ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଚଳିତ ବର୍ଷ ଭାରତୀୟ ରେଳ ଯାତ୍ରୀ ଭଡ଼ାରେ ୩୦-୩୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ରେଳବାଇର ୨୩୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ସେହି ଟ୍ରେନ୍ଗୁଡ଼ିକର ପ୍ରାୟ ୭୫% ସିଟ୍ ପୂରଣ ହେଉଛି। କେବଳ ଏକ ଚତୁର୍ଥାଂଶ ସ୍ବତନ୍ତ୍ର ଟ୍ରେନ୍ରେ ସବୁ ସିଟ୍ ପୂରଣ ହେଉଛି। ଦ୍ରୁତ ଗତିରେ କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ଓ ଲକ୍ଡାଉନ୍ ଘୋଷଣା କରାଯିବା ପରେ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଏକ ଭର୍ଚୁଆଲ୍ ବୈଠକରେ ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି, ଯାତ୍ରୀବାହୀ କ୍ଷେତ୍ରର ପ୍ରଦର୍ଶନ ଭଲ ନାହିଁ। ଆମେ କେବଳ ୨୩୦ଟି ସ୍ବତନ୍ତ୍ର ଟ୍ରେନ୍ ଚଲାଉଛୁ।
Image Source: India Todayଏହି ଟ୍ରେନ୍ଗୁଡ଼ିକର ସବୁ ସିଟ୍ ପୂରଣ ହେଉନାହିଁ। ହାରାହାରି ୭୫% ସିଟ୍ ପୂରଣ ହେଉଛି। ଗତବର୍ଷ ଯାତ୍ରୀ ଭଡ଼ା ବାବଦରେ ୫୦,୦୦୦ କୋଟି ଟଙ୍କାର ଆୟ ହୋଇଥିଲା। କରୋନା ସ୍ଥିତି ଆଗକୁ କେଉଁ ମୋଡ଼ ନେବ ତାହା ଆମେ ଜାଣିପାରୁନାହୁଁ ବୋଲି ସେ କହିଛନ୍ତି। ରେଳବାଇ ଏବେ ମାଲ ପରିବହନରୁ ହେଉଥିବା ଆୟ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ଗତବର୍ଷ ତୁଳନାରେ ମାଲ ଭଡ଼ା ବାବଦରେ ଆୟ ୫୦% ଅଧିକ ରହିବ ବୋଲି ରେଳବାଇ ଆଶା କରୁଛି। ମାତ୍ର ଯାତ୍ରୀ ଭଡ଼ା ବାବଦ ଆୟ ନିଶ୍ଚିତ ରୂପେ କମ୍ ରହିବ। ଗତବର୍ଷ ତୁଳନାରେ ଏହି କ୍ଷେତ୍ରର ଆୟ ୧୦-୧୫ ପ୍ରତିଶତ ଭିତରେ ରହିଛି। ତେଣୁ ଆମକୁ ୩୦-୩୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିବ। ମାଲ ଭଡ଼ା ଜରିଆରେ ସେହି କ୍ଷତିକୁ ଯଥା ସମ୍ଭବ ଭରଣା କରିବା ଲାଗି ରେଳବାଇ ଉଦ୍ୟମ କରିବ। ସେହି ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ଯାଦବ କହିଛନ୍ତି।
Follow Us