ନିବେଶକ ଆସିଲେ, ସମ୍ଭାବନା ପରଖିଲେ

Advertisment

କମ୍ପ୍ରେସଡ୍‌ ବା‌ୟୋଗ୍ୟାସ୍‌ ପ୍ରକଳ୍ପ

କମ୍ପ୍ରେସଡ୍‌ ବା‌ୟୋଗ୍ୟାସ୍‌ ପ୍ରକଳ୍ପ

ନିବେଶକ ଆସିଲେ, ସମ୍ଭାବନା ପରଖିଲେ

ଭୁବନେଶ୍ବର: ସାରା ଭାରତରେ ପାଞ୍ଚ ହଜାର ଓ ଓଡ଼ିଶାରେ ୫୦୦ଟି କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ (ସିବିଜି) ପ୍ରକଳ୍ପ ସ୍ଥାପନ କରିବାର ସୁଯୋଗ ରହିଛି। ଏହି ପ୍ରକଳ୍ପ ସ୍ଥାପନ କରିବା ପାଇଁ ରାଜ୍ୟରେ କ’ଣ ସବୁ ସୁବିଧା ସୁଯୋଗ ଓ ସମ୍ଭାବନା ରହିଛି ତାହା ପରଖିବା ପାଇଁ ଦେଶବିଦେଶର ପ୍ରାୟ ୧୨୦ରୁ ଅଧିକ ନିବେଶକମାନେ ଆଜି ଭୁବନେଶ୍ବର ଆସିଛନ୍ତି। ସେମାନଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ‘ସତତ୍‌’ ଅଭିଯାନର ଅଂଶସ୍ବରୂପ ଦେଶର ତିନି ତେଲ ମାର୍କେଟିଂ କଂପାନି ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ ଏହି ପ୍ରକଳ୍ପକୁ ନେଇ ମିଳିତ ଭାବେ ଏକ ରୋଡ୍‌ ସୋ’ ଆୟୋଜନ କରାଯାଇଥିଲା। ସେଥିରେ ଏହି ନିବେଶକମାନେ ଅଂଶଗ୍ରହଣ କରିଛନ୍ତି। ରୋଡ୍‌ ସୋ’କୁ ଶ୍ରୀ ପ୍ରଧାନ ଉଦ୍‌ଘାଟନ କରି କହିଛନ୍ତି ଯେ, ଭାରତରେ ୬୨ ନିୟୁତ ଟନ୍ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ ଉତ୍ପାଦନ କରିବାର ସୁଯୋଗ ରହିଛି। ଏହି ସୁଯୋଗକୁ ଯଦି ପୂର୍ଣ୍ଣ ମାତ୍ରାରେ ହାସଲ କରାଯାଇପାରିବ ତେବେ ଦେଶର ଗ୍ୟାସ୍‌ ଆବଶ୍ୟକତା ସହଜରେ ପୂରଣ କରାଯାଇପାରିବ। ବାୟୋଗ୍ୟାସ୍‌ ଉତ୍ପାଦନ ବଢ଼ାଇବା ପାଇଁ ୨୦୨୩ ସୁଦ୍ଧା ୫୦୦୦ଟି କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ ପ୍ରକଳ୍ପ ଜରିଆରେ ୧୫ ନିୟୁତ ଟନ୍‌ ଗ୍ୟାସ୍‌ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତିନି ତେଲ ସରକାରୀ ତେଲ କଂପାନି ଓ ଗ୍ୟାସ୍‌ କଂପାନି ଗେଲ୍‌ ପକ୍ଷରୁ ଏହି ପ୍ରକଳ୍ପ ସ୍ଥାପନ ନିମେନ୍ତ ନିବେଶକମାନଙ୍କ ଠାରୁ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟରେଷ୍ଟ୍‌ (ଇଓଆଇ) ଆହ୍ବାନ କରାଯାଉଛି। ଓଡ଼ିଶାରେ ୫୦୦ଟି ପ୍ରକଳ୍ପ ସ୍ଥାପନ କରିବାର ସୁଯୋଗ ରହିଥିବା ବେଳେ ଏଠାରେ ପାଖାପାଖି ୩୦୦୦ ଟନ୍ ଗ୍ୟାସ୍‌ ଉତ୍ପାଦନ କରାଯାଇପାରିବ। ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତକୁ ଏହି ପ୍ରକଳ୍ପରେ କଞ୍ଚାମାଲ୍ ଭାବେ ବ୍ୟବହାର କରାଯିବ। ଏହି ପ୍ରକଳ୍ପରୁ ଯେଉଁ ଗ୍ୟାସ୍‌ ଉତ୍ପାଦନ କରାଯିବ ତାହାକୁ ତେଲ କଂପାନିଗୁଡ଼ିକ କିଣି ନିଜ ପେଟ୍ରୋଲ୍‌ ପମ୍ପ୍ ଜରିଆରେ ଗାଡ଼ି ଇନ୍ଧନ ଭାବେ ବିକ୍ରି କରିବେ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ବିଜୟ ଶର୍ମା, ଇଣ୍ଡିଆନ୍ ଅଏଲ୍‌ର ଅଧ୍ୟକ୍ଷ ସଞ୍ଜୀବ ସିଂହ, କଂପାନିର ନିର୍ଦେଶକ-ଆର୍‌ଆଣ୍ଡ୍‌ଡି ଡକ୍ଟର ଏସ୍‌ଏସ୍‌ଭି ରାମକୁମାର, ବିପିସିଏଲ୍‌ର ନିର୍ଦେଶକ-ମାର୍କେଟିଂ ଅରୁଣ କୁମାର ସିଂହ, ଏଚ୍‌ପିସିଏଲ୍‌ର ନିର୍ଦେଶକ-ମାର୍କେଟିଂ ଏସ୍‌ ଜୟକିସନ୍ ଓ ଗେଲ୍‌ର ନିର୍ଦେଶକ (ବିଡି) ମନୋଜ କୁମାର ଜୈନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe