‌କୋଭିଡ୍ ଆଇସିୟୁ ଖର୍ଚ୍ଚ ୭ ମାସର ଦରମା ସହ ସମାନ; ବେତନଭୋଗୀ, କାଜୁଆଲ୍ କର୍ମଚାରୀ ଅଧିକ ପ୍ରଭାବିତ

‌କୋଭିଡ୍ ଆଇସିୟୁ ଖର୍ଚ୍ଚ ୭ ମାସର ଦରମା ସହ ସମାନ; ବେତନଭୋଗୀ, କାଜୁଆଲ୍ କର୍ମଚାରୀ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ‌କୋଭିଡ୍‌ ରୋଗୀଙ୍କୁ ଆଇସିୟୁରେ ରଖିବା ଖର୍ଚ୍ଚ‌ ଲୋକମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରୁଛି। ଜଣେ ବେତନଭୋଗୀ ହାରାହାରି ଭାବେ ସାତ ମାସରେ ଯେତିକି ଟଙ୍କା ଆୟ କରନ୍ତି ତା’ଠାରୁ ଅଧିକ ଟଙ୍କା ଆଇସିୟୁରେ ଖର୍ଚ୍ଚ ହେଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସ୍ବାବଲମ୍ବୀ ଓ କାଜୁଆଲ୍ କର୍ମଚାରୀଙ୍କ ଆୟକୁ ଯଦି ବିଚାରକୁ ନିଆଯିବ ତେବେ ଏହି ଆର୍ଥିକ ଚାପ ସେମାନଙ୍କ ପାଇଁ ଆହୁରି ବଡ଼ ଥିବା ଜଣାପଡ଼ିଛି। କାଜୁଆଲ୍‌ କର୍ମଚାରୀଙ୍କ ଏକ ବର୍ଷର ଆୟ ସହ ଆଇସିୟୁ ଖର୍ଚ୍ଚ ସମାନ ରହିଛି। ପବ୍ଲିକ୍ ହେଲ୍‌ଥ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଓ ଆମେରିକାର ଡ୍ୟୁକ୍ ‌ଗ୍ଲୋବାଲ୍ ହେଲ୍‌ଥ ଇନଷ୍ଟିଚ୍ୟୁଟ୍‌ ତରଫରୁ ମିଳିତ ଭାବେ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଭାରତରେ କୋଭିଡ୍ ପରୀକ୍ଷା ଓ ଚିକିତ୍ସାରେ ହେଉଥିବା ଖର୍ଚ୍ଚର ବାସ୍ତବ ସ୍ଥିତି ଜାଣିବା ଲାଗି ଏହି ଅଧ୍ୟୟନ କରାଯାଇଛି।

ସରକାର ଚିକିତ୍ସା ଖର୍ଚ୍ଚର ଯେଉଁ ସୀମା ଧାର୍ଯ୍ୟ କରିଛନ୍ତି ତାହା ବିଚାରକୁ ନେଇ ହିସାବ କରାଯିବାରୁ ଜଣାପଡ଼ିଛି ଯେ ୨୦୨୦ ଏପ୍ରିଲ୍‌ରୁ ୨୦୨୧ ଜୁନ୍‌ ମଧ୍ୟରେ ଭାରତୀୟମାନେ କୋଭିଡ୍ ‌ପରୀକ୍ଷା ଓ ହସ୍ପିଟାଲ୍‌ ବିଲ୍ ପାଇଁ ପ୍ରାୟ ୬୪ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ମେଡିକାଲ୍‌ରେ ରଖି ଚିକିତ୍ସା କରାଇବା ଖର୍ଚ୍ଚ ଏତେ ଅଧିକ ରହୁଛି ଯେ ଅନେକ ପରିବାର ଲାଗି ସେହି ପାଣ୍ଠି ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଛି। ଅନେକ ଲୋକ କୋଭିଡ୍ ଚିକିତ୍ସା ଓ ସେବା ହାସଲ କରିପାରୁନାହାନ୍ତି। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ବେତନଭୋଗୀମାନଙ୍କ ପାଇଁ ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଇବା ଖର୍ଚ୍ଚ ସେମାନଙ୍କ ବାର୍ଷିକ ବେତନର ୫୦%ରୁ ଅଧିକ ରହୁଛି। ସ୍ବାବଲମ୍ବୀ ଲୋକମାନଙ୍କୁ ମଧ୍ୟ ସମାନ ଧରଣର ଖର୍ଚ୍ଚ କରିବାକୁ ପଡ଼ୁଛି। କାଜୁଆଲ୍ କର୍ମଚାରୀମାନଙ୍କ ଲାଗି ଆଇସିୟୁ ଖର୍ଚ୍ଚ ସେମାନଙ୍କ ବାର୍ଷିକ ଆୟର ୮୫% ସହ ସମାନ ରହୁଛି। ହସ୍ପିଟାଲ୍‌ରେ ସଙ୍ଗରୋଧରେ ରହି ଚିକିତ୍ସା ସୁବିଧା ହାସଲ କରିବା ମଧ୍ୟ ଅନେକ ଲୋକଙ୍କ ପାଇଁ କଷ୍ଟକର ହେଉଛି। ଘରୋଇ କ୍ଷେତ୍ରର ହସ୍ପିଟାଲ୍‌ରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବା ଲାଗି ୨୨୦୦ ଟଙ୍କା ଗଣିବାକୁ ପଡ଼ୁଛି। ଜଣେ କାଜୁଆଲ୍ କର୍ମଚାରୀ ଏକ ସପ୍ତାହ କାମ କଲେ ସେତିକି ଟଙ୍କା ରୋଜଗାର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe