Image Courtesy of LokmatNews
ମୁମ୍ବାଇ: ବ୍ୟାଙ୍ଗ୍କକ୍ରୁ ମୁମ୍ବାଇ ଆସୁଥିବା ‘ଇଣ୍ଡିଗୋ ଏୟାର୍ଲାଇନ୍ସ୍’ ବିମାନରେ ଜଣେ ଏୟାର୍ ହୋଷ୍ଟେସ୍ଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ୬୨ ବର୍ଷିୟ ନିଶାସକ୍ତ ସ୍ବିଡେନ୍ ନାଗରିକଙ୍କୁ ଗିରଫ କରିଛି।
କ୍ଲାସ୍ ଏରିକ୍ ହାରାଲଡ୍ ଜୋନାସ୍ ୱେଷ୍ଟବର୍ଗ ନାମକ ଉକ୍ତ ଯାତ୍ରୀ ଆଉ ଜଣେ ସହ-ଯାତ୍ରୀଙ୍କୁ ଆକ୍ରମଣ କରିବା ସହିତ ଉଡ଼ନ୍ତା ‘୬ଇ-୧୦୫୨’ ଇଣ୍ଡିଗୋ ବିମାନରେ ପାଟିତୁଣ୍ଡ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଭୋଜନ ପରିବେଷଣ କରୁଥିବା ବେଳେ ୱେଷ୍ଟ୍ବର୍ଗ ଉକ୍ତ ଏୟାର୍ ହୋଷ୍ଟେସ୍ଙ୍କ ପ୍ରତି ଅସଦାଚରଣ କରିଥିଲେ।
Image Courtesy of Asianet Newsableସଂଗୃହୀତ ସୂଚନା ଅନୁସାରେ, ବିମାନରେ ଖାଦ୍ୟ ନାହିଁ ବୋଲି ପରିଚାରକ ସୂଚନା ଦେବା ପରେ ୱେଷ୍ଟବର୍ଗ ଉଚ୍ଛୃଙ୍ଖଳ ଆଚରଣ ଆରମ୍ଭ କରିଥିଲେ ବୋଲି କୁହାଯାଉଛି। ଶେଷରେ ସେ କୁକୁଡ଼ା ତରକାରି (ଚିକେନ୍ ଡିସ୍) ଖାଇବାକୁ ରାଜି ହେଲେ। ତା’ପରେ ପ୍ରାପ୍ୟ ନିମନ୍ତେ ଏୟାର୍ ହୋଷ୍ଟେସ୍ ‘ପିଓଏସ୍’ ମେସିନ୍ ଧରି ହାଜର ହେଲେ। କାର୍ଡ ସୁଇପିଙ୍ଗ୍ କରିବା ଆଳରେ ୱେଷ୍ଟବର୍ଗ ଅଭଦ୍ରୋଚିତ ଭାବେ ଏୟାର୍ ହୋଷ୍ଟେସ୍ଙ୍କ ହାତ ଧରିପକାଇଥିଲେ।
ପ୍ରତିବାଦ କରିବାରୁ ୱେଷ୍ଟବର୍ଗ ସିଟ୍ରୁ ଉଠିପଡ଼ି ଅନ୍ୟ ଯାତ୍ରୀମାନଙ୍କ ସମ୍ମୁଖରେ ତାଙ୍କ ସହିତ ଅସଦାଚରଣ କରିଥିବା କଥା ଉକ୍ତ ଏୟାର୍ ହୋଷ୍ଟେସ୍ ମୁମ୍ବାଇ ପୁଲିସକୁ କହିଛନ୍ତି। ଏହାଛଡ଼ା, ୱେଷ୍ଟବର୍ଗ ତାଙ୍କୁ ଓ ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟ ଗାଳିଗୁଲଜ କରିଛନ୍ତି ବୋଲି ସେ ପୁଲିସକୁ ସୂଚନା ଦେଇଛନ୍ତି।
ଗୁରୁବାର ଦିନ ମୁମ୍ବାଇ ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅନ୍ଧେରୀ ମେଟ୍ରୋପଲିଟାନ୍ ମାଜିଷ୍ଟେଟ୍ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଜାମିନ ମିଳିଛି।
Follow Us