The Hans India
ନୂଆଦିଲ୍ଲୀ: ଦେଶରେ ଗତ ନଭେମ୍ବରରୁ ପେଟ୍ରୋଲ, ଡିଜେଲ ଦରରେ ସଂଶୋଧନ ଅଣାଯାଇନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିରେ ଗୁରୁତ୍ବପୂର୍ଣ୍ଣ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ହେଉଥିବାରୁ ତେଲ କମ୍ପାନିଗୁଡ଼ିକ ୪ ମାସରୁ ଅଧିକ ସମୟ ଧରି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କରି ନଥିବା ଧାରଣା ଲୋକଙ୍କ ମନରେ ରହିଛି। କିନ୍ତୁ ନିଜେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଲୋକଙ୍କର ଏପ୍ରକାର ମତ ସହ ଏକମତ ହୋଇନାହାନ୍ତି। ଏହା କହିବା ଠିକ୍ ନୁହେଁ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। କିନ୍ତୁ ଅତୀତରେ ଏହା ହିଁ ଦେଖାଯାଇଛି ଯେ ଗୁଜରାଟ, କର୍ଣ୍ଣାଟକ ଭଳି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ହିଁ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ, ଡିଜେଲ ମୂଲ୍ୟବୃଦ୍ଧିକୁ ଅଟକାଇ ରଖିଥାନ୍ତି। ନିର୍ବାଚନ ସରିବା ପରେ ହିଁ ଦର ବଢ଼ାଇଥାନ୍ତି।
ବର୍ତ୍ତମାନ ୫ ରାଜ୍ୟର ବିଧାନସଭା ନିର୍ବାଚନ ସରି ଯାଇଥିବାରୁ ବନ୍ଦ ଥିବା ପେଟ୍ରୋଲ ଓ ଡିଜେଲ ଦାମ ପୁଣିଥରେ ବୃଦ୍ଧି ପାଇବା ଆଶଙ୍କାରେ ଲୋକମାନେ ଗତକାଲିଠାରୁ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଛନ୍ତି। କିନ୍ତୁ ଆଜି କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ନେଇ ନିଷ୍ପତ୍ତି ନେବେ। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଦେଶରେ ପେଟ୍ରୋଲ, ଡିଜେଲ ଦର ଅନ୍ତର୍ଜାତୀୟ ମୂଲ୍ୟ ଆଧାରରେ ନିର୍ଦ୍ଧାରଣ ହେଉଛି। ବିଶ୍ବର ଗୋଟିଏ ସ୍ଥାନରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି। ତେଲ କମ୍ପାନି ଗୁଡ଼ିକ ତାହାକୁ ବିଚାରକୁ ନେବେ। ଭାରତ ଏହାର ମୋଟ ଆବଶ୍ୟକତା ୮୫ ପ୍ରତିଶତ ଏବଂ ୫୦ରୁ ୫୫ ପ୍ରତିଶତ ଗ୍ୟାସ ଆମଦାନି କରୁଛି। ଏହା ସତ୍ତ୍ବେ ଦେଶରେ ଅଶୋଧିତ ତେଲ ଏବଂ ଗ୍ୟାସର ଅଭାବ ଦେଖାଦେବ ନାହିଁ। ଦେଶର ତୈଳ ଆବଶ୍ୟକତା ପୂରଣକୁ ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି। ସରକାର ଗତବର୍ଷ ନଭେମ୍ବର ୪ରେ ଲିଟର ପିଛା ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା କରାଯାଇଥିଲା ବୋଲି ବିରୋଧୀ ଦଳ ଗୁଡ଼ିକ ଯେଉଁ ଅଭିଯୋଗ କରୁଛନ୍ତି ତାହାକୁ ମଧ୍ୟ ମନ୍ତ୍ରୀ ଗ୍ରହଣ କରିନାହାନ୍ତି।
ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ କିଲୋ ପିଛା ସିଏନଜି ଦାମ ୧ ଟଙ୍କା ବୃଦ୍ଧି ପାଇ ୫୭ ଟଙ୍କା ୫୧ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଗତକାଲି ପ୍ରଥମ ଥର ପାଇଁ ୭୭ ତଳକୁ ଖସିଥିଲା। କିନ୍ତୁ ଶେଷବେଳକୁ କାରବାର ୭୬ ଟଙ୍କା ୯୩ ପଇସାରେ ବନ୍ଦ ହୋଇଥିଲା। ଆଜି ଏଥିରେ ୨୦ ପଇସାର ସୁଧାର ଆସି ୭୬ ଟଙ୍କା ୭୩ ପଇସା ରହିଛି। ସେହିଭଳି କ୍ରମାଗତ ଭାବେ ଚାରିଦିନ ହେଲା ତଳକୁ ଖସୁଥିବା ଷ୍ଟକ ବଜାରରେ ବି ଆଜି ସୁଧାର ଆସିଛି। ବମ୍ବେ ଷ୍ଟକ୍ ବଜାରର ସେନସେକ୍ସ ୫୮୧ ପଏଣ୍ଟ ଉପରକୁ ଉଠି ୫୩,୪୨୪ ପଏଣ୍ଟରେ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ୧୫୦ ପଏଣ୍ଟ ଉପରକୁ ଉଠି ୧୬,୦୧୩ ପଏଣ୍ଟରେ ବନ୍ଦ ହୋଇଛି।
Follow Us