କରୋନା ପାଇଁ ବିଶେଷଜ୍ଞଙ୍କ ଆକଳନ, ଅଭିବୃଦ୍ଧି ଆହୁରି କମିବ

ପ୍ରଭାବ କେତେମାତ୍ରାରେ ପଡ଼ିବ ତାହା ଆଉ କିଛିଦିନ ପରେ ସ୍ପଷ୍ଟ ହେବ: ଶକ୍ତିକାନ୍ତ

କରୋନା ପାଇଁ ବିଶେଷଜ୍ଞଙ୍କ ଆକଳନ, ଅଭିବୃଦ୍ଧି ଆହୁରି କମିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଜିଡିପି ଅଭିବୃଦ୍ଧି ତଥ୍ୟ ପ୍ରକାଶ ପାଇଛି। ୨୦୧୯ର ଶେଷ ତିନିମାସ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବରର ଜିଡିପି ଅଭିବୃଦ୍ଧି ୪.୭ ପ୍ରତିଶତ ରହିଛି। ଏହି ଅଭିବୃଦ୍ଧି ଗତ ୬ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠୁ ମନ୍ଥର ହୋଇଥିବାବେଳେ ଆଗକୁ ଭାରତୀୟ ଅର୍ଥନୀତି ଉପରେ କରୋନାର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।ସରକାରଙ୍କ ପକ୍ଷରୁ ପ୍ରକାଶିତ ଜିଡିପି ତଥ୍ୟରୁ ଏହା ଜଣାଯାଇଛି ସରକାରୀ ବ୍ୟୟ, ଘରୋଇ ନିବେଶ ଏବଂ ରପ୍ତାନି ଆଦି ମନ୍ଥର ହୋଇଛି। ତେବେ ଖାଉଟି ବ୍ୟୟ ଏବଂ ଗ୍ରାମୀଣ ଚାହିଦାରେ ସାମାନ୍ୟ ସୁଧାର ଆସିଛି।

କରୋନା ପ୍ରଭାବରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ବିପଦ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ସତର୍କ କରାଇ ଦେଇଛି। କରୋନା ଭୂତାଣୁ ଜନିତ ପ୍ରଭାବ ଏପର୍ଯ୍ୟନ୍ତ ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ମାତ୍ରାରେ ପଡ଼ିନାହିଁ। ଆଗାମୀ ଦିନରେ ଏହି ପ୍ରଭାବକୁ ସମ୍ପୂର୍ଣ୍ଣ ମାତ୍ରାରେ ଦେଖିବାକୁ ମିଳିବ। ତେବେ ଭାରତର ଅର୍ଥନୀତି ଉପରେ କରୋନା ଭୂତାଣୁ ଜନିତ ପ୍ରଭାବ କେତେମାତ୍ରାରେ ପଡ଼ିବ ତାହା ସ୍ପଷ୍ଟ ଭାବେ ଜାଣିବା ପାଇଁ ଆଉ କିଛିଦିନ ସମୟ ଲାଗିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁମ୍ବାଇଠାରେ ଶୁକ୍ରବାର କହିଛନ୍ତି। ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅତୀତରେ ଏକାଧିକ ପଦକ୍ଷେପ ନେଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ କମ୍ପାନି ଟିକସକୁ ବ୍ୟାପକମାତ୍ରାରେ ହ୍ରାସ କରିଛନ୍ତି। ବଜେଟରେ ମଧ୍ୟ ଏଥିପାଇଁ କେତେକ ଘୋଷଣା କରିଛନ୍ତି। ବ୍ୟାଙ୍କ ମିଶ୍ରଣ ସମେତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଭଳି ପଦକ୍ଷେପ ନେଇଛନ୍ତି। ଏସବୁ ସତ୍ତ୍ବେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫ ପ୍ରତିଶତ ରହିବ ବୋଲି କୁହାଯାଇଛି। ୨୦୨୦-୨୧ରେ ଅଭିବୃଦ୍ଧିରେ ସୁଧାର ଆସି ଏହା ୬ ପ୍ରତିଶତ ରହିବ ବୋଲି କୁହାଯାଉଥିଲେ ମଧ୍ୟ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ବାର୍ଷିକ ୨ କୋଟି ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସଫଳ ହେବନାହିଁ।

୨୦୦୮-୦୯ର ମାନ୍ଦାବସ୍ଥା ବେଳଠୁଁ ସବୁଠୁ ଖରାପ ସପ୍ତାହ
ନୂଆଦିଲ୍ଲୀ: କରୋନା ଭୂତାଣୁ ବିଶ୍ବରେ ବ୍ୟାପୁଥିବାରୁ ଏହାକୁ ନେଇ ଷ୍ଟକ ବଜାର ନିବେଶକମାନେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଚୀନ ସମେତ ଅନ୍ୟ କେତେକ ଦେଶରେ ସହର ବଜାର ଏବଂ କଳ କାରଖାନା ବନ୍ଦ ରହିବା କାରଣରୁ ଉତ୍ପାଦନ ଓ ବିକ୍ରି ଆଦି ପ୍ରଭାବିତ ହୋଇଛି। ଏହାର ସିଧାସଳଖ ପ୍ରଭାବ ଷ୍ଟକ ମାର୍କେଟ ଉପରେ ପଡ଼ିଛି। ଗତ ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସରେ ୧୪୪୮ ପଏଣ୍ଟର ଏକ ବୃହତ୍ ହ୍ରାସ ଘଟିଥିବାବେଳେ ନିଫ୍‌ଟିରେ ମଧ୍ୟ ଆଖିଦୃଶିଆ ହ୍ରାସ ଘଟିଛି। ତେବେ ସପ୍ତାହଯାକର ହ୍ରାସକୁ ବିଚାରକୁ ନେଲେ ନିଫ୍‌ଟି ୫୦ ଏହି ସପ୍ତାହରେ ୭.୩ ପ୍ରତିଶତ ହ୍ରାସ ଘଟିଥିବାବେଳେ ସେନସେକ୍ସ ୬.୮ ପ୍ରତିଶତ ହ୍ରାସ ଘଟିଛି। ୨୦୦୮-୦୯ ଆର୍ଥିକ ବର୍ଷର ଆର୍ଥିକ ମାନ୍ଦାବସ୍ଥା ବେଳଠାରୁ‌ ‌ଭାରତୀୟ ସେୟାର ବଜାର ପାଇଁ ଏହା ସବୁଠୁ ଖରାପ ସପ୍ତାହ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe