ଅର୍ଥନୈତିକ ସର୍ଭେ-୨୦୧୯-୨୦ : ଚୀନ୍‌ଠୁ ଶିଖିବାକୁ ପରାମର୍ଶ

Advertisment
ଅର୍ଥନୈତିକ ସର୍ଭେ-୨୦୧୯-୨୦ : ଚୀନ୍‌ଠୁ ଶିଖିବାକୁ ପରାମର୍ଶ

The Financial Express

ନୂଆଦିଲ୍ଲୀ : ଚୀନ୍‌ ଠାରୁ ଶିଖିବା ଲାଗି ସର୍ଭେରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସ୍ବତନ୍ତ୍ର ସାମଗ୍ରୀ ଉପରେ ଅଧିକ ଗୁରୁତ୍ବ ଦେବା ଏବଂ ଶ୍ରମ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର ଆକାରକୁ ବ୍ୟାପକ କରିବା ଲାଗି ସର୍ଭେରେ ସରକାରଙ୍କୁ କୁହାଯାଇଛି। ଏହା ହେଲେ ଦେଶରେ ବିପୁଳ ସଂଖ୍ୟାର ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହି ଧାରାରେ କାର୍ଯ୍ୟକରି ରପ୍ତାନି କ୍ଷେତ୍ରରେ ଚୀନ୍ ବୃହତ ସଫଳତା ହାସଲ କରିଛି। ଭାରତ ମଧ୍ୟ ଏହି ଢାଞ୍ଚାରେ ଆଗକୁ ବଢ଼ିବା ଦରକାର ବୋଲି ସର୍ଭେରେ କୁହାଯାଇଛି। ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ)କୁ ନେଇ ଭାରତର ଏକ ଭ୍ରାନ୍ତ ଧାରଣା ରହିଛି। ସେଥିପାଇଁ ଏହା ଅନେକ ଗୁରୁତ୍ବପୂର୍ଣ୍ଣ ରାଜିନାମା ଠାରୁ ନିଜକୁ ଦୂରେଇ ରଖୁଛି। ଏଫ୍‌ଟିଏ ପ୍ରକୃତରେ ଲାଭଦାୟକ ବୋଲି ସର୍ଭେରେ କୁହାଯାଇଛି। ବିଶ୍ବସ୍ତରରେ ହେଉଥିବା ବାଣିଜ୍ୟ ରାଜିନାମାଗୁଡ଼ିକରେ ଅଂଶଗ୍ରହଣ କରିବା ଲାଗି ଆଗଭର ରହିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଗତବର୍ଷ ଭାରତ ସରକାର ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ସିଇପି)ରୁ ଓହରି ଯାଇଥିଲେ। ୟୁରୋପୀୟ ସଂଘ ଓ ଆମେରିକା ସହିତ ଏହା ଏଫ୍‌ଟିଏକୁ ନେଇ ‌ଆଲୋଚନା ଜାରି ରଖିଥିଲେ ମଧ୍ୟ ସେ ଦିଗରେ ବିଶେଷ ଅଗ୍ରଗତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଭାରତ ୧୪ଟି ଏଫ୍‌ଟିଏ ସ୍ବାକ୍ଷର କରିଛି। ମାତ୍ର ୨୦୧୧ ପରଠାରୁ ଗୋଟିଏ ବି ନୂଆ ଏଫ୍‌ଟିଏ ସ୍ବାକ୍ଷର ହୋଇନାହିଁ। ଭାରତର ଏକ ଭାବନା ରହିଛି ଯେ ଅତୀତରେ ଯେଉଁ ସବୁ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ ହୋଇଛି ତାହା ଦେଶ ସପକ୍ଷରେ କାମ ଦେଇନାହିଁ। ଏଫ୍‌ଟିଏ ସ୍ବାକ୍ଷରିତ ହୋଇଥିବା ଦେଶ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ଆହୁରି ବଢ଼ିଯାଇଛି। ମୋଟ ୧୪ଟି ଏଫ୍‌ଟିଏ ମଧ୍ୟରୁ ୮ଟି ଏଫ୍‌ଟିଏରେ ଭାରତରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଲାଭ ମିଳିଥିବା ସର୍ଭେରେ କୁହାଯାଇଛି। ସାଫ୍‌ଟା, ବିମ୍‌ସଟେକ୍, ଥାଇଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ସହିତ ହୋଇଥିବା ରାଜିନାମାର କୌଣସି ପ୍ରଭାବ ରପ୍ତାନି ଉପରେ ପ୍ରତିଫଳିତ ହୋଇନଥିବା ବେଳେ କୋରିଆ ଓ ଜାପାନ ସହିତ ହୋଇଥିବା ରାଜିନାମାର ନାକାରାତ୍ମକ ପ୍ରଭାବ ରହିଛି। କେବଳ ନେପାଳ, ସିଙ୍ଗାପୁର ଓ ଚିଲି ସହିତ ହୋଇଥିବା ରାଜିନାମାରୁ ଲାଭ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe