୨୧ଟି ବିଫଳ ବ୍ୟାଙ୍କର ଗ୍ରାହକ ଫେରିପାଇବେ ଜମା ରାଶି: ଡିସେମ୍ବର ସୁଦ୍ଧା ସର୍ବାଧିକ ୫ ଲକ୍ଷ ଟଙ୍କା ବୀମା ରାଶି ମିଳିବ

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ନୂଆଦିଲ୍ଲୀ: ବ୍ୟବସାୟରେ ବିଫଳ ହୋଇଥିବା ବ୍ୟାଙ୍କର ଜମାକାରୀଙ୍କୁ ହତାଶ ହେବାକୁ ପଡ଼ିବନି। ସେମାନଙ୍କ ଖାତା ଲାଗି ଯେଉଁ ବୀମା କରାଯାଇଛି ସେହି ଆଧାରରେ ତାଙ୍କୁ ବୀମା ରାଶି ପ୍ରଦାନ କରାଯିବ। ଏଥିପାଇଁ ସଂସଦରେ ସ୍ବତନ୍ତ୍ର ଆଇନ ମଧ୍ୟ ପାରିତ ହୋଇ କାର୍ଯ୍ୟକାରୀ ହୋଇଛି। ଏହି ନିୟମ ଆଧାରରେ ୨୧ଟି ବ୍ୟାଙ୍କର ଜାମାକାରୀଙ୍କୁ ବୀମା ରାଶି ପ୍ରଦାନ କରାଯିବ। ରିଜର୍ଭ ବ୍ୟାଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ‘ଡିପୋଜିଟ୍ ଇନ୍‌ସ୍ୟୁରାନ୍ସ ଆଣ୍ଡ୍‌ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ପକ୍ଷରୁ ବୀମା ରାଶି ଦିଆଯିବ।

ଡିଆଇସିଜିସି ପକ୍ଷରୁ ଘୋଷଣା କରାଯାଇଛି ଯେ ୨୧ଟି ବ୍ୟାଙ୍କର ଜମାକାରୀଙ୍କୁ ୯୦ ଦିନ‌ ଭିତରେ ବୀମା ରାଶି ପ୍ରଦାନ କରାଯିବ। ଏହି ବ୍ୟାଙ୍କଗୁଡ଼ିକ ତାଲିକାରେ ପିଏମ୍‌ସି ବ୍ୟାଙ୍କର ନାମ ମଧ୍ୟ ରହିଛି। ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମା ରାଶି ଦିଆଯିବ। ତାଲିକାରେ ଥିବା ସବୁ ବ୍ୟାଙ୍କ ସେମାନଙ୍କ ଜମା ରାଶିର ବୀମା କରିଥିଲେ। ସେଥିପାଇଁ ସେମାନଙ୍କ ଗ୍ରାହକମାନେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ବୀମା ଆକାରରେ ଫେରିପାଇବେ। କେଉଁ ଗ୍ରାହକଙ୍କୁ ବୀମା ରାଶି ଦିଆଯିବ ସେମାନଙ୍କ ତାଲିକା ପ୍ରସ୍ତୁତ କରି ୪୫ ଦିନ ଭିତରେ ଦାଖଲ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଅକ୍ଟୋବର ୧୫ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଆଗ୍ରହୀ ଗ୍ରାହକଙ୍କ ତାଲିକା ଦାଖଲ କରିବେ। ଏହା ପରେ ଡିଆଇସିଜିସି ସେଗୁଡ଼ିକ ଯାଞ୍ଚ କରି ପରବର୍ତ୍ତୀ ୪୫ ଦିନ ଅର୍ଥାତ ନଭେମ୍ବର ୨୯ ସୁଦ୍ଧା ଦାବିଗୁଡ଼ିକର ସମାଧାନ କରିବ। ଯେଉଁ ଗ୍ରାହକ ଯେତିକି ଟଙ୍କାର ବୀମା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସେହି ଟଙ୍କା ଡିସେମ୍ବର ୨୯ ସୁଦ୍ଧା ଦିଆଯିବ।

ଚଳିତ ବର୍ଷ ଅଗଷ୍ଟରେ ଡିଆଇସିଜିସି ସଂଶୋଧିତ ବିଲ୍ ସଂସଦରେ ଗୃହୀତ ‌ହୋଇଥିଲା। ବ୍ୟାଙ୍କ ବୁଡ଼ିଗଲେ ଜମାକାରୀମାନଙ୍କୁ ମିଳୁଥିବା ବୀମା ରାଶିକୁ ଏକ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି। ଏହି ଟଙ୍କା ୯୦ ଦିନ ଭିତରେ ଗ୍ରାହକଙ୍କୁ ଫେରାଇବାର ବ୍ୟବସ୍ଥା କରାଯାଇଛି। ଯେଉଁଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟାଙ୍କ ଉପରେ ମୋରାଟୋରିଅମ୍ ଲାଗୁ କରାଯିବ ତାହାର ପରବର୍ତ୍ତୀ ୯୦ ଦିନ ଭିତରେ ଗ୍ରାହକଙ୍କୁ ସେମାନଙ୍କ ଜମା ଉପରେ ବୀମା ରାଶି ଫେରସ୍ତ ମିଳିବ। ବ୍ୟାଙ୍କ ବୁଡ଼ିଯିବା ଭଳି ଘଟଣାରେ ଚିନ୍ତିତ ହୋଇପଡ଼ୁଥିବା ଗ୍ରାହକଙ୍କୁ ଏହି ଆଇନ ଆଶ୍ବସ୍ତି ପ୍ରଦାନ କରିଛି। ୨୦୧୯ ସେପ୍ଟେମ୍ବରରେ ପିଏମ୍‌ସି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିଅମ୍ ଲଗାଇବା ପରେ ଏହାର ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଥିଲେ। ଟଙ୍କା ଉଠାଣ ଉପରେ କଟକଣା ଲଗାଯିବା ଯୋଗୁଁ ସେମାନେ ନିଜର ଜମା ରାଶି ଫେରିପାଇବା ଲାଗି ଉଦ୍ୟମ କରି ବିଫଳ ହୋଇଥିଲେ। ‌ଗ୍ରାହକମାନେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଭଳି ଘଟଣାର ପୁନରାବୃତ୍ତିକୁ ରୋକିବା ଲାଗି ଡିଆଇସିଜିସି ସଂଶୋଧିତ ଆଇନ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe