ଅଶୋଧିତ ତୈଳ ଦାମ୍ ୧୨୧ ଡଲାର ଟପିଲା, ୧୦ ବର୍ଷରେ ସର୍ବାଧିକ

ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଜେଲ୍‌ ଓ ଏଲ୍‌ପିଜି ଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଥିବା ‌ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୨୧ ଡଲାରରୁ ଅଧିକ ହୋଇଯାଇଛି। ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ ଓ ଡିଜେଲ୍ ଆଦି ପେଟ୍ରୋଲିୟମ୍ ସାମଗ୍ରୀ ଉତ୍ପାଦନ କରାଯାଇଥାଏ। ଭାରତ ଏଭଳି ଏକ ଦେଶ ଯାହା ନିଜ ଆବଶ୍ୟକତାର ୮୪% ତେଲ ବିଭିନ୍ନ ଦେଶରୁ ଆମଦାନି କରୁଛି। ଆନ୍ତର୍ଜାତିକ ବଜାରରେ ତେଲ ମହଙ୍ଗା ହେଲେ ଭାରତରେ ତାହା ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧିର କାରଣ ହେଉଛି।

ଭାରତ କିଣୁଥିବା ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୨୧.୨୮ ଡଲାରକୁ ବୃଦ୍ଧି ପାଇଛି। ଶେଷ ଥର ଲାଗି ୨୦୧୨ ଫେବ୍ରୁଆରି-ମାର୍ଚ୍ଚରେ ଦର ଏଭଳି ଉଚ୍ଚ ସ୍ତରରେ ଥିଲା। ୧୦ ବର୍ଷର ସର୍ବୋଚ୍ଚ ସ୍ତରକୁ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ଭାରତ ପାଇଁ ନିଶ୍ଚିତ ରୂପେ ଚିନ୍ତାର ବିଷୟ। କାରଣ ବେଲଗାମ ହୋଇପଡ଼ିଥିବା ଦରଦାମ୍କୁ ତାହା ଆହୁରି ବିଗାଡ଼ିଦେବ। ବହୁ ସାମଗ୍ରୀର ଦର ଚିନ୍ତାଜନକ ସ୍ତରକୁ ବୃଦ୍ଧି ପାଇଥିବାରୁ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଗତ ପାଞ୍ଚ ସପ୍ତାହ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇ ଦୁଇ ଥର ସୁଧ ହାର ବୃଦ୍ଧି କରିସାରିଲାଣି। ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସହ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨୯ ଭିତରେ ଭାରତ କିଣୁଥିବା ‌ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ହାରାହାରି ଭା‌ବେ ୧୧୧.୮୬ ଡଲାର ରହୁଥିଲା। ମାର୍ଚ୍ଚ ୩୦ରୁ ଏପ୍ରିଲ୍ ୨୭ ଭିତରେ ସେହି ଦାମ୍ ୧୦୩.୪୪ ଡଲାରକୁ ଖସିଥିଲା।

ଆମେରିକା ଭଳି ବିତ୍ତଶାଳୀ ଦେଶ ଅଧିକ ତେଲ କିଣୁଥିବାରୁ ଅଶୋଧିତ ତେଲ ଦାମ୍ ବଢ଼ୁଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୧୨୨.୨୬ ଡଳାର ଓ ୟୁଏସ୍‌ ୱେଷ୍ଟ ଟେକ୍ସାସ୍ ଇଣ୍ଟରମେଡିଏଟ୍‌ କ୍ରୁଡ୍‌ ଦାମ୍ ୧୨୦.୭୨ ଡଲାର ରହିଛି। ଏକ ହିସାବରୁ ଜଣାପଡ଼ିଛି ଯେ ତେଲ କଂପାନିଗୁଡ଼ିକ ଏକ ଲିଟର ପେଟ୍ରୋଲ୍ ଉପରେ ୧୮ ଟଙ୍କା ଓ ଡିଜେଲ୍‌ରେ ୨୧ ଟଙ୍କାର କ୍ଷତି ସହୁଛନ୍ତି। ତଥାପି କଂପାନିଗୁଡ଼ିକ ଏହି ଦୁଇ ଇନ୍ଧନ ଦାମ୍ ବଢ଼ାଉନାହାନ୍ତି। ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ୍‌ରୁ ୮ ଟଙ୍କା ଓ ଡିଜେଲ୍‌ରୁ ୬ ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତଥାପି ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe