ଜିଡିପି ତଥ୍ୟ, ବୁଥ୍‌ ବାହୁଡ଼ା ମତକୁ ନେଇ ଉତ୍ସାହ: ବଜାର ଉପରେ ସମସ୍ତଙ୍କ ନଜର

ଜିଡିପି ତଥ୍ୟ, ବୁଥ୍‌ ବାହୁଡ଼ା ମତକୁ ନେଇ ଉତ୍ସାହ: ବଜାର ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ମତଦାନ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ବୁଥ୍‌ ବାହୁଡ଼ା ମତ ମଧ୍ୟ ଆସିଛି। ଆଉ ଗୋଟିଏ ଦିନ ପରେ ଫଳ ବାହାରିବାର ଥିବା ବେଳେ ତାହାର ପୂର୍ବଦିନ (ସୋମବାର) ବଜାର କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ସବୁ ନିବେଶକଙ୍କ ନଜର ରହିଛି। ଯେଉଁ ସବୁ ସଂସ୍ଥା ବୁଥ୍‌ବାହୁଡ଼ା ମତ ଜାରି କରିଛନ୍ତି ସେଥିରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ବହୁମତ ମିଳିବ ବୋଲି ଜଣାଇଛନ୍ତି। ନିବେଶକମାନଙ୍କ ଉତ୍ସାହ ବଢ଼ାଇବା ଲାଗି ଏହି ଖବର ଯଥେଷ୍ଟ। କାରଣ ଏନ୍‌ଡିଏ ସରକାର ରହିଲେ ସଂସ୍କାରମୂଳକ ପଦକ୍ଷେପ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସେମାନଙ୍କ ଭିତରେ ଏକ ଧାରଣା ରହିଛି। ନିର୍ବାଚନ ଫଳ ପ୍ରକାଶ ପାଇବାର ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୧୪୪୯ ପଏଣ୍ଟ ଓ ନିଫ୍‌ଟି ୪୨୬ ପଏଣ୍ଟ ତଳକୁ ଖସିଥିଲା। ଆସନ୍ତା ସପ୍ତାହରେ ତାହାର ସମ୍ପୂର୍ଣ୍ଣ ଭରଣା ହୋଇଯିବ ବୋଲି ଆଶା କରାଯାଉଛି।

ଗତ ଏପ୍ରିଲ୍‌ ମଧ୍ୟଭାଗରୁ ମତଦାନ ଆରମ୍ଭ ହେବା ପରେ ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଜବରଦସ୍ତ କାରବାର ହୋଇଥିଲା। ଦୁଇ ମାସ ଭିତରେ ସେନ୍‌ସେକ୍ସ ୩୫୦୦ ପଏଣ୍ଟ ପର୍ଯ୍ୟନ୍ତ ବଢ଼ିବାରୁ ନିବେଶକମାନଙ୍କ ସମ୍ପତ୍ତିରେ ୨୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। କିନ୍ତୁ ମେ’ ମାସଟି ସବୁଠୁ ଗୁରୁତ୍ବପୂର୍ଣ୍ଣ ସମୟ ସାବ୍ୟସ୍ତ ହୋଇଥିଲା। ଏହି ମାସରେ ଏନ୍‌ଡିଏ ସରକାର ଆସିବ ନା ନାହିଁ ତାହାକୁ ନେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏହାପଛର ବଡ଼ କାରଣ ହେଉଛି ବିଦେଶୀ ନିବେଶକମାନେ ବିପୁଳ ପରିମାଣ ସେୟାର ବିକ୍ରି କରି ଭାରତୀୟ ବଜାରରୁ ଓହରିଯାଇଥିଲେ। ସେଥି‌ପାଇଁ ଷ୍ଟକ୍ ବଜାର କାରବାରରେ ଘୋର ଅସ୍ଥିରତା ଦେଖାଦେଇଥିଲା। ସ୍ଥିତି ଅସମ୍ଭାଳ ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମୁହଁ ଖୋଲିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ନିବେଶକମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ଜୁନ୍ ୪ରେ ଷ୍ଟକ୍ ବଜାରରେ ରେକର୍ଡ ବୃଦ୍ଧି ଘଟିବ। ଶ୍ରୀ ଶାହ କହିଥିଲେ ଯେ ଏବେଠାରୁ ସେୟାର କିଣିନିଅ, କାରଣ ଜୁନ୍ ୪ରେ ଷ୍ଟକ୍ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ିବ।

ନିବେଶକମାନଙ୍କ ମନୋବଳ ବଢ଼ାଇବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଡିପି ତଥ୍ୟ। ସବୁଠୁ ଅଧିକ ବେଗରେ ଦୌଡ଼ିବାରେ ଭାରତୀୟ ଅର୍ଥନୀତି ଅନ୍ୟ ଦେଶଗୁଡ଼ିକୁ ପଛରେ ପକାଇଦେଇଛି। ୨୦୨୩-୨୪ରେ ଏହା ୮.୨ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ମୋଦୀ ସରକାରଙ୍କ ସାମର୍ଥ୍ୟ ଉପରେ ଏହା ଆଉ ଏକ ମୋହର ଭଳି। ତେଣୁ ନିବେଶକମାନେ ଆଗକୁ ବଢ଼ିବାକୁ ଥିବା କମ୍ପାନିଗୁଡ଼ିକର ସେୟାର କିଣିବା ପ୍ରତି ରୁଚି ଦେଖାଇବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନେକ ସମୟରେ ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣା କିମ୍ବା ଅନ୍ୟ ଦେଶର ଷ୍ଟକ୍ ବଜାରରେ ଯେଉଁଭଳି କାରବାର ହୋଇଥାଏ, ତାହାର ପ୍ରତିଫଳନ ମଧ୍ୟ ବଜାରରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe