିଛି। ଯଦିଓ କେତେକ ପ୍ଲାଷ୍ଟିକ ସାମଗ୍ରୀ ଉପରେ ୧୮% ଜିଏସ୍‌ଟି ଆଦାୟ କରାଯାଉଛି ତଥାପି ଗାଧୁଆ ଘରେ ଓ ପାଇଖାନାରେ ଲାଗୁଥିବା ବିଭିନ୍ନ ସାନିଟାରି ସାମଗ୍ରୀର ଜିଏସ୍‌ଟି ହାର ୨୮% ରହିଛି। ତେଣୁ ଏସବୁ ସାମଗ୍ରୀର ଜିଏସ୍‌ଟି ସଂଶୋଧନ ଆବଶ୍ୟକତା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏତଦ୍‌ବ୍ୟତୀତ ଓଜନ ମେସିନ୍‌, କମ୍ପ୍ରେସର ଆଦିର ଜିଏସ୍‌ଟି ହାରକୁ ୨୮%ରୁ ୧୮%କୁ କମିବା ସମ୍ଭାବନା ରହିଛି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଦେଢ଼ କୋଟି ଟଙ୍କାରୁ କମ୍‌ ସାମଗ୍ରୀ ନିର୍ମାଣ କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ପାଦନ ଶୁଳ୍କ ଛାଡ଼ କରାଯାଇଥିଲା। ଫଳରେ ଏସବୁ ମେସିନ୍‌ ଉପରେ କେବଳ ୧୪.୫% ଭାଟ୍‌ ଲାଗୁ ହେଉଥିଲା। ସେହିଭଳି କମ୍ପ୍ରେସର ଉପରେ ଜିଏସ୍‌ଟି ପୂର୍ବରୁ ଟିକସ ହାର ୧୭.୫% ରହିଥିଲା। ଏଥିରେ ୧୨.୫% ଉତ୍ପାଦନ ଶୁଳ୍କ ଏବଂ ୫% ଭାଟ୍‌ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe