୭ ମାସର ସର୍ବନିମ୍ନ ସ୍ତରରେ ଅଶୋଧିତ ତେଲ ଦର: ତଥାପି କମୁନି ପେଟ୍ରୋଲ,ଡିଜେଲ ଦାମ୍‌

୨୦୧୦ ଜୁନ୍‌ରୁ ପେଟ୍ରୋଲରେ କମ୍ପାନିଙ୍କୁ ମିଳୁନି ସବସିଡି

ପାକିସ୍ତାନରେ ପେଟ୍ରୋଲ୍‌ ଦାମ୍‌ ୨୮୨ ଟଙ୍କା

The Hans India

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୭ ମାସର ସର୍ବନିମ୍ନ ସ୍ତରକୁ ନିକଟରେ ହ୍ରାସ ପାଇଥିଲା। ଏହାସତ୍ତ୍ବେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ କମ୍‌ଦାମରେ ମିଳୁନାହିଁ। ଦୀର୍ଘଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଇ ନଥିବାରୁ ଗ୍ରାହକମାନଙ୍କୁ ଅଶୋଧିତ ତେଲ ଦର ହ୍ରାସର ଲାଭରୁ ବଞ୍ଚିତ କରାଯାଉଛି।
ଚଳିତବର୍ଷ ଫେବ୍ରୁଆରି ପରେ ପ୍ରଥମ ଥର ଗତ ସପ୍ତାହରେ ଅଶୋଧିତ ତେଲ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୯୦ ଡଲାର ତଳକୁ କମିଥିଲା। ତେବେ ତାହା ପରଠାରୁ ଦରରେ ସାମାନ୍ୟ ସୁଧାର ଆସିଛି ଏବଂ ବର୍ତ୍ତମାନ ବ୍ୟାରେଲ ପିଛା ଅଶୋଧିତ ତେଲ ଦର ୯୨.୮୪ ଡଲାରରେ ରହିଛି। ଅନ୍ୟପକ୍ଷରେ ‌ଭାରତର ତେଲ ବଜାର ଉପରେ ନଜର ପକାଇଲେ ଜଣାଯାଏ ଯେ ରେକର୍ଡ ୧୫୮ ଦିନ ବା ୫ ମାସରୁ ଅଧିକ ସମୟ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ସଂଶୋଧନ କରାଯାଇନାହିଁ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରା ନଯାଉଥିବା ସଂପର୍କରେ ପ୍ରଶ୍ନ ହେବାରୁ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗତ ଶୁକ୍ରବାର କହିଥିଲେ, ଅଶୋଧିତ ତେଲ ଦର ଅଧିକ ଥିବାବେଳେ ପେଟ୍ରୋଲ, ଡିଜେଲ ମୂଲ୍ୟ କମ୍ ଥିଲା। ଆମେ ସେସବୁ କ୍ଷତି ଭରଣା କରି ସାରିଲୁଣି କି ବୋଲି ମନ୍ତ୍ରୀ ପାଲଟା ପ୍ରଶ୍ନ କରିଛନ୍ତି। ତେବେ ଏପ୍ରିଲ ୬ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଅଣାଯାଇ ନଥିବାରୁ କେତେ କ୍ଷତି ହୋଇଛି ସେ ସଂପର୍କରେ ବିସ୍ତୃତ ସୂଚନା ମନ୍ତ୍ରୀ ଦେଇନାହାନ୍ତି।

ସେପ୍ଟେମ୍ବର ୮ରେ ଭାରତ ଅଶୋଧିତ ତେଲକୁ ବ୍ୟାରେଲ ପିଛା ୮୮ ଡଲାରରେ କିଣିଛି। ଚଳିତବର୍ଷ ଏପ୍ରିଲରେ ଏହି ଦର ବ୍ୟାରେଲ ପିଛା ୧୦୨.୯୭ ଡଲାର ଥିବାବେଳେ ମେ’ ମାସରେ ୧୦୯.୫୧ ଡଲାର, ଜୁନରେ ୧୧୬.୦୧ ଡଲାରକୁ ବୃଦ୍ଧି ପାଇଥିଲା। କିନ୍ତୁ ଜୁଲାଇରେ ଏହା ୧୦୫.୪୯ ଡଲାରକୁ, ଅଗଷ୍ଟରେ ୯୭.୪୦ ଡଲାରକୁ ଏବଂ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୯୨.୮୭ ଡଲାରକୁ ହ୍ରାସ ପାଇଛି। ତେବେ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବାରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲ ସେମାନଙ୍କର ଦୈନିକ ଦର ସଂଶୋଧନ ସୁବିଧାକୁ କାର୍ଯ୍ୟକାରୀ କରିନାହାନ୍ତି। ଗୋଟିଏ ସମୟରେ ତେଲ କମ୍ପାନି ଗୁଡ଼ିକ ଲିଟର ପିଛା ଡିଜେଲରେ ୨୦ରୁ ୨୫ ଟଙ୍କା ଏବଂ ପେଟ୍ରୋଲରେ ୧୪ରୁ ୧୮ ଟଙ୍କା କ୍ଷତି ସହୁଥିଲେ ବୋଲି ଯୁକ୍ତି ରଖାଯାଇଛି। କିନ୍ତୁ ଅଶୋଧିତ ତେଲ ଦର ହ୍ରାସ ପାଇବା ଫଳରେ ଏହି କ୍ଷତି କମିଛି। ବର୍ତ୍ତମାନ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲରେ କୌଣସି କ୍ଷତି ସହୁ ନଥିବାବେଳେ ଡିଜେଲରେ କ୍ଷତି ନହେବା ସ୍ଥିତି ଲାଗି ଆଉ କିଛିଦିନ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ତେଲ କମ୍ପାନିଗୁଡ଼ିକ ନିକଟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାର ସମ୍ଭାବନା ନାହିଁ। ଗତ ୫ ମାସ ମଧ୍ୟରେ ସେମାନେ ଯେଉଁ କ୍ଷତି କରିଛନ୍ତି ତାହା ଭରଣା କରିବାକୁ ସେମାନଙ୍କୁ ସୁଯୋଗ ଦିଆଯିବ।

ତେବେ ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଗ୍ରାହକଙ୍କୁ ରିହାତି ଦେବାକୁ ହେଲେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୮ ଡଲାରରେ ରହିବା କିମ୍ବା ତା ତଳକୁ ହ୍ରାସ ପାଇବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ଭଳି ରାଜ୍ୟର ନିର୍ବାଚନ ସମୟରେ ତେଲ କମ୍ପାନିଗୁଡ଼ିକ ୧୩୭ ଦିନ ଲାଗି ତେଲ ଦର ବୃଦ୍ଧି କରି ନଥିଲେ। ୨୦୨୧ ନଭେମ୍ବର ୪ରୁ ଦରକୁ ସ୍ଥିର ରଖିଥିଲେ। ଚଳିତବର୍ଷ ମାର୍ଚ୍ଚ ୨୨ରେ ସେଥିରେ ପରବର୍ତ୍ତନ ଆସିଥିଲା। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ପାଖାପାଖି ୧୦ ଟଙ୍କା ବଢ଼ାଇ ଦେଇଥିଲେ। ଏପ୍ରିଲ ୭ରୁ ପୁଣି ଏହାକୁ ସ୍ଥିର ରଖିଛନ୍ତି। କମ୍ପାନିଗୁଡ଼ିକ ତେଲ ଦର ନକମାଇବା ପରେ ସରକାର ମେ ମାସରେ ପେଟ୍ରୋଲର ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲର ଉତ୍ପାଦ ଶୁଳ୍କ ୬ ଟଙ୍କା ହ୍ରାସ କରିଥିଲେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ କମ୍ପାନିଗୁଡ଼ିକ ତେଲ ଦରରେ ଲିଟର ପିଛା ପାଖାପାଖି ୧୦ ଟଙ୍କାର ଯେଉଁ ବୃଦ୍ଧି କରିଥିଲେ ତାହା ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଭରଣା ପାଇଁ ଯଥେଷ୍ଟ ନଥିବା କୁହାଯାଇଛି।

୨୦୧୦ ଜୁନ୍‌ରୁ ପେଟ୍ରୋଲରେ କମ୍ପାନିଙ୍କୁ ମିଳୁନି ସବସିଡି
୨୦୧୦ ମସିହାରୁ ପେଟ୍ରୋଲ ଉପରେ ସରକାର କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରୁନାହାନ୍ତି। ସେହିଭଳି ୨୦୧୪ ନଭେମ୍ବରରୁ ସରକାର ଡିଜେଲ ଉପରେ ସବସିଡି ଦେଉନାହାନ୍ତି। ତେଣୁ ଯେତେବେଳେ ଉତ୍ପାଦନ ଖର୍ଚ୍ଚ ଓ ଅଶୋଧିତ ତେଲ ଦାମ ହ୍ରାସପାଏ ସେତେବେଳେ ତେଲ କମ୍ପାନିଗୁଡ଼ିକ ପୂର୍ବରୁ ବହନ କରିଥିବା କ୍ଷତି ବାବଦ ଲାଭ ଉଠାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe