ଅଶୋଧିତ ତେଲ ଦର ୮୯ ଡଲାର ଟପିଲା

Advertisment
ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ଲଣ୍ଡନ: ରୁଷ୍‌ର ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ ଏବଂ ମଧ୍ୟପ୍ରାଚ୍ୟରେ ହମାସ-ଇସ୍ରାଏଲ୍‌ ଯୁଦ୍ଧ ପରିସ୍ଥିତିକୁ ନେଇ ଉତ୍ତେଜନା ଲାଗି ରହିବା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଆଜି ବୃଦ୍ଧି ପାଇଛି। ଅକ୍ଟୋବର ମାସ ଠାରୁ ପ୍ରଥମ ଥର ପାଇଁ ଏହି ତେଲର ମୂଲ୍ୟ ବ୍ୟାରେଲ ପିଛା ୮୯ ଡଲାର ଟପିଛି। ଆସନ୍ତା ଜୁନ୍‌ରେ ପ୍ରଦାନ କରାଯିବାକୁ ଥିବା ଅଶୋଧିତ ତେଲ (ବ୍ରେଣ୍ଟ୍‌ କ୍ରୁଡ୍‌) ମୂଲ୍ୟ ବ୍ୟାରେଲ ପିଛା ୧.୧୬ ଡଲାର ବା ୧.୩ ପ୍ରତିଶତ ବୃଦ୍ଧି ଘଟି ୮୮.୫୮ ଡଲାରରେ ରହିଛି। ଅବଶ୍ୟ କିଛି ସମୟ ପାଇଁ ଦର ୮୯ ଡଲାର ଟପିଯାଇଥିଲା। ସେହିଭଳି ୟୁଏସ୍‌ ଟେକ୍ସାସ ଇଣ୍ଟରମିଡିଏଟ୍‌ ଅଶୋଧିତ ତେଲ ମୂଲ୍ୟ ୧.୨୩ ଡଲାର ବା ପ୍ରାୟ ୧.୫ ପ୍ରତିଶତ ବୃଦ୍ଧି ଘଟି ୮୪.୯୪ ଡଲାରରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ବିଶ୍ବର ୩ଟି ବଡ଼ ତୈଳ ଉତ୍ପାଦନକାରୀ ଦେଶ ତାଲିକାରେ ରୁଷ୍‌ ରହିଛି। ‌ଏଥିସହିତ ବିଶ୍ବର ଏକ ପ୍ରମୁଖ ଅଶୋଧିତ ତୈଳ ରପ୍ତାନିକାରୀ ଦେଶ ମଧ୍ୟ ରୁଷ୍‌। ଅନ୍ୟପକ୍ଷରେ ଇସ୍ରାଏଲ-ହମାସ ମଧ୍ୟରେ ଗତବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧ ନୂଆ ରୁପ ନେଇଛି। ସିରିୟା ରାଜଧାନୀ ଦାମାସକସ୍‌ ଠାରେ ଥିବା ଇରାନ ଦୂତାବାସ କାର୍ଯ୍ୟାଳୟ ଉପରେ ଗତକାଲି ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଇରାନ ସେନାର ଦୁଇଜଣ ବରିଷ୍ଠ କମାଣ୍ଡରଙ୍କ ସମେତ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହାର ପ୍ରତିଶୋଧ ଇସ୍ରାଏଲ ନେବ ବୋଲି ଧମକ ଦେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe