ଋଣରେ ୟୁପିଆଇ ଭଳି ବିପ୍ଳବ ଆବଶ୍ୟକ: ବୈଷ୍ଣବ

Advertisment
ଋଣରେ ୟୁପିଆଇ ଭଳି ବିପ୍ଳବ ଆବଶ୍ୟକ: ବୈଷ୍ଣବ

wikipedia

ନୂଆଦିଲ୍ଲୀ: ୟୁନିଫାଏଡ୍‌ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଯେଭଳି ଡିଜିଟାଲ୍ ପେମେଣ୍ଟ୍‌ର ରୂପରେଖ ବଦଳାଇ ଦେଇଛି ଋଣ ‌ପ୍ରଦାନ କ୍ଷେତ୍ରରେ ମଧ୍ୟ ସେଭଳି ବିପ୍ଳବର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗୀମାନଙ୍କୁ ତ୍ବରିତ ଓ ସହଜରେ ଋଣ ଦେବା ଲାଗି ୟୁପିଆଇ ଭଳି ବ୍ୟବସ୍ଥା ବିକଶିତ କରିବାକୁ ‌ସେ ବ୍ୟାଙ୍କ ଓ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆମ ପାଖରେ ଆଧାର, ୟୁପିଆଇ, ମୋବାଇଲ୍, ଡିଜିଲକର୍ ଭଳି ବ୍ୟବସ୍ଥା ରହିଛି। ଋଣ ପାଇଁ ସୁବିଧାଜନକ ବ୍ୟବସ୍ଥା ବିକଶିତ କରିବାକୁ ଚାହୁଥିବା ସଂସ୍ଥା ସେଗୁଡ଼ିକୁ ବ୍ୟବହାର କରିପାରିବେ। ଆସନ୍ତା ତିନି ମାସ ଭିତରେ ଏଥିପାଇଁ ସ୍ବତନ୍ତ୍ର ଚିନ୍ତାଧାରା ଉପସ୍ଥାପନ କରିବାକୁ ସେ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଡିଜିଟାଲ୍‌ ପେମେଣ୍ଟ୍‌ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି। ବିଶେଷ କରି ମହାମାରୀ ସମୟରେ ଏଥିରେ ଯେଉଁଭଳି ଭାବେ ବୃଦ୍ଧି ଘଟିଛି ତାହା ଅନ୍ୟ ଦେଶଗୁଡ଼ିକ ଲାଗି ଏକ ଉଦାହରଣ ପାଲଟିଛି।

ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ) ପକ୍ଷରୁ ୟୁପିଆଇ ସମାଧାନ ପ୍ରଦାନ କରାଯାଉଛି। କୋଟାକ୍, ୟେସ୍ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଭଳି ସଂସ୍ଥା କୋ-ବ୍ରାଣ୍ଡେଡ୍‌ ରୁପେ କାର୍ଡ ଜାରି କରୁଛନ୍ତି। ସ୍ପର୍ଶବିହୀନ ପେମେଣ୍ଟ୍‌ ପାଇଁ ଅଧିକ ବିକଳ୍ପ ପ୍ରଦାନ କରିବା ଉଦ୍ୟମ ସ୍ବରୂପ ଏନ୍‌ସିପିଆଇ ପକ୍ଷରୁ ରୁପେ-ଅନ୍-ଦି-ଗୋ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ସ୍ମାର୍ଟୱାଚେସ୍ ଆଦି ଓୟାରେବଲ୍‌କୁ ବ୍ୟବହାର କରି ଏହା ଜରିଆରେ ପେମେଣ୍ଟ୍‌ କରିହେବ। ବ୍ୟାଙ୍କ ଅଫ୍‌ ବରୋଦା ଓ ସିଟି ୟୁନିୟନ୍ ବ୍ୟାଙ୍କ ଏହି ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି। ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ପକ୍ଷରୁ ରୁପେ ନେଟ୍‌ୱର୍କରେ ସ୍ପର୍ଶବିହୀନ କ୍ରେଡିଟ୍ କାର୍ଡ ମଧ୍ୟ ପ୍ରଚଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe