ହ୍ବାଟସ୍‌ଆପ୍‌ ଉପରେ ସରକାରଙ୍କ ନଜର, କଂପାନି ଅଧିକାରୀଙ୍କୁ ଡକାଯିବ

Advertisment

ସରକାରଙ୍କ ସବୁ ପ୍ରଶ୍ନର ଉତ୍ତର ଦେବୁ: ହ୍ବାଟସ୍‌ଆପ୍

ସରକାରଙ୍କ ସବୁ ପ୍ରଶ୍ନର ଉତ୍ତର ଦେବୁ: ହ୍ବାଟସ୍‌ଆପ୍

ହ୍ବାଟସ୍‌ଆପ୍‌ ଉପରେ ସରକାରଙ୍କ ନଜର, କଂପାନି ଅଧିକାରୀଙ୍କୁ ଡକାଯିବ

photo--xda developers

ନୂଆଦିଲ୍ଲୀ: ‌ମାର୍କ ଜୁକରବର୍ଗଙ୍କ ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ଆପ୍ ଯେଉଁ ନୂଆ ଗୋପନୀୟତା ନୀତି ଜାରି କରିଛି ତାହା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫେସ୍‌ବୁକ୍‌ ସହ ତଥ୍ୟ ବାଣ୍ଟିବା ଲାଗି ହ୍ବାଟସ୍‌ଆପ୍ ଗ୍ରାହକଙ୍କ ଅନୁମତି ଲୋଡ଼ିଛି। ଯେଉଁମାନେ ଏହି ସର୍ତ୍ତରେ ରାଜି ନହେବେ ସେମାନେ ଫେବ୍ରୁଆରି ୮ ପରଠାରୁ ହ୍ବାଟସ୍‌ଆପ୍ ବ୍ୟବହାର କରିପାରିବେ ନାହିଁ। ଏହି ନୀତି ଫେସବୁକ୍ ସହିତ ତଥ୍ୟ ବାଣ୍ଟିବାକୁ ହ୍ବାଟସ୍‌ଆପ୍ ବ୍ୟବହାରକାରୀମାନଙ୍କୁ ବାଧ୍ୟ କରୁଥିବା କୁହାଯାଇଛି। ହ୍ବାଟସ୍‌ଆପ୍ ଏହାର ନୂଆ ଗୋପନୀୟତା ନୀତି ଜାରି କରିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଏହା ବିତର୍କର ବିଷୟ ହୋଇଛି।

ବିଶ୍ବସ୍ତରୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ମଧ୍ୟ ହ୍ବାଟସ୍‌ଆପ୍ ଛାଡ଼ି ସିଗ୍‌ନାଲ୍ ନାମକ ଏକ ଆପ୍ ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଭାରତର ଉଦ୍ୟୋଗ ଜଗତ ମଧ୍ୟ ବେଶ ଚିନ୍ତିତ ହୋଇପଡ଼ିଛି। ହ୍ବାଟସ୍‌ଆପ୍ ଜରିଆ‌ରେ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାନପ୍ରଦାନ କରୁଥିଲେ। ଏବେ ସେମା‌ନେ ଏହାର ବିକଳ୍ପ ସନ୍ଧାନ କରୁଛନ୍ତି। ବିଭିନ୍ନ ବର୍ଗ ହ୍ବାଟସ୍‌ଆପ୍‌ର ନୀତିକୁ ନେଇ ଚିନ୍ତା ପ୍ରକଟ କରିବା ପରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ନୂଆ ନୀତି ବାସ୍ତବରେ କ’ଣ ତାହା ବୁଝାଇବା ଲାଗି ହ୍ବାଟସ୍‌ଆପ୍ ଅଧିକାରୀଙ୍କୁ ନୋଟିସ୍‌ ଜାରି କରିବା ଉପରେ ବିଚାର କରାଯାଉଛି। ବିଶିଷ୍ଟ ଶିଳ୍ପପତିମାନଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗ ଆପତ୍ତି ଉଠାଇଥିବାରୁ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ଭାରତରେ ହ୍ବାଟସ୍‌ଆପ୍‌କୁ ୪୦ କୋଟି ଲୋକ ବ୍ୟବହାର କରୁଛନ୍ତି। ଗୋପନୀୟତା ନୀତିରେ ଅଣାଯାଇଥିବା ପରିବର୍ତ୍ତନ ବିଷୟରେ ହ୍ବାଟସ୍‌ଆପ୍ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଆପ୍‌ରେ ସୂଚନା ଦିଆଯାଇଥିଲା।

ଏହା ପରଠାରୁ ଅନେକ ବ୍ୟବହାରକାରୀ ଟେଲିଗ୍ରାମ୍ ଓ ସିଗ୍‌ନାଲ ଭଳି ଆପ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର ଶର୍ମା ଓ ଫୋନ୍‌ପେର ସିଇଓ ସମୀର ନିଗମ ହ୍ବାଟସ୍‌ଆପ୍‌ ଛାଡ଼ି ଅନ୍ୟ ଆପ୍ ବ୍ୟବହାର ଆରମ୍ଭ କରିଥିବା କହିଛନ୍ତି। ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ନିଜ ପକ୍ଷକୁ ସ୍ପଷ୍ଟ କରିବା ଲାଗି ହ୍ବାଟସ୍‌ଆପ୍ ପକ୍ଷରୁ ପ୍ରମୁଖ ସମ୍ବାଦପତ୍ରଗୁଡ଼ିକ‌ର ମୁଖ୍ୟ ପୃଷ୍ଠାରେ ବିଜ୍ଞାପନ ଦିଆଯାଇଛି। ବ୍ୟବହାରକାରୀମାନଙ୍କ କଣ୍ଟାକ୍ଟ ଲିଷ୍ଟ୍ ଓ ଗ୍ରୁପ୍‌ ଡାଟା ଫେସବୁକ୍‌କୁ ଦିଆଯିବ ନାହିଁ ବୋଲି ହ୍ବାଟସ୍‌ଆପ୍ ସ୍ପଷ୍ଟ କରିଛି। ଅତୀତରେ ମିଥ୍ୟା ଖବର ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା ହ୍ବାଟସ୍‌ଆପ୍। ସେହି ସମସ୍ୟାର ସମାଧାନ କରିବା ଲାଗି କଂପାନି ଅନେକ ପଦକ୍ଷେପ ଗ୍ରହଣ କରିଛି।

ସରକାରଙ୍କ ସବୁ ପ୍ରଶ୍ନର ଉତ୍ତର ଦେବୁ: ହ୍ବାଟସ୍‌ଆପ୍
ନୂଆଦିଲ୍ଲୀ: ଗୋପନୀୟତା ନୀତି ସମ୍ପର୍କରେ ସରକାର ଯେଉଁ ପ୍ରଶ୍ନ କରିବେ ତାହାର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ହ୍ବାଟସ୍‌ଆପ୍ ପକ୍ଷରୁ କୁହାଯାଇଛି। କଂପାନିର ମୁଖ୍ୟ ୱିଲ୍ କାଥ୍‌କାର୍ଟ କହିଛନ୍ତି ଯେ ସାରା ଭାରତରେ ଥିବା ଆମ ବ୍ୟବହାରକାରୀଙ୍କ ଗୋପନୀୟତା ଓ ସୁରକ୍ଷାକୁ ନେଇ କଂପାନି ପ୍ରତିବଦ୍ଧ ରହିଛି ଏବଂ ସେମାନଙ୍କ ମେସେଜ୍‌ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍ ଦ୍ବାରା ସମ୍ପୂର୍ଣ୍ଣ ସୁରକ୍ଷିତ। ଗୋପନୀୟତାକୁ ନେଇ ବ୍ୟବହାରକାରୀଙ୍କ ବିଶ୍ବାସ ହାସଲ କରିବା ଲାଗି ପ୍ରତିନ୍ଦ୍ବଦ୍ବିତା କରିବାକୁ ପଡ଼ିବା ବୋଲି କଂପାନି ଭଲ ଭାବେ ଅବଗତ ଅଛି। ଯୋଗାଯୋଗ ପାଇଁ କେଉଁ ମାଧ୍ୟମ ବ୍ୟବହାର କରିବେ ତାହା ବ୍ୟବହାରକାରୀଙ୍କ ପସନ୍ଦ ହେବା ଦରକାର। ସେମାନଙ୍କ ବାର୍ତାଳାପକୁ ଅନ୍ୟ କେହି ଦେଖୁନାହାନ୍ତି ବୋଲି ସେମାନଙ୍କ ମନରେ ଏକ ବିଶ୍ବାସ ରହିବା ଦରକାର। ଫେସବୁକ୍ କିମ୍ବା ହ୍ବାଟସ୍‌ଆପ୍ ବ୍ୟବହାରକାରୀମାନଙ୍କ କଲ୍‌କୁ ଶୁଣନ୍ତି ନାହିଁ କିମ୍ବା ସେମାନଙ୍କ ମେସେଜ୍‌ ଦେଖନ୍ତି ନାହିଁ ବୋଲି ଶ୍ରୀ କାଥ୍‌କାର୍ଟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe