Photograph: (IMPACT Magazine)
ଭୁବନେଶ୍ବର: ଅନଲାଇନରେ ବରାଦ କରିବାର କିଛି ସମୟ ଭିତରେ ଜିନିଷ ପାଇବାକୁ ଲୋକମାନେ ଚାହୁଛନ୍ତି। ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କ୍ବିକ୍ କମର୍ସ କମ୍ପାନିଗୁଡ଼ିକ ଲାଗିପଡ଼ିଛନ୍ତି। ଏହି ପାର୍ବଣ ଋତୁରେ ତତ୍କାଳ ଡେଲିଭରି ସେବାର ଚାହିଦା ବେଶ୍ ବଢ଼ିଛି। ରାଜ୍ୟରେ ବ୍ଲିଙ୍କଇଟ୍, ଜେପ୍ଟୋ, ସ୍ବିଗି ଇନ୍ଷ୍ଟାମାର୍ଟ, ଫ୍ଲିକ୍କାର୍ଟ ମିନିଟ୍ସ, ଜିଓମାର୍ଟ, ବିଗ୍ବାସ୍କେଟ ଓ ଘିନିବା ଭଳି ସଂସ୍ଥା ତତ୍କାଳ ଡେଲିଭରି ସେବା ପ୍ରଦାନ କରୁଛନ୍ତି।
ବର୍ତ୍ତମାନ ସମୟରେ ୧୦ ମିନିଟ୍ରେ ଡେଲିଭରି ବେଶ୍ ଲୋକପ୍ରିୟତା ହାସଲ କରିଛି। ବିଗ୍ବାସ୍କେଟ ପକ୍ଷରୁ ବ୍ରହ୍ମପୁର ଓ ରାଉରକେଲାରେ ୧୦ ମିନିଟ୍ ଡେଲିଭରି ସେବା ଆରମ୍ଭ କରାଯାଇଛି। ଏଥିରୁ ଏହା ଜଣାପଡ଼ୁଛି ଯେ କ୍ବିକ୍ କମର୍ସ କେବଳ ଭୁବନେଶ୍ବର ଭଳି ବଡ଼ ସହରରେ ନୁହେଁ, ବରଂ ରାଜ୍ୟର ଛୋଟ ସହରଗୁଡ଼ିକରେ ମଧ୍ୟ ବେଶ୍ ଗ୍ରହଣୀୟ ହୋଇଛି। ଅଧିକାଂଶ କମ୍ପାନି ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ୧୦ ମିନିଟ୍ ଡେଲିଭରିର ପ୍ରଚାର କରୁଛନ୍ତି। ବିଗ୍ବାସ୍କେଟର ଜାତୀୟ ବ୍ୟବସାୟ ମୁଖ୍ୟ ଶଶି ଶେଖର କହିଛନ୍ତି ଯେ ରାଉରକେଲା ଓ ବ୍ରହ୍ମପୁରରେ ୧୦ ମିନିଟ୍ ଡେଲିଭରି ସେବା ଆରମ୍ଭ କରି ଆମେ ବେଶ୍ ଉତ୍ସାହିତ। ଆମର ଏହି ସେବାରୁ ସହରବାସୀ ଉପକୃତ ହେବେ।
କ୍ବିକ୍ କମର୍ସକୁ ବ୍ୟବହାର କରି ଗ୍ରାହକମାନେ ଗ୍ରୋସରି ସାମଗ୍ରୀ, ଫଳ, ପନିପରିବା, ସ୍ନାକ୍ସ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ମଗାଉଛନ୍ତି। ଗ୍ରୋସରିରେ ସେମାନେ ପନିପରିବା, ଫଳ, ଦୁଗ୍ଧ, ପାଉଁରୁଟି, ଅଣ୍ଡା ମଗାଉଛନ୍ତି। ସ୍ନାକ୍ସରେ ଚିପ୍ସ, ଚକୋଲେଟ୍, ମୃଦୁପାନୀୟ କିଣୁଛନ୍ତି। ଘରକରଣା ସାମଗ୍ରୀ ମଧ୍ୟରେ ଘର ସଫା କରିବା ଜିନିଷ, ପର୍ସନାଲ କେୟାର ଓ ଘରକରଣା ଉତ୍ପାଦ କିଣୁଛନ୍ତି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟରେ ଗ୍ରାହକମାନେ ଚାର୍ଜର, ବଲ୍ ଓ ଅନ୍ୟାନ୍ୟ ଛୋଟ ଇଲେକ୍ଟ୍ରୋନିକ୍ସ ଜିନିଷ କିଣୁଥିବା ଜଣାପଡ଼ିଛି।
Follow Us