ଗଭୀର ଖାତରେ ଅର୍ଥନୀତି, ଦାୟୀ କିଏ : ଭଗବାନ ନା ସରକାର?

Advertisment
ଗଭୀର ଖାତରେ ଅର୍ଥନୀତି, ଦାୟୀ କିଏ : ଭଗବାନ ନା ସରକାର?

The Standard

ଭୁବନେଶ୍ବର (ଗୌତମବୁଦ୍ଧ ଦାସ) : ମହାମାରୀ କରୋନା ମାଡ଼ରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି ବୋଲି ସମସ୍ତେ ଜାଣିଥିଲେ। ମାତ୍ର ଅନ୍ୟସବୁ ଦେଶ ତୁଳନାରେ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ଏକପ୍ରକାର ରସାତଳଗାମୀ ହୋଇଯାଇଛି ବୋଲି ଏବେ ଏବେ ଆସିଥିବା ଆକଳନରୁ ଜଣାପଡ଼ିଛି। ଏହ‌ି ତଥ୍ୟ ଅନ୍ୟ କେହି ନୁହେଁ, ଖୋଦ୍ ଭାରତ ସରକାରଙ୍କ ପରିସଂଖ୍ୟାନ ବିଭାଗ ପ୍ରକାଶ କରିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସ (ଏପ୍ରିଲରୁ ଜୁନ୍)ର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଭୟଙ୍କର ଭାବେ ଚିନ୍ତାଜନକ। ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ମାଇନସ୍ ୨୩.୯% ହୋଇଛି। ୪୦ ବର୍ଷ ଇତିହାସରେ ଏହା ପ୍ରଥମ ଥର ପାଇଁ ଋଣାତ୍ମକ ହୋଇଛି।

ଏ ବର୍ଷ ଦେଶର ଅର୍ଥନୀତି ତଳମୁହାଁ ହେବ ବୋଲି ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ଏମିତି ସଂକୁଚିତ ହୋଇଯିବ ବୋଲି କେହି କଳ୍ପନା ମଧ୍ୟ କରି ନ ଥିଲେ। ଭାରତର ଜିଡିପି ଅଭିବୃଦ୍ଧି ହାର କମିବା ପ୍ରକ୍ରିୟା ପ୍ରାୟ ଦୁଇ ବର୍ଷ ହେଲା ଆରମ୍ଭ ହୋଇଥିଲା। କମି କମି ଗତ ଆର୍ଥିକ ବର୍ଷ ଏହା ୩% ହୋଇ ଯାଇଥିଲା। ସେତେବେଳେ ବି ସରକାର ନିଜ ଦୋଷ ଦୁର୍ବଳତା ଲୁଚାଇ ଏହା ସୁଧୁରି ଯିବ ବୋଲି ଆଶା ଦେଖାଉଥିଲେ। ମାତ୍ର କରୋନା କାଳରେ ଅର୍ଥନୀତି ଗଭୀର ଖାତରେ ଖସିପଡ଼ିବା ପରେ ଏବେ ସମସ୍ତଙ୍କ ପାଟି ବନ୍ଦ ହୋଇଯାଇଛି। ଏହାର ଆଭାସ ପାଇ କିଛିଦିନ ପୂର୍ବରୁ ଖୋଦ୍‌ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତ ଏହାକୁ ‘ଭଗବାନଙ୍କ ଲୀଳା’ (ଆକ୍ଟ ଅଫ୍ ଗଡ୍‌) ବୋଲି କହି ହାତ ଟେକି ଦେଇଥିଲେ।

ଅବଶ୍ୟ ଏକଥା ସତ ଯେ କରୋନା ଯୋଗୁଁ ବିଶ୍ବର ସବୁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଭାରତ ଭଳି ଦୁରବସ୍ଥା ଆଉ କାହାର ହୋଇନାହିଁ। କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବିଶ୍ବର ଅଭିବୃଦ୍ଧିଶୀଳ ୯ଟି ଦେଶକୁ ତୁଳନା କଲେ ଜିଡିପି ଅଭିବୃଦ୍ଧି କମିବାରେ ଭାରତ (+୩%ରୁ କମି ଏକାଥରେ -୨୩.୯%) ଏହି ତାଲିକାର ସବା ତଳେ ରହିଛି। ଇଂଲଣ୍ଡ(-୨୦.୪%), ଫ୍ରାନ୍ସ(-୧୩.୮%), ଇଟାଲି (-୧୨.୪%), କାନାଡ଼ା (୧୨%), ଜର୍ମାନି (-୧୦/୧%), ଆମେରିକା (-୯.୫%), ଜାପାନ (-୭.୬%) ଭଳି ଦେଶଗୁଡ଼ିକର ଅଭିବୃଦ୍ଧି ହାର କମି ଋଣାତ୍ମକ ହୋଇଯାଇଛି। ତେବେ ଭାରତ ସହ ସର୍ବାଧିକ ତୁଳନା କରାଯାଉଥିବା ଆମ ପଡ଼ୋଶୀ ଚୀନର ଅଭିବୃଦ୍ଧି ହାର କମିବା ବଦଳରେ ବଢ଼ି +୩.୨ % ହୋଇଛି।

ଏବେ ପ୍ରଶ୍ନ ଉଠୁଛି, ଭାରତୀୟ ଅର୍ଥନୀତିର ଏଭଳି ରସାତଳଗାମୀ ଅବସ୍ଥା ପାଇଁ କ’ଣ କେବଳ କରୋନା ଦାୟୀ?

ଉପରଠାଉରିଆ ଭାବେ ଦେଖିଲେ ଅଧିକାଂଶ ଲୋକ ଏଇଆ ହିଁ କହିବେ। ମାତ୍ର ଦେଶର ଅର୍ଥଶାସ୍ତ୍ରୀମାନେ ଭିନ୍ନ ମତ ରଖୁଛନ୍ତି। ଆର୍ଥିକ ପରିଚାଳନାରେ ଏନ୍‌ଡିଏ ସରକାରଙ୍କ କ୍ରମାଗତ ତ୍ରୁଟି ଅର୍ଥନୀତିକୁ ନିମ୍ନଗାମୀ କରିଥିବାବେଳେ କରୋନା ମାଡ଼ରେ ଏହା ମାଟି କାମୁଡ଼ି ପଡ଼ିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଏଠାରେ ସ୍ମରଣଯୋଗ୍ୟ ଯେ ବିଗତ ବର୍ଷମାନଙ୍କରେ ସାରା ବିଶ୍ବରେ ବିଭିନ୍ନ ଦେଶ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥାର ଶିକାର ହେଉଥିଲେ, ଭାରତର ଅର୍ଥନୀତିରେ ଅଭିବୃଦ୍ଧି ଅବ୍ୟାହତ ରହିଥିଲା। ଏହାର ମୁଖ୍ୟ କାରଣ ଥିଲା ଭାରତର ସୁଦୃଢ଼ ଆଭ୍ୟନ୍ତରୀଣ ଅର୍ଥ ବ୍ୟବସ୍ଥା। ଅସଂଗଠିତ କ୍ଷେତ୍ର‌େର କାମ କରୁଥିବା କୋଟି କୋଟି ଲୋକ ଏବଂ ଖୁଚୁରା ବ୍ୟବସାୟୀ ଗୋଷ୍ଠୀ ଢାଲ ଭଳି ରହି ଭାରତୀୟ ଅର୍ଥନୀତିକୁ ଉପରମୁହାଁ କରି ରଖିଥିଲେ। କିନ୍ତୁ ୨୦୧୬ରେ କଳାଧନ ଧରିବାକୁ ଯାଇ ମୋଦୀଙ୍କ ବିମୁଦ୍ରାକରଣ ବା ନୋଟବନ୍ଦୀ ପ୍ରଥମେ ଖୁଚୁରା ବେପାରୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଗୋଷ୍ଠୀ ଓ ମଧ୍ୟବିତ୍ତ ଶ୍ରେଣୀର ରୋଜଗାର ଛଡ଼ାଇନେଲା। କେବଳ କିଛି ବଡ଼ ବଡ଼ ବ୍ୟବସାୟୀ ଲାଭବାନ ହେଲେ। ଏତିକିରେ ଦୁଃଖ ସରିଲାନି। ପରବର୍ତ୍ତୀ ସମୟରେ ଟିକସ ବ୍ୟବସ୍ଥାକୁ ସ୍ବଚ୍ଛ ଓ ପାରଦର୍ଶୀ କରିବାକୁ ଯାଇ ମୋଦୀ ସରକାର ଯେଉଁ ଜିଏସ୍‌ଟି ପ୍ରଣୟନ କଲେ, ତାହା ଏହାକୁ ଅଧିକ ଜଟିଳ କରିଦେଲା। ଦେଶର ଆର୍ଥିକ ପରିଚାଳନାକୁ ନେଇ ସରକାରଙ୍କ ଏଭଳି ଦ୍ବନ୍ଦ୍ବାତ୍ମକ ଓ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଅର୍ଥନୀତି ଭୁଶୁଡ଼ିବା ଆରମ୍ଭ ହୋଇ ଯାଇଥିଲା। କଫିନ୍‌ରେ ଶେଷ କଣ୍ଟା ଭଳି କରୋନା ଏବେ ଅର୍ଥନୀତିକୁ ଗୁରୁତର ମାନ୍ଦାବସ୍ଥା ଆଡ଼କୁ ଠେଲି ଦେଇଛି।

ସରକାର ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କଲେ ବି ଏବେ ଏସବୁ ଜଳଜଳ ‌ଦିଶିଯାଉଛି। ୯୦ ଦଶକର ଆର୍ଥିକ ଦୁରବସ୍ଥାଠାରୁ ବି ଏହା ବହୁଗୁଣରେ ଖରାପ ଆଡ଼କୁ ଗତି କରୁଛି। ବ୍ୟବସାୟ ବାଣିଜ୍ୟଠୁ ନେଇ ସେବା କ୍ଷେତ୍ର ପର୍ଯ୍ୟନ୍ତ ସବୁକିଛି ମାଟି କାମୁଡ଼ି ପଡ଼ିଛି। ଦେଶର କୋଟି କୋଟି ଲୋକ ଚାକିରି ହରାଇଛନ୍ତି। ବେକାର ଯୁବକଯୁବତୀଙ୍କ ପାଇଁ କୌଣସି ସୁଯୋଗ ନାହିଁ। ରୋଜଗାରର ବିକଳ୍ପ ବ୍ୟବସ୍ଥା ସୃଷ୍ଟି କରିବାକୁ ସରକାର କିଛି କୂଳକିନାରା ପାଉନାହାନ୍ତି। ଏମିତି ସମୟରେ କିଛି ବିଶେଷ ପଦକ୍ଷେପ ନିଆ ନ ଗଲେ ଭାରତୀୟ ଅର୍ଥନୀତି ଏଭଳି ଭୟଙ୍କର ମାନ୍ଦାବସ୍ଥାରୁ ମୁକୁଳି ପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe