ସୁଧ ଜମା ଆରମ୍ଭ କଲା ଇପିଏଫ୍ଓ: ସୋସିଆଲ୍ ମିଡିଆରେ ସୂଚନା ଦେଲା

Advertisment

ସୁଧ ଅପେକ୍ଷାରେ ଅନେକ ସଦସ୍ୟ

ସୁଧ ଅପେକ୍ଷାରେ ଅନେକ ସଦସ୍ୟ

ସୁଧ ଜମା ଆରମ୍ଭ କଲା ଇପିଏଫ୍ଓ: ସୋସିଆଲ୍ ମିଡିଆରେ ସୂଚନା ଦେଲା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ଖାତାରେ ୨୦୨୩-୨୪ ଆର୍ଥିକ ବର୍ଷର ସୁଧ ଜମା କରିବା ପ୍ରକ୍ରିୟା ଆରମ୍ଭ କରିଛି। କିଛି ସଦସ୍ୟଙ୍କ ଖାତାରେ ସୁଧ ପହଞ୍ଚିଥିବା ବେଳେ ଅନ୍ୟମାନଙ୍କ ଖାତାରେ ତାହା ଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏହି ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧ ମଞ୍ଜୁର ହୋଇଥିଲା। ଗତ ମେ’ରେ ତାହାକୁ ସରକାରଙ୍କ ଅନୁମୋଦନ ମିଳିଥିଲା।

ସାଧାରଣତଃ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ପକ୍ଷରୁ ନିର୍ଧାରଣ କରାଯାଇଥିବା ସୁଧକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିବା ପରେ ତାହାକୁ ସଦସ୍ୟଙ୍କ ଖାତାରେ ଜମା କରାଯାଏ। ଗତ କିଛି ବର୍ଷ ହେଲାଣି ସେଥିରେ ବ୍ୟତିକ୍ରମ ଘଟୁଛି। ସୁଧ ଜମା କରିବାରେ ଅହେତୁକ ବିଳମ୍ବ ହେଉଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଇପିଏଫ୍ଓ ପକ୍ଷରୁ କୁହାଯାଇଛି ଯେ ତ୍ରୈମାସିକ ଭିତ୍ତିରେ ସୁଧ ଘୋଷଣା କରାଯାଏ ନାହିଁ। ବର୍ଷକୁ ଥରେ ସୁଧ ଘୋଷଣା ହୁଏ ଏବଂ ତାହା ଖାତାରେ ଜମା କରାଯାଏ। ୨୦୨୩-୨୪ ବର୍ଷର ସୁଧକୁ ସରକାର ମଞ୍ଜୁର କରିଥିବା ବେଳେ ଅବସର ନେଉଥିବା ସଦସ୍ୟଙ୍କ ଚୂଡ଼ାନ୍ତ ଫଇସଲାରେ ସୁଧକୁ ସାମିଲ କରାଯାଉଛି ବୋଲି ଇପିଏଫ୍ଓ ସ୍ପଷ୍ଟ କରିଛି।

କିନ୍ତୁ ଯେଉଁମାନେ ଅବସର ନେଇନାହାନ୍ତି, ସେହି ସଦସ୍ୟମାନଙ୍କ ଖାତାରେ କେବେ ସୁଧ ଜମା ହେବ, ସେବିଷୟରେ ଇପିଏଫ୍ଓ କିଛି ସ୍ପଷ୍ଟ କରିନାହିଁ। ଅନେକ ସଦସ୍ୟ ଏନେଇ ପ୍ରଶ୍ନ କରିଥିଲେ ମଧ୍ୟ ଇପିଏଫ୍ଓ କୌଣସି ଉତ୍ତର ଦେଇନାହିଁ। ଖାତାର ବାଲାନ୍ସ ଜାଣିବା ଲାଗି ଇପିଏଫ୍ଓ ସଦସ୍ୟମାନଙ୍କ ଲାଗି ଅନେକ ସୁବିଧା ରହିଛି। ସେମାନେ ଉମଙ୍ଗ ଆପ୍, ଇପିଏଫ୍‌ର ଇ-ସେବା ପୋର୍ଟାଲ୍, ମିସ୍‌ଡ କଲ୍ ଓ ଏସ୍‌ଏମ୍ଏସ୍‌ ପଠାଇ ତାହା ଜାଣିପାରିବେ। ଉମଙ୍ଗ ଆପ୍ ଜରିଆରେ ସେମାନେ ନିଜର ପାସ୍‌ବୁକ୍ ଦେଖିପାରିବେ। ସେହି ପାସ୍‌ବୁକ୍‌ରେ ସୁଧ ଜମା ହୋଇଛି ନା ନାହିଁ ତାହା ଜଣାପଡ଼ିଯିବ। ୭୭୩୮୨୯୯୮୯୯କୁ ନିଜର ୟୁଏଏନ୍ ନମ୍ବର ସହିତ ଇପିଏଫ୍‌ଓଏସ୍‌ଓ ଇଂରାଜିରେ ଲେଖି ପଠାଇଲେ ଖାତା ବାଲାନ୍ସ ଜଣାପଡ଼ିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe