ଇଲେକ୍ଟ୍ରିକ୍‌ ଯାନ ପଥ ଓଗାଳିଲା ମିଥାନଲ୍‌:ସରକାରଙ୍କୁ ନିତି ଆୟୋଗ ଝଟ୍‌କା

Advertisment
ଇଲେକ୍ଟ୍ରିକ୍‌ ଯାନ ପଥ ଓଗାଳିଲା ମିଥାନଲ୍‌:ସରକାରଙ୍କୁ ନିତି ଆୟୋଗ ଝଟ୍‌କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ ଯାନ ଚଳାଚଳ ନେଇ ସ୍ୱପ୍ନ ଦେଖୁଛନ୍ତି। ସେହି ସ୍ୱପ୍ନକୁ ଏକ ଝଟକା ଦେଇଛି ନିତି ଆୟୋଗ। ଭାରତ ପାଇଁ ମିଥାନଲ୍‌ ସବୁଠୁ ଭଲ ବିକଳ୍ପ ବୋଲି ନିତି ଆୟୋଗ କହିଛି।
ଅୟୋଗ ପକ୍ଷରୁ କୁହାଯାଇଛି ଯେ ଇଲେକ୍ଟ୍ରିକ୍‌ ଯାନ ବ୍ୟୟବହୁଳ ହୋଇଥିବା ବେଳେ ନିରନ୍ତରଭାବେ ଏହାର ଚଳପ୍ରଚଳ ମଧ୍ୟ ସମ୍ଭବ ନୁହେଁ। ଲିଥିଅମ୍‌-ଆୟନ୍‌ ବ୍ୟାଟେରି ଅତି ବ୍ୟୟବହୁଳ ହେବ। ଏହା ବଦଳରେ ମିଥାନଲ୍‌ ଭିତ୍ତିକ ହାଇବ୍ରିଡ୍‌ ଯାନ ଭଲ ରହିବ। କାରଣ ରାସାୟନିକ ପଦାର୍ଥରୁ ଏହି ଯାନ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରିପାରିବ। ଏହା ଦେଶର ବିଦ୍ୟୁତ ଶକ୍ତି କ୍ଷେତ୍ର ଉପରେ ଅଧିକ ଚାପ ପକାଇବ ନାହିଁ। ଗ୍ୟାସୋଲିନ୍‌ ବଦଳରେ ମିଥାନଲ୍‌କୁ ଅତି ସହଜରେ ବ୍ୟବହାର କରାଯାଇପାରିବ। ମିଥାନଲ୍‌ ଭିତ୍ତିକ ହାଇବ୍ରିଡ୍‌ ଯାନ ଯୋଗୁଁ କୌଣସି ପ୍ରଦୂଷଣ ହେବ ନାହିଁ ବୋଲି ନିତି ଆୟୋଗ କରିଛି।
ନିତି ଆୟୋଗ କହିଛି ଯେ ଲିଥିଅମ୍‌ ସହଜରେ ଉପଲବ୍ଧ ହୁଏ ନାହିଁ। ଯଦି ସମଗ୍ର ବିଶ୍ୱ ଇଲେକ୍ଟ୍ରିକ ଯାନ ଆଡକୁ ମୁହାଁଇବ ତେବେ ଲିଥିଅମ୍‌ର ଅଭାବ ଦେଖାଦେବ। ତେଣୁ ଇଲେକ୍ଟ୍ରିକ ଯାନର ନିରନ୍ତର ଚଳପ୍ରଚଳକୁ ନେଇ ଆୟୋଗ ପ୍ରଶ୍ନ ଉଠାଇଛି। ଏହା ବ୍ୟତୀତ ଏଭଳି ବ୍ୟାଟେରି ଉତ୍ପାଦନ କରିବା କ୍ଷେତ୍ରରେ ମଧ୍ୟ ଭାରତର ବିଶେଷ ଅଭିଜ୍ଞତା ନାହିଁ।
ଇଲେକ୍ଟ୍ରିକ ଯାନର ବ୍ୟାଟେରି ପାଇଁ ଭାରତକୁ ଚୀନ୍‌ ଉପରେ ନିର୍ଭର କରିବାକୁ ପଡ଼ିବ। ଚୀନ୍‌୍‌ରୁ ଆମଦାନି କରି ତାହାକୁ ଭାରତରେ ଆସେମ୍ବଲ୍‌ କରିବାକୁ ପଡ଼ିବ। ଏହା ହେଲେ ଚୀନ୍‌ ସହିତ ଦେଶର ବାଣିଜ୍ୟ ନିଅଣ୍ଟ ଆହୁରି ବଢ଼ିଯିବ।
