ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ ୬ ଦିନ ହେଲା ହ୍ରାସ ପାଉଛି। ଚଳିତ ସପ୍ତାହରେ ଦରରେ ପାଖାପାଖି ୯ ପ୍ରତିଶତ ହ୍ରାସ ଘଟିଛି। ନୂଆ କରୋନା ସଂକ୍ରମଣ କାରଣରୁ ୟୁରୋପୀୟ ଦେଶଗୁଡ଼ିକରେ ପୁଣି ଲକଡାଉନ୍ ଜାରି ହେବା ସହିତ ନିକଟ ଭବିଷ୍ୟତରେ ତେଲ ଚାହିଦା ବୃଦ୍ଧି ସମ୍ଭାବନା ନଥିବା କାରଣରୁ ଅଶୋଧିତ ତେଲ ଦରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି। କେତେକ ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିବା ମଧ୍ୟ ଅଶୋଧିତ ତେଲ ଚାହିଦା ହ୍ରାସର ଅନ୍ୟତମ କାରଣ। ଆଷ୍ଟ୍ରାଜେନେକା ଟିକାର ପାର୍ଶ୍ବ ପ୍ରତିକ୍ରିୟା କାରଣରୁ କେତେକ ୟୁରୋପୀୟ ଦେଶ କରୋନା ଟିକାକରଣକୁ ବନ୍ଦ ମଧ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଅଶୋଧିତ ତେଲର ଯୋଗାଣ ମଧ୍ୟ ବୃଦ୍ଧି ଘଟିଛି। ସାଉଦି ଆରବର ଅଶୋଧିତ ତେଲ ଯୋଗାଣ କ୍ରମାଗତଭାବେ ସପ୍ତମ ମାସ ପାଇଁ ଜାନୁଆରିରେ ବୃଦ୍ଧି ଘଟିଛି। ଗତବର୍ଷ ଡିସେମ୍ବରରେ ଏହି ଦେଶ ଦିନକୁ ୬.୪୫୯ ନିୟୁତ ବ୍ୟାରେଲ ତେଲ ରପ୍ତାନି କରୁଥିବାବେଳେ ଜାନୁଆରିରେ ଏହା ୬.୫୮୨ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଛି। ୟୁଏସ୍ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତେଲ ଦର ଆଜି ବ୍ୟାରେଲ ପିଛା ୪ ସେଣ୍ଟସ ବା ୦.୦୭ ପ୍ରତିଶତ ହ୍ରାସ ପାଇ ୫୯.୯୬ ଡଲାର ରହିଛି। ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ ପିଛା ୧୦ ସେଣ୍ଟ୍ସ ବା ୦.୧୬ ପ୍ରତିଶତ ହ୍ରାସ ଘଟି ୬୩.୧୮ ଡଲାର ରହିଛି।
୬ ଦିନ ହେଲା କମୁଛି ଅଶୋଧିତ ତେଲ ଦର
Advertisment
Follow Us