କଂଗ୍ରେସ ଟାର୍ଗେଟ୍‌ରେ ସରକାର: ଲୋକଙ୍କ ଟିକସ ଅଧିକ, କମ୍ପାନିର କମ୍

୧୫ରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଦେଶରେ ବିଚିତ୍ର ଟିକସ ବ୍ୟବସ୍ଥା। ଏଠାରେ କମ୍ପାନି କମ୍ ଟିକସ ଦେଉଥିବା ବେଳେ ସାଧାରଣ ଜନତା ଗଣୁଛନ୍ତି ଅଧିକ ଟିକସ। ଏଭଳି ତାଚ୍ଛଲ୍ୟ କରି ମୋଦୀ ସରକାରଙ୍କୁ ବିରୋଧୀ ଦଳ କ‌ଂଗ୍ରେସ ସମାଲୋଚନା କରିଛି। ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଯେଉଁ ତଥ୍ୟ ଜାରି କରାଯାଇଛି ତାହାକୁ ଆଧାର କରି ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ କମ୍ପାନି ଟିକସରେ ହ୍ରାସ ହୋଇଥିବାରୁ ତାହାର ଫାଇଦା ଧନୀମାନଙ୍କୁ ମିଳୁଛି। ସେମାନଙ୍କ ଟିକସରେ ୨ ଲକ୍ଷ କୋଟି ଟଙ୍କାର ହ୍ରାସ ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଚଳିତ ମାସ ୨୩ରେ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ‌‌ବେଳେ ତା’ ପୂର୍ବରୁ ଆୟକର ସଂଗ୍ରହ ତଥ୍ୟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍‌ ୧ରୁ ଜୁଲାଇ ୧ ମଧ୍ୟରେ ୩.୬୧ ଲକ୍ଷ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ସଂଗ୍ରହ ହୋଇଥିବା ବେଳେ କମ୍ପାନି ଟିକସ ଭାବେ ତା’ଠାରୁ କମ୍‌ ୨.୬୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କମ୍ପାନି ତୁଳନାରେ ସାଧାରଣ ଜନତାଙ୍କଠାରୁ ଅଧିକ ଟିକସ ଆଦାୟ ହେଉଛି। ପୂର୍ବରୁ ଡକ୍ଟର ମନମୋହନ ସିଂହଙ୍କ ସରକାର ଅମଳ‌ରେ ମୋଟ ଟିକସ ସଂଗ୍ରହରେ ବ୍ୟକ୍ତିଗତ ଆୟକର ଭାଗ ୨୧ ପ୍ରତିଶତ ଥିଲା ଏବଂ କମ୍ପାନି ଟିକସ ଭାଗ ୩୫ ପ୍ରତିଶତ ଭଳି ଉଚ୍ଚା ଥିଲା। ଏବେ କିନ୍ତୁ କମ୍ପାନି ଟିକସ ଭାଗ ୨୬ ପ୍ରତିଶତକୁ ଖସିଆସିଥିବା ବେଳେ ବ୍ୟକ୍ତିଗତ ଆୟକର ଭାଗ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ ସେପ୍ଟେମ୍ବର ୨୦ରେ କମ୍ପାନି ଟିକସରେ ବଡ଼ ଧରଣର ହ୍ରାସ କରାଯାଇଥିଲା। ଏହା ପଛର ଉଦ୍ଦେଶ୍ୟ ଥିଲା ଯେ ଟିକସ କମ୍ ହେଲେ ଘରୋଇ କମ୍ପାନିଗୁଡ଼ିକ ଅଧିକ ପୁଞ୍ଜିନିବେଶ କରିବେ। କିନ୍ତୁ ସେଭଳି କିଛି ଘଟିନାହିଁ ବୋଲି କଂଗ୍ରେସ ଦାବି କରିଛି। ଘରୋଇ ନିବେଶ ବଢ଼ିବା ପରିବର୍ତ୍ତେ ତାହା ତଳକୁ ଖସିଆସିଛି। ମନମୋହନ ସରକାରଙ୍କ ଅମଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଘରୋଇ ନିବେଶର ଭାଗ ୩୫ ପ୍ରତିଶତ ଥିଲା। କିନ୍ତୁ ମୋଦୀ ସରକାର ଶାସନ ଭାଗ ଗ୍ରହଣ କରିବା ପରେ ୨୦୧୪ରୁ ୨୦୨୪ ଭିତରେ ସେହି ହାର ୨୯ ପ୍ରତିଶତ ତଳକୁ ଖସିଆସିଛି।

କମ୍ପାନି ଟିକସରେ ହ୍ରାସ ଯୋଗୁଁ ଧନୀମାନଙ୍କୁ ୨ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି ବୋଲି ଶ୍ରୀ ରମେଶ ଦାବି କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ମଧ୍ୟବିତ୍ତ ବର୍ଗଙ୍କ ଲାଗି ଟିକସ କମ୍ କରିବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି। ଆୟକର ଛାଡ଼ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ବିଭିନ୍ନ ଆୟ ବର୍ଗ ଲାଗି ଟିକସ ସ୍ଲାବ୍‌ରେ ହ୍ରାସ କରି ଲୋକଙ୍କ ହାତରେ ଯେଭଳି ଅଧିକ ଟଙ୍କା ରହିବ, ସେହି ବ୍ୟବସ୍ଥା କରିବାକୁ ସରକାରଙ୍କୁ ଆହ୍ବାନ ଦିଆଯାଇଛି। ଲୋକମାନଙ୍କ ପାଖରେ ଅଧିକ ଟଙ୍କା ରହିଲେ ସେମାନେ ତାହାକୁ ବିଭିନ୍ନ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବେ, ଯାହାର ପ୍ରଭାବରେ ଅର୍ଥନୀତି ତ୍ବରାନ୍ବିତ ହେବ ଏବଂ ତା’ ସହିତ ଜିଏସ୍‌ଟି ସଂଗ୍ରହ ବଢ଼ିବ ବୋଲି ବିଶେଷଜ୍ଞମ‌ାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe