ଡାଲମିଆ ସିମେଣ୍ଟ୍‌ ଉତ୍ପାଦନ କ୍ଷମତା ୮ ନିୟୁତ ଟନ୍ ବଢ଼ାଇବ, ୨୦୩୩ ସୁଦ୍ଧା କୋଇଲା ବ୍ୟବହାର ବନ୍ଦ କରିବ

Advertisment

୨୦୨୪ ସୁଦ୍ଧା ୧୦୦% ଅଟୋମେସନ୍ ଲକ୍ଷ୍ୟ, ରାଜସ୍ବ ପ୍ରଥମ ଥର ୧୦ ହଜାର କୋଟି ଟପିଲା

୨୦୨୪ ସୁଦ୍ଧା ୧୦୦% ଅଟୋମେସନ୍ ଲକ୍ଷ୍ୟ, ରାଜସ୍ବ ପ୍ରଥମ ଥର ୧୦ ହଜାର କୋଟି ଟପିଲା

ଡାଲମିଆ ସିମେଣ୍ଟ୍‌ ଉତ୍ପାଦନ କ୍ଷମତା ୮ ନିୟୁତ ଟନ୍ ବଢ଼ାଇବ, ୨୦୩୩ ସୁଦ୍ଧା କୋଇଲା ବ୍ୟବହାର ବନ୍ଦ କରିବ

ଭୁବନେଶ୍ବର: ଡାଲମିଆ ସିମେଣ୍ଟ୍‌ (ଭାରତ) ଲିମିଟେଡ୍ ଗତ ଆର୍ଥିକ ବର୍ଷରେ ଏହାର ଉତ୍ପାଦନ କ୍ଷମତାକୁ ୪.୩ ନିୟୁତ ଟନ୍ ବଢ଼ାଇଥିଲା। ଚଳିତ ଆର୍ଥିକ ବର୍ଷ କଂପାନି ଆଉ ୮ ନିୟୁତ ଟନ୍ କ୍ଷମତା ଯୋଗ କରିବାକୁ ଲକ୍ଷ୍ୟ ରଖିଛି ବୋଲି କଂପାନିର ଏମ୍‌ଡି ଓ ସିଇଓ ମହେନ୍ଦ୍ର ସିଂଘି କହିଛନ୍ତି। 'ସମ୍ବାଦ' ସହିତ ଏକ ସ୍ବତନ୍ତ୍ର ଆଲୋଚନାରେ ଶ୍ରୀ ସିଂହ କହିଛନ୍ତି ଯେ କରୋନା ମହାମାରୀ ପ୍ରଭାବରେ ଅନ୍ୟ କ୍ଷେତ୍ରଗୁଡ଼ିକ ଭଳି ସିମେଣ୍ଟ୍‌ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ମହାମାରୀର ଦ୍ବିତୀୟ ଲହରରେ ସିମେଣ୍ଟ୍‌ ଚାହିଦା ହ୍ରାସ ପାଇଛି। ଆଗାମୀ ୨-୩ ମାସରେ ସ୍ଥିତି ସୁଧୁରିଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। କଟକର କପିଳାସ ସିମେଣ୍ଟ୍‌ ମାନୁଫାକ୍ୱା‌ଚରିଂ ୱାର୍କସ୍‌ରେ କଂପାନି ଯେଉଁ ସମ୍ପ୍ରସାରଣ କରିଛି ତାହା ୨-୩ ମାସ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

ସିମେଣ୍ଟ୍‌ ଶିଳ୍ପର ଦୃଶ୍ୟପଟ୍ଟ ସମ୍ପର୍କରେ ସେ କହିଛନ୍ତି ଯେ ଆନ୍ତର୍ଜାତିକ ସ୍ତରରେ ୟୁରୋପ, ଜାପାନ ଓ ଏଭଳିକି ଚୀନ୍‌ରେ ମଧ୍ୟ ସିମେଣ୍ଟ୍ ଚାହିଦା ହ୍ରାସ ପାଇଥିଲା। ଭାରତରେ ମଧ୍ୟ ଚାହିଦା ପ୍ରଭାବିତ ହୋଇଛି। କିନ୍ତୁ ରାଜ୍ୟଗୁଡ଼ିକ ମଧ୍ୟରେ ତୁଳନା କଲେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଭଳି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ପ୍ରଦର୍ଶନ ବହୁତ ଭଲ ରହିଛି। ପୂର୍ବାଞ୍ଚରେ କଂପାନି ୭ ପ୍ରତିଶତ ବୃଦ୍ଧି ହାସଲ କରିଛି। ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କଂପାନି ଦକ୍ଷିଣ ଭାରତ, ପୂର୍ବ ଭାରତ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ୨୪% ଅଭିବୃଦ୍ଧି ହାସଲ କରିଛି। ଏହାର ପ୍ରତିଫଳନ ୨୦୨୦-୨୧ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳରେ ଦେଖିବାକୁ ମିଳିଛି। ପ୍ରଥମ ଥର ଲାଗି କଂପାନିର ରାଜସ୍ବ ୧୦ ହଜାର କୋଟି ଟଙ୍କା ମାଇଲଖୁଣ୍ଟ୍ ଅତିକ୍ରମ କରିଛି। ଆଲୋଚ୍ୟ ବର୍ଷରେକଂପାନି ୯% ବୃଦ୍ଧି ସହ ୧୦,୫୨୨ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ଏହାର ଟିକସ ପରବର୍ତୀ ଲାଭ ୫ ଗୁଣା ବୃଦ୍ଧି ପାଇ ୧୨୪୩ କୋଟି ଟଙ୍କା ହୋଇଛି। ଏହି ସମୟରେ କଂପାନି ୨୨୨୪ କୋଟି ଟଙ୍କାର ଋଣ ମଧ୍ୟ ପରିଶୋଧ କରିଛି।

ଶକ୍ତି ବ୍ୟବହାର ସମ୍ପର୍କରେ ଶ୍ରୀ ସିଂଘି କହିଛନ୍ତି ଯେ ୨୦୩୦ ସୁଦ୍ଧା କଂପାନି ‌ନିଜ କାରବାରରେ କେବଳ ଅକ୍ଷୟ ଶକ୍ତି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ୨୦୩୩ ସୁଦ୍ଧା କୋଇଲା ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବ। ୨୦୪୦ ସୁଦ୍ଧା ସମ୍ପୂର୍ଣ୍ଣ କାର୍ବନ ନେଗେଟିଭ୍‌ରେ ପରିଣତ ହେବ। କାର୍ବନ ନେଗେଟିଭ୍‌ର ଅର୍ଥ ହେଉଛି କଂପାନିର ପରିଚାଳନାରୁ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନ ସମ୍ପୂର୍ଣ୍ଣ ବନ୍ଦ ହେବ। ଉତ୍ପାଦନ ପ୍ରକ୍ରିୟାକୁ ସ୍ବୟଂକ୍ରିୟ କରିବା ଲାଗି ମଧ୍ୟ ଡାଲମିଆ ସିମେଣ୍ଟ୍‌ (ଭାରତ) ଲିମିଟେଡ୍‌ର ବଡ଼ ଯୋଜନା ରହିଛି। ୨୦୨୩-୨୪ ସୁଦ୍ଧା ଏହା ୧୦୦% ଅଟୋମେସନ୍ ଲକ୍ଷ୍ୟ ହାସଲ କରିବାକୁ ଚାହୁଛି। କାରଖାନାରୁ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାହାରୁଛି ତାହାକୁ ସଂଗ୍ରହ କରି ଅନ୍ୟ କ୍ଷେତ୍ରରେ ବ୍ୟବହାର କରିବା ଲାଗି କଂପାନି 'କାର୍ବନ କ୍ୟାପ୍‌ଚର ୟୁଟିଲାଇଜେସନ୍ (ସିସିୟୁ) ପ୍ରଯୁକ୍ତିକୁ ବ୍ୟବହାର କରୁଛି। ୨୦୨୫ ସୁଦ୍ଧା କଂପାନି ୨୦ ଗୁଣା ୱାଟର ପଜିଟିଭ୍ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। କଂପାନି ମୁନିସିପାଲିଟିଗୁଡ଼ିକରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ତାହାକୁ କାରଖାନାରେ ଜାଳେଣି ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe