ଭୁବନେଶ୍ବର: ଭୁବନେଶ୍ବରରେ ଗତକାଲି ପେଟ୍ରୋଲ ଦର ୮୦ ଟଙ୍କା ତଳକୁ ଖସିଥିବା ବେଳେ ଆଜି ଡିଜେଲ ଦର ମଧ୍ୟ ୮୦ ଟଙ୍କା ତଳକୁ କମିଯାଇଛି। ତେବେ ପେଟ୍ରୋଲ ତୁଳନାରେ ଡିଜେଲ ଦର କେବଳ ଅଧିକ ରହିନାହିଁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୭୯ ଟଙ୍କା ୨୯ ପଇସା ଥିବା ବେଳେ ଡିଜେଲ ଦର ୭୯ ଟଙ୍କା ୮୨ ପଇସା ରହିଛି। ଫଳରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ୫୩ ପଇସା ଅଧିକ ରହିଛି। ଚଳିତମାସ ୨୦ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ରହି ଦେଶରେ ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲା। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ପରସ୍ପର ଉପରେ ଦୋଷ ଲଦାଲଦି ମଧ୍ୟ ହୋଇଥିଲେ। ପେଟ୍ରୋଲ ତୁଳନାରେ ଡିଜେଲର ବେସିକ ପ୍ରାଇସ (ମୂଳ ମୂଲ୍ୟ)ଅଧିକ ରହୁଥିବାରୁ ଓଡ଼ିଶାରେ ଡିଜେଲ ଦର ଅଧିକ ରହୁଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ। ଅନ୍ୟପକ୍ଷରେ ଡିଜେଲ ଦର ହ୍ରାସ ପାଇଁ ରାଜ୍ୟକୁ ଭାଟ୍ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ତେବେ ଏହି ସମସ୍ୟାର କୌଣସି ସମାଧାନ ଇତିମଧ୍ୟରେ ହୋଇପାରି ନାହିଁ। ଫଳରେ ଉଭୟ ଇନ୍ଧନର ଦର କମୁଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ରହିଥିବା ପାର୍ଥକ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନର ତେଲ ଦର ଉପରେ ନଜର ପକାଇଲେ ଜଣାଯାଇଛି ଯେ, ପେଟ୍ରୋଲ ଦର ପ୍ରତିଦିନ ହ୍ରାସ ପାଉଛି। କିନ୍ତୁ ୧୦ ଦିନ ମଧ୍ୟରୁ ୨୪ ତାରିଖକୁ ଛାଡ଼ିଦେଲେ ଅନ୍ୟ ୯ ଦିନରେ ଡିଜେଲ ଦର କମିଛି। ଚଳିତ ମାସ ୧୬ରେ ପେଟ୍ରୋଲ ଦର ସର୍ବାଧିକ ୮୧ ଟଙ୍କା ୬୫ ପଇସାରେ ଏବଂ ଡିଜେଲ ଦର ୮୧ ଟଙ୍କା ୨୩ ପଇସା ଛୁଇଁଥିଲା। ୧୭ ତାରିଖରେ ତେଲ ଦର ଏହି ସ୍ତରରେ ଅପରିବର୍ତ୍ତିତ ରହିଥିଲା। କିନ୍ତୁ ୧୮ ତାରିଖରୁ ଉଭୟ ତେଲର ଦର କମିବାରେ ଲାଗିଛି। ତେଲ ଦର କମିବା ସହିତ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ୨୦ ତାରିଖରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ୬ ପଇସା ଅଧିକ ରହିଥିଲା। ପେଟ୍ରୋଲ ଦର ୮୦ ଟଙ୍କା ୮୨ ପଇସା ଥିବା ବେଳେ ଡିଜେଲ ଦର ୮୦ ଟଙ୍କା ୮୮ ପଇସା ରହିଥିଲା। ଏହାପରେ ଯଦିଓ ଦୁଇ ଇନ୍ଧନ ଦର ହ୍ରାସ ପାଉଛି ତଥାପି ପେଟ୍ରୋଲ ତୁଳନାରେ ଡିଜେଲ ଦର ମନ୍ଥର ଗତିରେ କମୁଛି।
ପେଟ୍ରୋଲ ଠାରୁ ଡିଜେଲ ୫୩ ପଇସା ମହଙ୍ଗା
Advertisment
Follow Us