The Economic Times
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବରେ ଲୋକମାନଙ୍କ ଆୟ ଉତ୍ସ ସଙ୍କୁଚିତ ହୋଇଛି। ଏହାକୁ ବିଚାରକୁ ନେଇ ସଦସ୍ୟମାନଙ୍କୁ ଅଗ୍ରୀମ ଉଠାଣ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଅନୁମତି ପ୍ରଦାନ କରିଛି। ଗତବର୍ଷ ମହାମାରୀ ସମୟରେ ମଧ୍ୟ ଏଭଳି ଅନୁମତି ଦିଆଯାଇଥିଲା। ସଦସ୍ୟମାନେ ଯେଉଁ ଅଗ୍ରିମ ରାଶି ଉଠାଇବେ ତାହାକୁ ଫେରସ୍ତ କରିବାକୁ ପଡ଼ିବନି। ଗତବର୍ଷ ଯେଉଁ ସଦସ୍ୟମାନେ ଟଙ୍କା ଉଠାଇଥିଲେ ସେମାନେ ଚଳିତ ବର୍ଷ ଦ୍ବିତୀୟ ଥର ଲାଗି ଟଙ୍କା ଉଠାଇପାରିବେ। ବର୍ତ୍ତମାନ ସୁଦ୍ଧା ଇପିଏଫ୍ଓ ତରଫରୁ ୭୬ ଲକ୍ଷ କୋଭିଡ୍ ଦାବି ସମାଧାନ କରି ୧୮,୬୯୮.୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୦ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ଭାବେ ଇପିଏଫ୍ଓ ପାଣ୍ଠିର ଅଗ୍ରିମ ଉଠାଣ ଲାଗି ଅନୁମତି ଦିଆଯାଇଥିଲା।
ଏନେଇ ଇପିଏଫ୍ ସ୍କିମ୍ ୧୯୫୨ରେ ଆବଶ୍ୟକ ସଂଶୋଧନ ଅଣାଯାଇଥିଲା। ଆଂଶିକ ଅଗ୍ରୀମ ଉଠାଣରେ କର୍ମଚାରୀଙ୍କ ତିନି ମାସର ମୂଳ ଦରମା କିମ୍ବା ତାଙ୍କ ଖାତାରେ ଥିବା ମୋଟ ରାଶିର ୭୫% ଯାହା କମ୍ ତାହା ପ୍ରଦାନ କରାଯାଉଛି। ସଦସ୍ୟମାନେ ଚାହିଲେ କମ୍ ରାଶି ଲାଗି ମଧ୍ୟ ଆବେଦନ କରିପାରିବେ। ଶ୍ରମ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଯେଉଁମାନଙ୍କ ବେତନ ୧୫ ହଜାର ଟଙ୍କାରୁ କମ୍ ରହିଛି ସେମାନେ ଏହି ସୁବିଧା ଦ୍ବାରା ଲାଭବାନ ହୋଇଛନ୍ତି। ଗତବର୍ଷ ଯେଉଁମାନେ ଅଗ୍ରିମ ଉଠାଣ ସୁବିଧା ନେଇଥିଲେ ସେମାନେ ଦ୍ବିତୀୟ ଥର ଲାଗି ଆବେଦନ କରିପାରିବେ ବୋଲି ଶ୍ରମ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଟଙ୍କା ଉଠାଣର ପ୍ରକ୍ରିୟା ଗତବର୍ଷ ଯାହା ଥିଲା ଚଳିତ ବର୍ଷ ତାହା ସମାନ ରହିଛି। ମହାମାରୀ ଭଳି ସମୟରେ ସଦସ୍ୟମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ଏହି ନିଷ୍ପତ୍ତି ବିଶେଷ ସହାୟକ ହେବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
ଏହି କଠିନ ସମୟରେ ସଦସ୍ୟମାନଙ୍କୁ ସାହାଯ୍ୟ କରିବା ଲାଗି ଇପିଏଫ୍ଓ ତରଫରୁ କୋଭିଡ୍ ସମ୍ପର୍କିତ ଦାବିଗୁଡ଼ିକୁ ତୁରନ୍ତ ସମାଧାନ କରାଯାଉଛି। ଦାବି ଆସିବାର ତିନି ଦିନ ଭିତରେ ତାହାର ଫଇସଲା କରିବାକୁ ଆମେ ପ୍ରତିବଦ୍ଧ ବୋଲି ଇପିଏଫ୍ଓ ତରଫରୁ କୁହାଯାଇଛି। ଏଥିପାଇଁ ଇପିଏଫ୍ଓ ତରଫରୁ ଏକ ସ୍ବୟଂକ୍ରିୟ ଦାବି ସମାଧାନ ପ୍ରକ୍ରିୟା ଲାଗୁ କରାଯାଇଛି। ସବୁ ଦୃଷ୍ଟିରୁ ଯେଉଁ ସଦସ୍ୟମାନଙ୍କ କେୱାଇସି ପ୍ରକ୍ରିୟା ଶେଷ ହୋଇଛି ସେମାନଙ୍କୁ ଏଥିରେ ଲାଭ ପ୍ରଦାନ କରାଯାଉଛି।
Follow Us