Jiya Updates.com
ନୂଆଦିଲ୍ଲୀ: ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଖୁବ୍ କମ୍ ଦିନରେ ଉତ୍ସାହପ୍ରଦ ସମର୍ଥନ ମିଳିଛି। ଅଗଷ୍ଟ ୨୬ ରେ ଏହି ପୋର୍ଟାଲ ଉନ୍ମୋଚନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସାରା ଦେଶର ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ପଞ୍ଜୀକରଣ କରିସାରିଛନ୍ତି। ଓଡ଼ିଶାର ୨୧ ଲକ୍ଷ ୬୯ ହଜାର ୫୫୪ଜଣ ଶ୍ରମିକ ଏଥିରେ ପଞ୍ଜୀକରଣ କରିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରୁ ୪୩ ପ୍ରତଶିତ ହିତାଧିକାରୀ ମହିଳା ଏବଂ ୫୭ ପ୍ରତଶିତ ଶ୍ରମିକ ପୁରୁଷ ରହଛିନ୍ତି। ପଞ୍ଜୀକରଣ କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନ ହାସଲ କରିଛି। ଏହା ପଛକୁ ଓଡ଼ିଶା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ରହିଛନ୍ତି।
୨୦୧୯-୨୦ର ତଥ୍ୟ ଅନୁଯାୟୀ, ଦେଶରେ ଆନୁମାନିକ ୩୮ ଲକ୍ଷ ଅସଂଗଠିତ ଶ୍ରମିକ ରହିଛନ୍ତି, ଯେଉଁମାନଙ୍କୁ ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଫଳରେ ଏହି ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସାମାଜିକ ସୁରକ୍ଷା ଓ ନିଯୁକ୍ତି ଭିତ୍ତିକ ଯୋଜନାର ଲାଭ ପାଇପାରିବେ। ଅନଲାଇନ ପଞ୍ଜୀକରଣ ଲାଗି ଶ୍ରମିକମାନେ ଇ-ଶ୍ରମ ମୋବାଇଲ ଆପ୍ କିମ୍ବା ୱେବସାଇଟ୍ର ଉପଯୋଗ କରିପାରିବେ। ସେମାନେ ମଧ୍ୟ ଜନସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମିକ ସୁବିଧା କେନ୍ଦ୍ର, ବଛା ବଛା ଡାକଘରେ ଖୋଲାଯାଇଥିବା ଡିଜିଟାଲ ସେବା କେନ୍ଦ୍ରରେ ଏହି ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପରେ ସେମାନଙ୍କୁ ଇ-ଶ୍ରମ କାର୍ଡ ମିଳିବ। ଏହି କାର୍ଡ ମାଧ୍ୟମରେ ସେମାନେ ଦେଶର ଯେକୌଣସି ସ୍ଥାନରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ। ପଞ୍ଜୀକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ଅକ୍ଷମତା ବୀମା ପାଇପାରିବେ।
Follow Us