୭୫୦ କୋଟିର ‘ଏଗ୍ରିସିୟୋର’ ପାଣ୍ଠି ଗଠନ: ମୁମ୍ବାଇରେ ପ୍ରାକ୍‌ ଉନ୍ମୋଚନ ଅଂଶୀଦାର ବୈଠକ

୭୫୦ କୋଟିର ‘ଏଗ୍ରିସିୟୋର’ ପାଣ୍ଠି ଗଠନ: ମୁମ୍ବାଇରେ ପ୍ରାକ୍‌ ଉନ୍ମୋଚନ ଅଂଶୀଦାର ବୈଠକ

ମୁମ୍ବାଇ: ଭାରତ ସରକାରଙ୍କ କୃଷି ଓ କୃଷକ ମଙ୍ଗଳ ମନ୍ତ୍ରାଳୟ ଏବଂ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ମିଳିତଭାବେ ‘ଏଗ୍ରିସିୟୋର’ ପାଣ୍ଠି ଘୋଷଣା ପାଇଁ ମୁମ୍ବାଇଠାରେ ଅଂଶଧାରୀମାନଙ୍କର ଏକ ପ୍ରାକ୍‌ ଉନ୍ମୋଚନ ବୈଠକ ‌ଅନୁଷ୍ଠିତ ହୋଇଯାଇଛି। ଷ୍ଟାର୍ଟଅପ୍ ଏବଂ ଗ୍ରାମୀଣ ଉଦ୍ୟୋଗ ଗୁଡ଼ିକ ପାଇଁ ଏହି ପାଣ୍ଠି ଗଠନ ହୋଇଛି। ୭୫୦ କୋଟି ଟଙ୍କାର ଏହି ପାଣ୍ଠି ଗଠନରେ ନାବାର୍ଡର ୨୫୦ କୋଟି, କୃଷି ମନ୍ତ୍ରାଳୟର ୨୫୦ କୋଟି ଏବଂ ଅନ୍ୟ ପ୍ରତିଷ୍ଠାନଗୁଡ଼ିକର ୨୫୦ କୋଟି ଟଙ୍କାର ଯୋଗଦାନ ରହିବ।

ମୁମ୍ବାଇଠାରେ ଅନୁଷ୍ଠିତ ପ୍ରାକ୍‌ ଉନ୍ମୋଚନ ଅଂଶୀଦାର ବୈଠକରେ କୃଷି ଓ କୃଷକ ମଙ୍ଗଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଅଜିତ କୁମାର ସାହୁ, ନାବାର୍ଡ ଅଧ୍ୟକ୍ଷ ସାଜି କେ.ଭି., ନାବାର୍ଡର ଡେପୁଟି ଏମ୍‌ଡି ଗୋବର୍ଦ୍ଧନ ସିଂହ ରାୱତ, ଡ ଅଜୟ କୁମାର ସୁଦ୍‌ ପ୍ରମୁଖ ଯୋଗ‌ ଦେଇଥିଲେ। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ନବସୃଜନ, ପ୍ରଯୁକ୍ତି ପରିଚାଳିତ, ଅଧିକ ରିସ୍କ ଥିବା ଏବଂ ଅଧିକ ପ୍ରଭାବ ପକାଉଥିବା କାର୍ଯ୍ୟ ପାଇଁ ଏହି ପାଣ୍ଠି ସୃଷ୍ଟି କରାଯାଇଛି।
ନାବାର୍ଡର ଶତ ପ୍ରତିଶତ ସହାୟକ ସଂସ୍ଥା ‘ନବଭେଞ୍ଚର୍ସ’ ପକ୍ଷରୁ ଏହି ପାଣ୍ଠିର ପରିଚାଳନା କରାଯିବ।

କୃଷି କ୍ଷେତ୍ରର ୮୫ଟି ଷ୍ଟାର୍ଟଅପ୍‌ରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ପାଇଁ ଏହି ପାଣ୍ଠି ସୃଷ୍ଟି କରାଯାଇଛି। କୃଷି ଓ ଗ୍ରାମୀଣ କ୍ଷେତ୍ରର ସମସ୍ୟା ସମାଧାନରେ ଏହି ପାଣ୍ଠି ସହାୟକ ହେବ। କୃଷକମାନଙ୍କୁ ସହାୟତା ପ୍ରଦାନରେ ଏହି ପାଣ୍ଠି ବିଶେଷ ସହାୟକ ହେବ ବୋଲି କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ସାହୁ କହିଛନ୍ତି। ଆସନ୍ତା ଅଗଷ୍ଟ ମାସରେ ଏହି ସ୍କିମ ଆରମ୍ଭ କରାଯିବ ବୋଲି ଆଶା ରଖାଯାଇଛି। ଏହି ଅବସରରେ ନିରନ୍ତର କୃଷି ଓ ସବୁଜ ସମାଧାନ ହ୍ୟାକାଥନ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe