ପୁଞ୍ଜି ବ୍ୟୟରେ ଅସଙ୍ଗତି: କୋଠାବାଡ଼ି ତିଆରି ଅଧିକ ଖର୍ଚ୍ଚ

Advertisment
ପୁଞ୍ଜି ବ୍ୟୟରେ ଅସଙ୍ଗତି: କୋଠାବାଡ଼ି ତିଆରି ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ: ପୁଞ୍ଜି ବ୍ୟୟ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ନିଜ ବଜେଟ୍‌ରେ ‌ଦେଖାଇଥିବା ତତ୍ପରତା ବାସ୍ତବ କ୍ଷେତ୍ରରେ କିନ୍ତୁ ଦେଖିବାକୁ ମିଳୁନି। ବିଭିନ୍ନ ରାଜ୍ୟର ବଜେଟ୍‌କୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ସେମାନଙ୍କ ପୁଞ୍ଜି ବ୍ୟୟ ଅଟକଳରେ ବଡ଼ ଧରଣର ଅସଙ୍ଗତି ରହିଛି। ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚର ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଦେଶର ୯ଟି ପ୍ରମୁଖ ରାଜ୍ୟ ସେମାନଙ୍କ ପୁଞ୍ଜି ବ୍ୟୟ ଅଟକଳକୁ ୨୪ ପ୍ରତିଶତ ବଢ଼ାଇଛନ୍ତି। ବଜେଟ୍‌ କାଗଜପତ୍ର ଅନୁଶୀଳନରୁ ଜଣାପଡ଼ିଛି ଯେ ପୁଞ୍ଜିବ୍ୟୟର ଅଧିକାଂଶ ରାଶି କେବଳ କୋଠାବାଡ଼ି ତିଆରି କରିବାରେ ବ୍ୟବହାର ହେଉଛି। ଦୀର୍ଘସ୍ଥାୟୀ ଓ ପ୍ରଭାବଶାଳୀ ସମ୍ପତ୍ତି ସୃଷ୍ଟି କରିବା ପ୍ରତି ବିଶେଷ ଧ୍ୟାନ ଦିଆଯାଇନାହିଁ। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍‌, ଅକ୍ଷୟ ଶକ୍ତି ପାଇଁ ସବ୍‌ସିଡି କିମ୍ବା ଘରୋଇ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ପୁଞ୍ଜି ବ୍ୟୟ କରିବା ପାଇଁ କୌଣସି ରାଜ୍ୟ ବଜେଟ୍‌ରେ ବ୍ୟବସ୍ଥା କରିନଥିବା ଜଣାପଡ଼ିଛି।

ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ବଜେଟ୍‌କୁ ଅନୁଶୀଳନ କରିବା ପରେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଏକ ଦାୟିତ୍ବବାନ ରାଜ୍ୟ ବୋଲି ଜଣାପଡ଼ିଥିବା ବେଳେ ପଶ୍ଚିମବଙ୍ଗ ସେକ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ରହିଛି। ଏହି ଦୁଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୁଞ୍ଜି ବଜେଟ୍‌ ମଧ୍ୟରେ ତୁଳନା କରାଯାଇଛି। ୨୦୨୩-୨୪ରେ ଓଡ଼ିଶା ଏହି ବିଭାଗ ଲାଗି ୩,୪୩୪ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ ଧାର୍ଯ୍ୟ କରିଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ। ଏଥିରୁ ଅଧିକାଂଶ ରାଶିକୁ ସ୍ବାସ୍ଥ୍ୟ ଅନୁଷ୍ଠାନ ଭଳି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରାଯିବ। କଟକ ବଡ଼ ମେଡିକାଲ୍‌ର ପୁନର୍ବିକାଶରେ ୧୪୦୦ କୋଟି ଟଙ୍କା ବ୍ୟୟ କରାଯିବ ଯାହା ହେଉଛି ମେଡିକାଲ୍ କ୍ଷେତ୍ର ଲାଗି ରହିଥିବା ବଜେଟ୍‌ ଅଟକଳର ୪୦ ପ୍ରତିଶତ ସହ ସମାନ।

ପଶ୍ଚିମବଙ୍କର ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଛି। ଏହି ରାଜ୍ୟ ପୁଞ୍ଜି ବ୍ୟୟ ବର୍ଗରେ ପ୍ରଶାସନିକ ବ୍ୟୟ ଓ ବିକାଶମୂଳକ ସ୍କିମ୍ ବ୍ୟୟକୁ ସାମିଲ କରିଛି। ଦେଶର ଅନ୍ୟ କୌଣସି ରାଜ୍ୟ ପୁଞ୍ଜି ବ୍ୟୟ ବର୍ଗରେ ପ୍ରଶାସନିକ ଖର୍ଚ୍ଚକୁ ଯୋଡ଼ିନାହାନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ୨୮୮୬ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବାକୁ ପଶ୍ଚିମବଙ୍ଗ ସରକାର ବଜେଟ୍‌ରେ ଅଟକଳ ଧାର୍ଯ୍ୟ କରିଛନ୍ତି। ସେଥିରୁ ପ୍ରାୟ ୪୦% ରାଶି ମେଡିକାଲ୍ ଶିକ୍ଷା, ତାଲିମ ଓ ପ୍ରଶିକ୍ଷଣରେ ଖର୍ଚ୍ଚ କରାଯିବ। ସେଗୁଡ଼ିକ ରାଜସ୍ବ ବ୍ୟୟ ବୋଲି ଜଳଜଳ ଦିଶୁଛି। ସ୍ବାସ୍ଥ୍ୟ କ୍ଷେତ୍ରର ବଳକା ରାଶିକୁ ଏହି ରାଜ୍ୟ ୧୧ଟି ସ୍କିମ୍‌ରେ ଖର୍ଚ୍ଚ କରିବ। କିନ୍ତୁ ସ୍କିମ୍‌ଗୁଡ଼ିକର କିଛି ନାମ ନାହିଁ। ଏଥିରୁ ଏହା ଜଣାପଡ଼ୁଛି ଯେ ଏବାବଦରେ ରହିଥିବା ଟଙ୍କାକୁ ରାଜ୍ୟ ସରକାର ଯେତେବେଳେ ଯେଉଁଠି ଦରକାର ପଡ଼ିବ ଖର୍ଚ୍ଚ କରିବାକୁ ରଖିଛନ୍ତି। ଉତ୍ତରପ୍ରଦେଶ ସରକାର କିନ୍ତୁ ଏଦିଗରେ ଭଲ କାମ କରିଛନ୍ତି। ପରମ୍ପରିକ ପୁଞ୍ଜି ଓ ରାଜସ୍ବ ବ୍ୟୟକୁ ସରକାର ଅଲଗା କରି ପ୍ରଦର୍ଶନ କରିଛନ୍ତି। ସେଥିରେ ଆଉ ପାଦେ ଆଗକୁ ଯାଇ ନୂଆ ଓ ସମ୍ପ୍ରସାରିତ ସ୍କିମ୍‌ର ବ୍ୟୟକୁ ମଧ୍ୟ ଦର୍ଶାଇଛନ୍ତି। ଉତ୍ତରପ୍ରଦେଶରେ ସମସ୍ୟା ହେଉଛି ଏହି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପୁଞ୍ଜି ବ୍ୟୟକୁ ତିନି ବର୍ଷରେ ତିନି ଗୁଣାରୁ ଅଧିକ ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe