ଆଜିଠୁ କମିଲା ଖାଇବା ତେଲ ଦର: ଲିଟର ପିଛା ୬ରୁ ୮ଟଙ୍କା ହ୍ରାସ, ଖାଉଟିଙ୍କୁ ସାମୟିକ ଆଶ୍ବସ୍ତି

Advertisment
ଆଜିଠୁ କମିଲା ଖାଇବା ତେଲ ଦର:  ଲିଟର ପିଛା ୬ରୁ ୮ଟଙ୍କା ହ୍ରାସ, ଖାଉଟିଙ୍କୁ ସାମୟିକ ଆଶ୍ବସ୍ତି

ନୂଆଦିଲ୍ଲୀ: ଖାଉଟିଙ୍କୁ ସାମୟିକ ଆଶ୍ବସ୍ତି। ଦେଶରେ ଖାଇବା ତେଲ ଦର କମିଛି । ଲିଟର ପିଛା ଖାଇବା ତେଲ ଦର ୬ରୁ ୮ଟଙ୍କା ହ୍ରାସ ପାଇଛି ବୋଲି ଜଣାପଡ଼ିଛି।  କେନ୍ଦ୍ର ସରକାର ଅକ୍ଟୋବର ୧୪ଠାରୁ ବିଭିନ୍ନ ପ୍ରକାର ଖାଇବା ତେଲ ଉପରୁ ସୀମା ଶୁଳ୍କକୁ ହ୍ରାସ କରିଥିବା ବେଳେ କୃଷି ସେସ୍‌କୁ ମଧ୍ୟ କମ୍ କରିଛନ୍ତି। ଏହା ଫଳରେ ଆଜିଠାରୁ ଖାଇବା‌ ତେଲ ଦରରେ ହ୍ରାସ ଘଟିବ। ସଲଭେଣ୍ଟ୍ ଏକ୍ସଟ୍ରାକର୍ସ ଆସୋସିଏସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି.ମେହେଟ୍ଟା କହିଛନ୍ତି ଯେ ଖାଇବା ତେଲ ଦର ଲିଟର ପିଛା ୬ରୁ ୮ଟଙ୍କା କମିବ ଏବଂ  ସୀମା ଶୁଳ୍କ ହ୍ରାସର ପୂରା ଫାଇଦା ସେତେବେଳେ ମିଳିବ ଯେତେବେଳେ ମାଲେସିଆରେ ତେଲଦର ହ୍ରାସ ପାଇବ। ଉଲ୍ଲେଖଯୋଗ୍ୟ, ଭାରତ ସୀମାଶୁଳ୍କ ହ୍ରାସ କରିବା ପରେ ମାଲେସିଆରେ ଖାଇବା ତେଲ ଦର ବୃଦ୍ଧି ପାଇଛି।

କେନ୍ଦ୍ର ସରକ‌ାର ଅଶୋଧିତ ପାମ୍, ସୋୟାବିନ୍ ଓ ସନ୍‌ଫ୍ଲାୱାର ଅଏଲ୍‌ ଉପରୁ ସୀମା ଶୁଳ୍କକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଏଥି ସହିତ କୃଷି ସେସ୍‌ ମଧ୍ୟ ହ୍ରାସ କରାଯାଇଛି। ଉତ୍ସବ ଋତୁରେ ଖାଇବା ‌ତେଲ ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଓ ଦେଶରେ ତେଲର ଉପଲବ୍ଧତା ବଢ଼ାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅକ୍ଟୋବର ୧୪ରୁ ଏହି ନିଷ୍ପତ୍ତି ଲାଗୁ ହୋଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଅଶୋଧିତ ପାମ୍ ଅଏଲ୍‌ ଉପରେ ଲଗାଯାଇଥିବା କୃଷି ଭିତ୍ତିଭୂମି ବିକାଶ ସେସ୍‌କୁ ୭.୫%କୁ ହ୍ରାସ କରାଯାଇଥିବା ବେଳେ ସୋୟାବିନ୍ ଓ ସନ୍‌ଫ୍ଲାୱାର ଅଏଲ୍‌ ପାଇଁ ଏହି ହାର ୫% ରଖାଯାଇଛି। ସେସ୍‌ରେ କରାଯାଇଥିବା ହ୍ରାସ ପରେ ପାମ୍ ଉପରେ ସୀମା ଶୁଳ୍କ ହାର ୮.୨୫%କୁ ହ୍ରାସ ପାଇଥିବା ବେଳେ ସୋୟାବିନ୍‌ ଓ ସନ୍‌ଫ୍ଲାୱାର ଅଏଲ୍‌ରେ ୫.୫ ପ୍ରତିଶତକୁ ହ୍ରାସ ପାଇଛି। ବିଶୋଧିତ ସନ୍‌ଫ୍ଲାୟାର, ସୋୟାବିନ୍, ପାମୋଲିନ୍ ଓ ପାମ୍ ଅଏଲ୍‌ ଉପରୁ ମୌଳିକ ସୀମା ଶୁଳ୍କକୁ ୩୨.୫%ରୁ ୧୭.୫%କୁ ହ୍ରାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe