ମାଲ୍ୟାଙ୍କ ସମ୍ପତ୍ତି ବିକିବେ ବ୍ୟାଙ୍କ, ସ୍ୱତନ୍ତ୍ର କୋର୍ଟ ଦେଲେ ଅନୁମତି

ମାଲ୍ୟାଙ୍କ ସମ୍ପତ୍ତି ବିକିବେ ବ୍ୟାଙ୍କ, ସ୍ୱତନ୍ତ୍ର କୋର୍ଟ ଦେଲେ ଅନୁମତି

ThePrint

ମୁମ୍ବାଇ : ଋଣ ଅର୍ଥ ଅସୁଲ କରିବା ଲାଗି ବିଜୟ ମାଲ୍ୟାଙ୍କ ଯେଉଁ ସବୁ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି ତାହାକୁ ବ୍ୟାଙ୍କଗୁଡ଼ିକ ନିଲାମ କରିପାରିବେ। ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ୧୫ଟି ବ୍ୟାଙ୍କର କନସୋର୍ଟିୟମ୍‌କୁ ଏହି ଅନୁମତି ପ୍ରଦାନ କରିଛନ୍ତି।

ମାଲ୍ୟାଙ୍କ ଜବତ ହୋଇଥିବା ସମ୍ପତ୍ତିଗୁଡ଼ିକ ଭିତରେ ରହିଛି ୟୁନାଇଟେଡ୍‌ ବ୍ରିୱେରିଜ୍‌ର ସେୟାର ଏବଂ ପିଏମ୍ଏଲ୍‌ଏ ଅଧୀନରେ ଜବତ ହୋଇଥିବା ଅନ୍ୟାନ୍ୟ ସମ୍ପତ୍ତି। ପିଏମ୍‌ଏଲ୍‌ଏ ୨୦୧୬ ନିୟମ ଅନୁସାରେ କୌଣସି ବ୍ୟକ୍ତିଙ୍କୁ ପଳତାକ ଅପରାଧୀ ‌ଘୋଷଣା କରାଯିବା ପରେ ତାଙ୍କର ଜବତ ହୋଇଥିବା ଅସ୍ଥାବର ସମ୍ପତ୍ତିକୁ ବିକ୍ରି କରାଯାଇପାରିବ।

ଋଣ ଅର୍ଥ ଆଦାୟ କରିବା ଲାଗି ମାଲ୍ୟାଙ୍କ ଜବତ ସମ୍ପତ୍ତି ବିକ୍ରି କରିବାର ଅନୁମତି ହାସଲ କରିବା ଲାଗି କିଛି ମାସ ତଳେ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। ମାଲ୍ୟାଙ୍କ ସମ୍ପତ୍ତି ଉପରେ ଲାଗିଥିବା କଟକଣାକୁ ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ପ୍ରତ୍ୟାହାର କରିନେଇଛନ୍ତି ବୋଲି ବ୍ୟାଙ୍କଗୁଡ଼ିକ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାଜୀବ ପାଟିଲ କହିଛନ୍ତି। ତେବେ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ସମ୍ପତ୍ତି ନିଲାମ କରାଯାଇପାରିବ ନାହିଁ ବୋଲି କୋର୍ଟ ଜଣାଇଛନ୍ତି। ମାଲ୍ୟାଙ୍କ ପକ୍ଷଙ୍କୁ ଏହି ରାୟ ବିରୋଧରେ ବମ୍ବେ ହାଇକୋର୍ଟରେ ଅପିଲ୍ କରିବାର ସୁଯୋଗ ପ୍ରଦାନ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ମାଲ୍ୟାଙ୍କ ଆଇନଜୀବୀ ଅମିତ ଦେଶାଇ କହିଛନ୍ତି ଯେ, ୟୁନାଇଟେଡ୍‌ ବ୍ରିୱେରିଜ୍ ସେୟାର ଉପରେ ଲଗାଯାଇଥିବା କଟକଣାକୁ କୋର୍ଟ ପ୍ରତ୍ୟାହାର କରିଥିବା ବିଷୟରେ ଆମେ ଜାଣିଛୁ। ଅନ୍ୟ ଜବତ ସମ୍ପତ୍ତି ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନି। ଆମେ କୋର୍ଟଙ୍କ ରାୟର ନକଲକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।

ଭାରତରେ ବ୍ୟାଙ୍କଗୁଡ଼ିକର ୯୦୦୦ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ କରିବା ପରେ ୨୦୧୬ ମାର୍ଚ୍ଚରେ ମାଲ୍ୟା ଭାରତ ଛାଡ଼ି ଲଣ୍ଡନ ପଳାଇଥିଲେ। ସେଠାରେ ଏବେ ସେ ପ୍ରତ୍ୟର୍ପଣ ମାମଲାର ଲଢ଼େଇ କରୁଛନ୍ତି। ରାୟ ତାଙ୍କ ବିପକ୍ଷରେ ଗଲେ ତାଙ୍କୁ ଆସି ତିହାର ଜେଲ୍‌ରେ ରହିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe