Image Courtesy of Zee News
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ତାହା ଷ୍ଟକ ବଜାର ନିବେଶକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଗାମୀ ଦିନରେ ସ୍ଥିତି ବହୁତ ଖରାପ ହେବା ଆଶଙ୍କା କରି ସେମାନେ ନିଜ ପାଖରେ ଥିବା ସେୟାର ବିକିବା ଆରମ୍ଭ କରିଛନ୍ତି। ଏହାର ପ୍ରଭାବ ଆଜି ଉଭୟ ବମ୍ବେ ଷ୍ଟକ ବଜାର ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ କାରବାରରେ ଦେଖିବାକୁ ମିଳିଥିଲା। ବ୍ୟାଙ୍କଗୁଡ଼ିକର ସେୟାରକୁ ନିବେଶକମାନେ ଅଧିକ ମାତ୍ରାରେ ବିକ୍ରି କରିଛନ୍ତି।
ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ୮୮୨ ପଏଣ୍ଟ୍ ହ୍ରାସ ପାଇ ୪୭,୯୪୯ ପଏଣ୍ଟ୍ରେ ବନ୍ଦ ହୋଇଛି। ସେଥିପାଇଁ ନିବେଶକମାନେ ପ୍ରାୟ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ଆଜି ୨୫୮ ପଏଣ୍ଟ୍ ହ୍ରାସ ପାଇ ୧୪,୩୫୯ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ପାୱାରଗ୍ରିଡ୍, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଓଏନ୍ଜିସି, କୋଟାକ୍ ବ୍ୟାଙ୍କ, ଏସିଆନ୍ ପେଏଣ୍ଟସ୍, ଏଲ୍ଆଣ୍ଡ୍ଟି ଓ କୋଟାକ୍ ବ୍ୟାଙ୍କର ସେୟାର ମୂଲ୍ୟରେ ହ୍ରାସ ଘଟିଛି। କେବଳ ଡକ୍ଟର ରେଡ୍ଡି ଓ ଇନ୍ଫୋସିସ୍ ସେୟାର ଦାମ୍ ବଢ଼ିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ ପିଏସ୍ୟୁ ବ୍ୟାଙ୍କ, ରିଅଲ ଇଷ୍ଟେଟ୍ ଓ ଗାଡ଼ି କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଛି। କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା ଲାଗି କଠୋର ପଦକ୍ଷେପ ଗ୍ରହଣ କରାଯିବାର ଆଶଙ୍କା ରହିଥିବାରୁ ନିବେଶକମାନେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।
କରୋନା ସଂକ୍ରମଣରେ ଘଟୁଥିବା ବୃଦ୍ଧି ଓ ଷ୍ଟକ ବଜାର କାରବାର ଉପରେ ଏହାର ପ୍ରଭାବ ସମ୍ପର୍କରେ ବ୍ରୋକରେଜ୍ ସଂସ୍ଥା ମୋତିଲାଲ ଓସ୍ବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ରିଟେଲ୍ ମୁଖ୍ୟ ସିଦ୍ଧାର୍ଥ ଖେମ୍କା କହିଛନ୍ତି ଯେ ବର୍ତମାନର ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିବା ଭଳି ମନେ ହେଉଛି। ସଂକ୍ରମଣ ନିଶ୍ଚିତ ରୂପେ ସ୍ଥିର ହେବ। କିନ୍ତୁ ଏଥିପାଇଁ କେତେ ସମୟ ଲାଗିବ ତାହାକୁ ନେଇ ନିବେଶକମାନେ ଚିନ୍ତିତ ଅଛନ୍ତି। ସଂକ୍ରମଣ ବଢ଼ିଲେ ଓ ତାହାର ମୁକାବିଲା ଲାଗି ଅଧିକ କଟକଣା ଲାଗୁ ହେଲେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଇତି ମଧ୍ୟରେ ଭାରତୀୟ ଷ୍ଟକ ବଜାରରେ ବୈଦେଶିକ ନିବେଶକମାନେ ଅଧିକ ନିବେଶ କରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ସେମାନେ ଷ୍ଟକ ବଜାରରେ ୪୩୭.୫୧ କୋଟି ଟଙ୍କା ନିବେଶ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ବିଶ୍ବର ଅନ୍ୟ ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଆଜି କାରବାର ବହୁତ ଭଲ ରହିଥିଲା। ୟୁରୋପ, ଜାପାନ, ଦକ୍ଷିଣ କୋରିଆ ଓ ଚୀନ୍ର ଷ୍ଟକ ବଜାର ସୂଚୀ ବୃଦ୍ଧି ସହ ବନ୍ଦ ହୋଇଛି।
Follow Us