ଇଲେକ୍ଟ୍ରିକ ଯାନ ଚଳାଚଳ କରିବାକୁ ହେଲେ ଦେଶରେ ସୁଦୃଢ଼ ଭିତ୍ତିଭୂମି ବିକଶିତ କରିବାକୁ ପଡ଼ିବ। ନିୟମିତ ବ୍ୟବଧାନରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ହେବ। ଏହା ଏବେ ଚାପରେ ଥିବା ଦେଶର ବିଦ୍ୟୁତ ଶକ୍ତି କ୍ଷେତ୍ର ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ମିଥାନଲ୍‌କୁ ରୋଷେଇ ଗ୍ୟାସ୍‌ ଏବଂ ପରିବହନ ଇନ୍ଧନରେ ବ୍ୟାପକ ପରିମାଣରେ ବ୍ୟବହାର କରି ଭାରତ ୨୦୩୦ ସୁଦ୍ଧା ଏହାର ତୈଳ ଆମଦାନି ଖର୍ଚ ପରିମାଣ ୧୦,୦୦୦ କୋଟି ଡଲାର କମ୍‌ କରିପାରିବ ବୋଲି ନିତି ଆୟୋଗ ସଦସ୍ୟ ଭି କେ ସାରସ୍ୱତ କହିଛନ୍ତି। ମୋଦି ସରକାର ୨୦୩୦ ସୁଦ୍ଧା ଦେଶରେ କେବଳ ଇଲେକ୍ଟ୍ରିକ ଯାନ ଚଳାଚଳ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାର ବହୁତ ଗୁରୁତ୍ୱ ମଧ୍ୟ ଦେଉଛନ୍ତି। କିନ୍ତୁ ନିତିି ଆୟୋଗ ପକ୍ଷରୁ ମିଥାନଲ୍‌କୁ ଅଧିକ ମାତ୍ରାରେ ବ୍ୟବହାର କରିବା ପାଇଁ ପ୍ରସ୍ତାବ ପ୍ରଦାନ କରାଯିବା ପରେ ଇଲେକ୍ଟ୍ରିକ ଯାନ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଇଲେକ୍ଟ୍ରିକ୍‌ ବନାମ ମିଥାନଲ୍‌
ଇଲେକ୍ଟ୍ରିକ୍‌
• ସବୁ ଆଡ଼େ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ପଡ଼ିବ
• ବ୍ୟାଟେରି ମୂଲ୍ୟ ଅଧିକ ରହିବ
• ଲିଥିଅମ୍‌ ସହଜରେ ଉପଲବ୍ଧ ହେଉଥିବା ସମ୍ବଳ ନୁହେଁ
• ଚୀନ୍‌ରୁ ବ୍ୟାଟେରି ଆମଦାନି କରିବାକୁ ପଡ଼ିବ
• ଶକ୍ତି କ୍ଷେତ୍ର ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବ
ମିଥାନଲ୍‌
• ଅକ୍ଷୟ ଶକ୍ତିରୁ ସହଜରେ ହାସଲ କରାଯାଇପାରିବ
• ସିନ୍ଥେଟିକ୍‌ ମିଥାନଲ୍‌ ପ୍ରସ୍ତୁତ କରିବା ପାଇଁ ଅଫ୍‌୍‌ଗ୍ରିଡ୍‌ ସୋଲାର୍‌ ଏବଂ ପବନ ଶକ୍ତିକୁ ବ୍ୟବହାର କରାଯାଇପାରିବ
• ଜୈବ-ସମ୍ବଳରୁ ମିଥାନଲ୍‌ ପ୍ରସ୍ତୁତ ହୋଇପାରିବ
• ଏଥିରେ ପ୍ରଦୂଷଣ ମାତ୍ରା ବହୁତ କମ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe