ନୂଆଦିଲ୍ଲୀ: ସରକାର ଦେଉଥିବା ସବ୍ସିଡି ରାଶି ହ୍ରାସ ହୋଇଥିବାରୁ ଜୁନ୍ ୧ରୁ ଇ-ସ୍କୁଟର ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ବୋଲି ଆକଳନ କରାଯାଇଛି। ଫେମ୍-୨ ସ୍କିମ୍ରେ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଦିଆଯାଉଥିବା ସବ୍ସିଡି ରାଶିକୁ କିଲୋୱାଟ୍ ଆଓ୍ବାର ପିଛା ୧୦ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସ-କାରଖାନା ମୂଲ୍ୟ ଉପରେ ଦିଆଯାଉଥିବା ପ୍ରୋତ୍ସାହନକୁ ୪୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। ସବ୍ସିଡି ରାଶି ହ୍ରାସ ହେବା ପରେ ଇ-ସ୍କୁଟର ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ଦରବୃଦ୍ଧି କରିଛନ୍ତି ଯାହା ଜୁନ୍ ୧ରୁ ଲାଗୁ ହେବ। ଏଥର ଏନ୍ର୍ଜି ଏହାର ବିଭିନ୍ନ ମଡେଲ୍ ମୂଲ୍ୟରେ ୩୨,୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ବିନା ସବ୍ସିଡି ସମୟ ଲାଗି ପ୍ରସ୍ତୁତ ରହିବାକୁ କଂପାନିର ସିଇଓ ତରୁଣ ମେହ୍ତା କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ୩୦ ହଜାର ଟଙ୍କାର ସବ୍ସିଡି ଦିଆଯାଉଥିଲା। ୨୦୨୧ରେ ତାହା ୬୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୩ରେ ସେହି ରାଶି ୨୨ ହଜାର ଟଙ୍କାକୁ ଖସିଆସିଛି।
ଦେଶରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତାକୁ ବଢ଼ାଇବା ଲାଗି ସରକାର ଫେମ୍ ସ୍କିମ୍ ଘୋଷଣା କରିଥିଲେ। ୨୦୧୯ ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ଏହି ତିନିକୁ ପ୍ରଥମେ ତିନି ବର୍ଷ ପାଇଁ ଲାଗୁ କରାଯାଇଥିଲା। ଏହାପରେ ସ୍କିମ୍ର ଅବଧିକୁ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା। ଫେମ୍-୨ ସ୍କିମ୍ ଲାଗି ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ରହିଥିଲା।
Follow Us