ବ୍ୟାଙ୍କରେ ମହାମିଶ୍ରଣ: ଋଣ ମିଳିବା ସହଜ ହେବ, ନିରବଙ୍କ ଭଳି ଜାଲିଆତି କମିବ

Advertisment

ରାଜନୈତିକ ହସ୍ତକ୍ଷେପ କମିବ,ବୋର୍ଡକୁ ଦିଆଗଲା ଅଧିକ କ୍ଷମତା‌

ରାଜନୈତିକ ହସ୍ତକ୍ଷେପ କମିବ,ବୋର୍ଡକୁ ଦିଆଗଲା ଅଧିକ କ୍ଷମତା‌

ବ୍ୟାଙ୍କରେ ମହାମିଶ୍ରଣ: ଋଣ ମିଳିବା ସହଜ ହେବ, ନିରବଙ୍କ ଭଳି ଜାଲିଆତି କମିବ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକର ସ୍ଥିତିକୁ ସୁଧାରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅନେକ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ଏହା ପଛର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କଗୁଡ଼ିକୁ ସରକାରୀ ଓ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ କରିବା। ବ୍ୟାଙ୍କଗୁଡ଼ିକ ନିଜ ହିସାବରେ ପରିଚାଳିତ ହେବେ। ବରିଷ୍ଠ ଅଧିକାରୀ ନିଯୁକ୍ତ କରିବା ଠାରୁ ଆରମ୍ଭ କରି ସେମାନଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ଆଦିର ନିଷ୍ପତ୍ତି ଗ୍ରହଣ କରିବା ଦାୟିତ୍ବ ବ୍ୟାଙ୍କ ବୋର୍ଡକୁ ପ୍ରଦାନ କରାଯାଇଛି। ବ୍ୟାଙ୍କର ସବୁ ପ୍ରକାର ହାନିଲାଭ ପାଇଁ ବୋର୍ଡକୁ ଉତ୍ତରଦାୟୀ କରାଯାଇଛି। ବ୍ୟବସାୟରେ ଉନ୍ନତି ଆଣିବା ଲାଗି ଦରକାର ହେଉଥିବା ନିଷ୍ପତ୍ତି ଗ୍ରହଣ କରିବାର ସ୍ବାଧୀନତା ବ୍ୟାଙ୍କ ବୋର୍ଡକୁ ପ୍ରଦାନ କରାଯାଇଛି। ଅଣ-ଅଧିକାରୀ ନିର୍ଦେଶକଙ୍କ ସିଟିଂ ଫି’କୁ ବୋର୍ଡ ବଢ଼ାଇପାରିବ। ପରିଚାଳନା କମିଟିର ସଦସ୍ୟ ସଂଖ୍ୟାରେ ପରିବର୍ତ୍ତନ ଆଣିପାରିବ। ରିସ୍କ ମ୍ୟାନେଜମେଣ୍ଟ୍‌ କମିଟିକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଛି। ବୋର୍ଡର ପରିଚାଳନା କମିଟି ସଦସ୍ୟଙ୍କୁ କାମ କରିବା ଲାଗି ଅଧିକ ସମୟ ପ୍ରଦାନ କରାଯିବ ଯଦ୍ବାରା ସେମାନେ ବ୍ୟାଙ୍କର ସ୍ଥିତିରେ ଉନ୍ନତି ଆଣିବା ଲାଗି କାମ କରିପାରିବେ।

publive-image

ଅଣ-ଅଧିକାରୀ ନିର୍ଦେଶକମାନେ ସ୍ବାଧୀନ ନିର୍ଦେଶକ ଅନୁରୂପ କାମ କରିବେ। ବ୍ୟାଙ୍କର ନିର୍ଦେଶକମାନଙ୍କୁ ବୋର୍ଡ ତାଲିମ ଦେଇପାରିବ ଏବଂ ଅଣ-ଅଧିକାରୀ ନିର୍ଦେଶକଙ୍କ ପ୍ରଦର୍ଶନକୁ ବାର୍ଷିକ ଭିତ୍ତିରେ ସମୀକ୍ଷା କରିପାରିବ। ମହାପ୍ରବନ୍ଧକ (ଜିଏମ୍) ସ୍ତର ଠାରୁ ଆରମ୍ଭ କରି ଏମ୍‌ଡି ପର୍ଯ୍ୟନ୍ତ ପଦରେ ଥିବା ଅଧିକାରୀଙ୍କ ପ୍ରଦର୍ଶନର ସମୀକ୍ଷା କରିପାରିବ ବୋର୍ଡ। ବ୍ୟବସାୟ ପାଇଁ ଯେଉଁ ସ୍ଥାନରେ ଦରକାର ଥିବ ସେହି ସ୍ଥାନରେ ବୋର୍ଡ ନୂଆ ସିଜିଏମ୍ ନିୟୋଜିତ କରିପାରିବ। ବ୍ୟାଙ୍କଗୁଡ଼ିକ ଚିଫ୍ ରିସ୍କ ଅଫିସର୍ ନିଯୁକ୍ତ କରିବେ। ଏହା ଜରିଆରେ ଶିଳ୍ପ ଜଗତରେ ଥିବା ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାଙ୍କଗୁଡ଼ିକ ପ୍ରୟାସ କରିବେ। ବ୍ୟାଙ୍କରେ ଯେଭଳି ନେତୃତ୍ବ ଅଭାବ ରହିବ ନାହିଁ ତାହାକୁ ନିଶ୍ଚିତ କରିବା ଲାଗି ବ୍ୟାଙ୍କର ସବୁ ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ବ ଦକ୍ଷତା ବୃଦ୍ଧି କରାଯିବ। ସେମାନଙ୍କୁ ଆଗୁଆ ପ୍ରସ୍ତୁତ କରାଯିବ। ସବୁ ସରକାରୀ ବ୍ୟାଙ୍କରେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରହିବେ। ସରାକାରୀ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ସଂଖ୍ୟା ୪କୁ ବୃଦ୍ଧି ପାଇବ। ସରକାରୀ ବ୍ୟାଙ୍କଗୁଡ଼ିକ ଦେଉଥିବା ମୋଟା ଅଙ୍କର ଋଣକୁ ମଞ୍ଜୁର କରିବା ଏବଂ ତାହାର ନିରୀକ୍ଷଣ କରିବା ବ୍ୟବସ୍ଥାକୁ ଅଲଗା କରାଯିବ। ନିରବ ମୋଦୀ କରିଥିବା ଜାଲିଆତି ମାମଲାର ମୁକାବିଲା କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମେଗା ବ୍ୟାଙ୍କ ମିଶ୍ରଣର ମୂଳ ଉଦ୍ଦେଶ୍ୟ ହେଉଛି ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ମୂଳଦୁଆ ପ୍ରସ୍ତୁତ କରିବା। ବର୍ତ୍ତମାନ ଭାରତର ଅର୍ଥନୀତି ପରିମାଣ ୨ ଲକ୍ଷ ୬୦ ହଜାର କୋଟି ଡଲାର ରହିଛି। ଏବେ ୧ ଲକ୍ଷ ୯୦ ହଜାର କୋଟି ଡଲାରର ଋଣ ଆବଶ୍ୟକତା ରହିଛି ଯାହା ଜିଡିପିର ୭୨ ପ୍ରତିଶତ ସହ ସମାନ। ଋଣର ଏହି ଆବଶ୍ୟକତା ପୂରଣ କରିବା ଦିଗରେ ସରକାର କାମ କରୁଛନ୍ତି। ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେବା ପରେ ଆହୁରି ସୁବିଧାରେ ଋଣ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe