ନୂଆଦିଲ୍ଲୀ: ଗଡ୍ଫ୍ରେ ଫିଲିପ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମୀର ମୋଦୀ ତଥା ଶିଳ୍ପପତି କେ କେ ମୋଦୀଙ୍କ ସାନପୁଅ ସମୀର ମୋଦୀ ତାଙ୍କ ମା’ ବୀଣା ମୋଦୀ ଓ ଅନ୍ୟମାନଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ମା ଯୋଜନା କରିଥିଲେ ବୋଲି ସେ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ନିକଟରେ ଏତଲା ଦେଇଛନ୍ତି। ମା’, ମା’ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ ଗଡଫ୍ରେ ଫିଲିପ୍ସର ନିର୍ଦ୍ଦେଶକମାନଙ୍କ ବିରୋଧରେ ସେ ଆକ୍ରମଣ ଅଭିଯୋଗ ଆଣିଛନ୍ତି। ସେମାନେ ତାଙ୍କୁ ଗୁରୁତର ଆହତ କରିଛନ୍ତି। ଗଡ୍ଫ୍ରେ ଫିଲିପ୍ସର ବୋର୍ଡ ବୈଠକରେ ଯୋଗଦେବାକୁ ସେ କୋଠରି ଭିତରକୁ ପ୍ରବେଶ କରିବାକୁ ଯିବାବେଳେ ପିଏସ୍ଓ ତାଙ୍କ ହାତ ଧରି ମୋଡ଼ି ଦେଇଥିଲେ। ମୁଁ ବଡ଼ ପାଟି କରି ସହାୟତା ମାଗିଥିଲି। ସେଠାରେ କୋଳାହଳ ହେବା ପରେ ବୋର୍ଡ ବୈଠକ ଥିବା କୋଠରିର ଦ୍ବାର ଖୋଲାଯାଇଥିଲା ଏବଂ ମୁଁ ଭିତରେ ପ୍ରବେଶ କରିଥିଲି ବୋଲି ସମୀର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଫଳରେ ୧୧ ହଜାର କୋଟି ଟଙ୍କାର କେ କେ ମୋଦୀଙ୍କ ବ୍ୟାବସାୟିକ ସାମ୍ରାଜ୍ୟରେ ବିବାଦ ଗୁରୁତର ରୂପ ନେଇଛି।
ମୋତେ ସମବେଦନା ଜଣାଇବା କିମ୍ବା ମୋର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ମା’ ବୀଣା ମୋତେ ବସି ବୋର୍ଡ ବୈଠକରେ ଯୋଗଦେବାକୁ ବଡ଼ ପାଟିରେ କହିଥିଲେ। ବର୍ତ୍ତମାନ ପାଇଁ ଯଥେଷ୍ଟ ହୋଇଛି ବୋଲି ମଧ୍ୟ ମା’ ପିଏସ୍ଓଙ୍କୁ କହିଥିଲେ। ତାଙ୍କୁ ଆକ୍ରମଣ କରିବା ଲାଗି ସେ ହିଁ ପିଏସ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ମଧ୍ୟ କହିଥିଲେ। ଅଦାଲତରେ ଅଂଶଧନ ନେଇ ମାମଲା ବିଚାରାଧୀନ ରହିଛି। ବର୍ତ୍ତମାନ ପାଇଁ ସେ ତାଙ୍କ ସେୟାର ବିକ୍ରି କରିବେ ନାହିଁ ବୋଲି ପରେ ନ୍ୟୁ ଫ୍ରେଣ୍ଡ୍ସ କଲୋନିସ୍ଥିତ ବାସଭବନରେ ସମୀର ସାମ୍ବାଦିକଙ୍କୁ କହିଛନ୍ତି। ବୋର୍ଡରୁ ମୋତେ ବାହାର କରିଦେବା ପାଇଁ ଉଦ୍ୟମ ହେଉଛି। କିନ୍ତୁ ଏହା ହୋଇ ପାରିବ ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ଗଡ୍ଫ୍ରେ ଫିଲିପ୍ସର ପ୍ରବକ୍ତା ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏସବୁ ଅଭିଯୋଗ ସଂପୂର୍ଣ୍ଣ ଭାବେ ମିଛ। ତେବେ ମଧ୍ୟାହ୍ନ ୧୨ଟା ସମୟରେ ଅଡିଟ୍ କମିଟି ବୈଠକ ଚାଲିଥିବାବେଳେ ବୋର୍ଡ ରୁମ୍ ବାହାରେ ଏକ କାଣ୍ଡ ହୋଇଥିଲା। ସିସିଟିଭି କ୍ୟାମେରାରେ ଏହାର ରେକର୍ଡ ରହିଛି, ତଦନ୍ତକାରୀ ସଂସ୍ଥାକୁ ଏହା ଦିଆଯାଇପାରିବ ବୋଲି ସେ କହିଛନ୍ତି।
କେକେ ମୋଦୀଙ୍କ ମୃତ୍ୟୁପରେ ୧୧ ହଜାର କୋଟି ଟଙ୍କାର ସଂପତ୍ତି ଭାଗବଣ୍ଟାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ଘଟଣାକୁ ମା’ ବୀଣା ଯେଉଁଭଳି ଭାବେ ପରିଚାଳନା କରୁଛନ୍ତି ତାହାକୁ ସେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ମାମଲା ଏବେ କୋର୍ଟରେ ରହିଛି। ଗଡ୍ଫ୍ରେ ଫିଲିପ୍ସ ବ୍ୟତୀତ କଲରବାର କସମେଟିକ୍ସ ଏବଂ ଡାଇରେକ୍ଟ ସେଲିଂ ପ୍ଲାଟଫର୍ମ ମୋଦୀକେୟାରର ନେତୃତ୍ବ ସମୀର ମୋଦୀ ନେଉଛନ୍ତି। ଲୋଭ ଏବଂ ମୋ ଅଧିକାରରୁ ମୋତେ ବଞ୍ଚିତ କରିବା ଲାଗି ଏସବୁ କରାଯାଇଛି ବୋଲି ସମୀର କହିଛନ୍ତି। ତାଙ୍କ ଡାହାଣ ହାତର ବିଶି ଆଙ୍ଗୁଠି ଭାଙ୍ଗିଯାଇଛି ବୋଲି ସେ କହିଛନ୍ତି। ସରିତା ବିହାର ଥାନାରେ ସେ ଅଭିଯୋଗ କରିଛନ୍ତି।
Follow Us