କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଇ-କମର୍ସ ସାଇଟ୍‌: ସରକାରଙ୍କ ପାଇଁ ତିଆରି କରୁଛନ୍ତି ନିଲେକାନି

Advertisment

ଆମାଜନ, ଫ୍ଲିପ୍‌କାର୍ଟର ପ୍ରାଧାନ୍ୟ କମିବ

ଆମାଜନ, ଫ୍ଲିପ୍‌କାର୍ଟର ପ୍ରାଧାନ୍ୟ କମିବ

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଇ-କମର୍ସ ସାଇଟ୍‌: ସରକାରଙ୍କ ପାଇଁ ତିଆରି କରୁଛନ୍ତି ନିଲେକାନି

Inc42

ନୂଆଦିଲ୍ଲୀ: ବାୟୋମେଟ୍ରିକ ପରିଚୟପତ୍ର ଆଧାର ବିକଶିତ କରିବାରେ ସରକାରଙ୍କୁ ସାହାଯ୍ୟ କରିଥିବା ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଆଉ ଏକ ମହତ୍ବକାଂକ୍ଷୀ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି। ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଶକ୍ତିଶାଳୀ କଂପାନିର ପ୍ରବେଶ ପରେ ଏକପ୍ରକାର ଅଲୋଡ଼ା ହୋଇପଡ଼ିଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ବଳ ପ୍ରଦାନ କରିବା ଲାଗି ସେ ପ୍ରୟାସ କରୁଛନ୍ତି। ଏକ ଅନଲାଇନ୍ ବ୍ୟବସ୍ଥା ବିକଶିତ କରିବା ଉପରେ ସେ କାର୍ଯ୍ୟ କରୁଛନ୍ତି ଯେଉଁଥ‌ିରେ ବ୍ୟବସାୟୀମାନେ ସାବୁନଠାରୁ ଆରମ୍ଭ କରି ବିମାନ ଟିକଟ ପର୍ଯ୍ୟନ୍ତ ସବୁ କିଛି ବିକିପାରିବେ। ଏହି ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉପଲବ୍ଧ ରହିବ। ନିଲେକାନି ବିକଶିତ କରୁଥିବା ବ୍ୟବସ୍ଥା ପଛର ମୂଳ ଉଦ୍ଦେଶ୍ୟ ହେଉଛି ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ବଡ଼ ସଂସ୍ଥାର ପ୍ରାଧାନ୍ୟ କମ୍ କରିବା। ଏହି ବ୍ୟବସ୍ଥାର ନାମ ଓପୋନ୍ ନେଟ୍‌ୱର୍କ ଫର ଡିଜିଟାଲ୍ କମର୍ସ ବା ଓଏନ୍‌ଡିସି ରଖାଯିବ। ଆଜି ପର୍ଯ୍ୟନ୍ତ ବିଶ୍ବର କୌଣସି ଦେଶରେ ଏଭଳି ପ୍ରୟାସ କରାଯାଇନାହିଁ।

ଏଥିରେ ସମସ୍ତ କ୍ଷୁଦ୍ର ବ୍ୟବସାୟୀ ଓ ରିଟେଲର ପଞ୍ଜୀକରଣ କରି ନିଜ ସାମଗ୍ରୀ ବିକ୍ରି କରିପାରିବେ। ଏହା ଜରିଆରେ ସରକାର ନିଜସ୍ବ ଇ-କମର୍ସ ସାଇଟ୍‌ ବିକଶିତ କରିପାରିବେ। ଏହି ସାଇଟ୍‌ ବିକଶିତ କରିବାର ଚିନ୍ତାଧାରା ନିଲେକାନିଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ କିଛି ପ୍ରଯୁକ୍ତି କ୍ଷେତ୍ରର ବିଶିଷ୍ଟ ଲୋକମାନଙ୍କ ସହ ଆଲୋଚନା ବେଳେ ଆସିଥିଲା। ଆସନ୍ତା ମାସରେ ପାଞ୍ଚଟି ସହରରେ କିଛି ନିର୍ଦିଷ୍ଟ ପ୍ରକାର ବ୍ୟବହାରକାରୀମାନଙ୍କୁ ନେଇ ଏହି ବ୍ୟବସ୍ଥାର ପରୀକ୍ଷଣ କରାଯିବ। ଗତବର୍ଷ ଗ୍ରୀଷ୍ଣ ଋତୁରେ ନିଲେକାନିଙ୍କୁ ଏହି ପ୍ରକଳ୍ପ ପାଇଁ ଉପଦ‌େଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା। ଡିଜିଟାଲ୍ ପେମେଣ୍ଟ୍‌ କ୍ଷେତ୍ରରେ ୟୁପିଆଇ ଯେଉଁ ବିପ୍ଳବ ଆଣିଛି ଇ-କମର୍ସ କ୍ଷେତ୍ର‌େରେ ଏହି ସାଇଟ୍‌ ସେଭଳି ସଫଳତା ଦୋହରାଇବ ବୋଲି ଆଶା କରାଯାଉଛି। ଶହେ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଆଧାରକୁ ୯ ବର୍ଷ ସମୟ ଲାଗିଥିଲା। ପାଞ୍ଚ ବର୍ଷରେ ମାସିକ ୟୁପିଆଇ କାରବାର ୪୦୦ କୋଟିରୁ ଅଧିକ ହୋଇପାରିଥିଲା। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବିକଶିତ କରାଯାଇଥିବା ଓଏନ୍‌ଡିସି ବ୍ୟବସ୍ଥା ଆହୁରି ଦ୍ରୁତ ଗତିରେ ଗ୍ରହଣୀୟ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe